
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରି, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଲୋକାର୍ପଣ କରିଛନ୍ତି। ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସ୍ୱାଗତ କରି, ପ୍ରଧାନମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସେ ଏବେ ପାଳିତ ହୋଇଥିବା ବିଜୟା ଦଶମୀ ଏବଂ କୋଜାଗରୀ ପୂର୍ଣ୍ଣିମା ସମ୍ପର୍କରେ କହିଥିଲେ ଏବଂ ଆଗାମୀ ଦୀପାବଳି ଉତ୍ସବ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।ପ୍ରଧାନମନ୍ତ୍ରୀ କହିଥିଲେ ଯେ , ମୁମ୍ବାଇର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି, ସହରରେ ଏବେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନବନ୍ଦର ହେବା ସହିତ, ଏହି ବିମାନବନ୍ଦର ଏହି ଅଞ୍ଚଳକୁ ଏସିଆର ସର୍ବବୃହତ ସଂଯୋଗ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେ ଏହା ମଧ୍ୟ କହିଛନ୍ତି ଯେ, ମୁମ୍ବାଇରେ ଏବେ ଏକ ସମ୍ପୂର୍ଣ୍ଣ ଭୂତଳ ମେଟ୍ରୋ ଅଛି, ଯାହା ଯାତ୍ରାକୁ ସହଜ କରିବ ଏବଂ ଯାତ୍ରୀମାନଙ୍କ ପାଇଁ ସମୟ ବଞ୍ଚାଇବ। ଶ୍ରୀ ମୋଦୀ ଭୂତଳ ମେଟ୍ରୋକୁ ବିକାଶଶୀଳ ଭାରତର ଏକ ଜୀବନ୍ତ ପ୍ରତୀକ ଭାବରେ ବର୍ଣ୍ଣନା କରିଥିଲେ । ସେ କହିଥିଲ ମୁମ୍ବାଇ ଭଳି ଏକ ବ୍ୟସ୍ତବହୁଳ ସହରରେ ଐତିହାସିକ କୋଠାଗୁଡ଼ିକୁ ସଂରକ୍ଷଣ କରି ଏହି ଉଲ୍ଲେଖନୀୟ ମେଟ୍ରୋ ଭୂତଳରେ ନିର୍ମାଣ କରାଯାଇଛି। ସେ ପ୍ରକଳ୍ପରେ ସାମିଲ ଶ୍ରମିକ ଏବଂ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।ଭାରତ ଏହାର ଯୁବପିଢ଼ି ପାଇଁ ଅଗଣିତ ସୁଯୋଗ ପ୍ରଦାନ କରୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ଆଇଟିଆଇକୁ ଶିଳ୍ପ ସହିତ ଯୋଡ଼ିବା ପାଇଁ ୬୦ ହଜାର କୋଟି ଟଙ୍କାର ‘ପ୍ରଧାନମନ୍ତ୍ରୀ ସେତୁ ଯୋଜନା’ର ସମ୍ପ୍ରତି ଶୁଭାରମ୍ଭ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଆଜିଠାରୁ, ମହାରାଷ୍ଟ୍ର ସରକାର ଶହ ଶହ ଆଇଟିଆଇ ଏବଂ ବୈଷୟିକ ବିଦ୍ୟାଳୟରେ ନୂତନ କାର୍ଯ୍ୟକ୍ରମ ପ୍ରଚଳନ କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ, ଛାତ୍ରଛାତ୍ରୀମାନେ ଡ୍ରୋନ୍, ରୋବୋଟିକ୍ସ, ବୈଦ୍ୟୁତିକ ଯାନବାହନ, ସୌରଶକ୍ତି ଏବଂ ସବୁଜ ହାଇଡ୍ରୋଜେନ୍ ଭଳି ଉଦୀୟମାନ ପ୍ରଯୁକ୍ତି ବିଦ୍ୟାରେ ତାଲିମ ପାଇବେ। ସେ ମହାରାଷ୍ଟ୍ରର ଯୁବପିଢ଼ିଙ୍କୁ ତାଙ୍କର ଶୁଭକାମନା ଜଣାଇଥିଲେ।ଶ୍ରୀ ମୋଦୀ ସମାଜ ଏବଂ କୃଷକମାନଙ୍କ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସେବାକୁ ମନେ ପକାଇ ମହାରାଷ୍ଟ୍ରର ବରପୁତ୍ର ଜନନେତା ଶ୍ରୀ ଡି. ବି. ପାଟିଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ, ଶ୍ରୀ ପାଟିଲଙ୍କ ସେବା ମନୋଭାବ ସମସ୍ତଙ୍କ ପାଇଁ ପ୍ରେରଣା, ଏବଂ ତାଙ୍କ ଜୀବନ ସାର୍ବଜନୀନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ପ୍ରେରଣା ଦେଇ ଚାଲିବ।
ଶ୍ରୀ ମୋଦୀ କହିଛନ୍ତି, “ଆଜି ସମଗ୍ର ଦେଶ ଏକ ବିକଶିତ ଭାରତର ସଂକଳ୍ପ ପୂରଣ କରିବା ପାଇଁ ପ୍ରତିବଦ୍ଧ – ଏକ ଭାରତ ଯାହା ଗତି ଏବଂ ପ୍ରଗତି ଉଭୟ ଦ୍ୱାରା ପରିଭାଷିତ, ଯେଉଁଠାରେ ଜନ କଲ୍ୟାଣ ସର୍ବୋପରି ଏବଂ ସରକାରୀ ଯୋଜନାଗୁଡ଼ିକ ନାଗରିକମାନଙ୍କ ପାଇଁ ଜୀବନକୁ ସହଜ କରିଥାଏ।” ଏହି ଆତ୍ମା ଗତ ଏଗାର ବର୍ଷ ଧରି ଦେଶର ପ୍ରତ୍ୟେକ କୋଣରେ ବିକାଶ ପ୍ରୟାସକୁ ମାର୍ଗଦର୍ଶନ କରିଛି। ଯେ ଯେତେବେଳେ “ବନ୍ଦେ ଭାରତ” ସେମି-ହାଇସ୍ପିଡ୍ ଟ୍ରେନଗୁଡ଼ିକ ଟ୍ରାକରେ ଚାଲିଥାଏ, ଯେତେବେଳେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପଗୁଡ଼ିକ ଗତି ପାଏ, ଯେତେବେଳେ ପ୍ରଶସ୍ତ ରାଜପଥ ଏବଂ ଏକ୍ସପ୍ରେସୱେ ନୂତନ ସହରଗୁଡ଼ିକୁ ସଂଯୋଗ କରେ, ଯେତେବେଳେ ପର୍ବତ ମଧ୍ୟ ଦେଇ ଲମ୍ବା ସୁଡ଼ଙ୍ଗ ନିର୍ମାଣ ହୁଏ ଏବଂ ଯେତେବେଳେ ଉଚ୍ଚ ସମୁଦ୍ର ସେତୁ ଦୂର କୂଳକୁ ସଂଯୋଗ କରେ, ସେତେବେଳେ ଭାରତର ଗତି ଏବଂ ପ୍ରଗତି ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୁଏ। ସେ କହିଥିଲେ ଯେ ଏପରି ପ୍ରଗତି ଭାରତର ଯୁବପିଢ଼ିଙ୍କ ଆକାଂକ୍ଷାକୁ ନୂତନ ଡେଣା ପ୍ରଦାନ କରେ।ଶ୍ରୀ ମୋଦୀ କହିଥିଲେ ଯେ, ଆଜିର କାର୍ଯ୍ୟକ୍ରମ ଭାରତର ବିକାଶ ଯାତ୍ରାର ଗତିକୁ ଜାରି ରଖିଛି। ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଏକ ବିକଶିତ ଭାରତର ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଥିବା ପ୍ରକଳ୍ପ ବୋଲି ସେ ଆଲୋକପାତ କରିଥିଲେ । ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିରେ ନିର୍ମିତ, ବିମାନବନ୍ଦରଟି ପଦ୍ମ ଫୁଲ ପରି ଆକୃତିର, ସଂସ୍କୃତି ଏବଂ ସମୃଦ୍ଧିର ପ୍ରତୀକ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ନୂତନ ବିମାନବନ୍ଦର ମହାରାଷ୍ଟ୍ରର ଚାଷୀମାନଙ୍କୁ ୟୁରୋପ ଏବଂ ମଧ୍ୟପ୍ରାଚ୍ୟର ସୁପରମାର୍କେଟ୍ ସହିତ ସଂଯୋଗ କରିବ, ଯାହା ଫଳରେ ତାଜା ଉତ୍ପାଦ, ଫଳ, ପନିପରିବା ଏବଂ ମତ୍ସ୍ୟଜାତ ଦ୍ରବ୍ୟ ବିଶ୍ୱ ବଜାରରେ ଶୀଘ୍ର ପହଞ୍ଚିପାରିବ। ସେ ଉଲ୍ଲେଖ କରିଛନ୍ତି ଯେ ଏହି ବିମାନବନ୍ଦର ନିକଟସ୍ଥ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ପାଇଁ ରପ୍ତାନି ଖର୍ଚ୍ଚ ହ୍ରାସ କରିବ, ନିବେଶକୁ ବୃଦ୍ଧି କରିବ ଏବଂ ନୂତନ ଉଦ୍ୟୋଗ ପ୍ରତିଷ୍ଠା କରିବ। ନୂତନ ବିମାନବନ୍ଦର ପାଇଁ ସେ ମହାରାଷ୍ଟ୍ର ଏବଂ ମୁମ୍ବାଇର ଲୋକମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଇଥିଲେ।ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ସ୍ୱପ୍ନକୁ ସାକାର କରିବାର ଦୃଢ଼ ସଂକଳ୍ପ ଏବଂ ନାଗରିକମାନଙ୍କୁ ଦ୍ରୁତ ବିକାଶ ପ୍ରଦାନ କରିବାର ଦୃଢ଼ ଇଚ୍ଛାଶକ୍ତି ଥାଏ, ସେତେବେଳେ ଫଳାଫଳ ଅନିବାର୍ଯ୍ୟ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତର ବିମାନ ଚଳାଚଳ କ୍ଷେତ୍ର ଏହି ପ୍ରଗତିରେ ଏକ ପ୍ରମୁଖ ଉଦାହରଣ। ଦାୟିତ୍ୱ ଗ୍ରହଣ କରିବା ପରେ ୨୦୧୪ରେ ତାଙ୍କ ଅଭିଭାଷଣକୁ ମନେ ପକାଇ ଶ୍ରୀ ମୋଦୀ ତାଙ୍କର ଦୃଷ୍ଟିକୋଣକୁ ଦୋହରାଇଥିଲେ ଯେ ଯେଉଁମାନେ ଚପଲ ପିନ୍ଧିଛନ୍ତି ସେମାନେ ମଧ୍ୟ ବିମାନରେ ଯାତ୍ରା କରିପାରିବେ। ଏହି ସ୍ୱପ୍ନକୁ ସାକାର କରିବା ପାଇଁ, ଦେଶବ୍ୟାପୀ ନୂତନ ବିମାନବନ୍ଦର ନିର୍ମାଣ ଅତ୍ୟନ୍ତ ଜରୁରୀ ଥିଲା। ସେ କହିଥିଲେ ଯେ ସରକାର ଏହି ମିଶନକୁ ଗମ୍ଭୀରତାର ସହିତ ନେଇଛନ୍ତି ଏବଂ ଗତ ଏଗାର ବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ନୂତନ ବିମାନବନ୍ଦର ନିର୍ମାଣ କରାଯାଇଛି। ୨୦୧୪ରେ ଭାରତରେ କେବଳ ୭୪ ଟି ବିମାନବନ୍ଦର ଥିଲା; ଆଜି ଏହି ସଂଖ୍ୟା ୧୬୦ ଅତିକ୍ରମ କରିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଛୋଟ ସହରଗୁଡ଼ିକରେ ବିମାନବନ୍ଦର ନିର୍ମାଣ ଯୋଗୁଁ ଲୋକମାନଙ୍କୁ ନୂତନ ବିମାନ ଯାତ୍ରା ବିକଳ୍ପ ପ୍ରଦାନ କରାଯାଇଛି। ଆର୍ଥିକ ପ୍ରତିବନ୍ଧକ ଦୂର କରିବା ପାଇଁ, ସରକାର ଉଡାଣ ଯୋଜନା ଆରମ୍ଭ କରିଛନ୍ତି, ଯାହାର ଲକ୍ଷ୍ୟ ସାଧାରଣ ନାଗରିକଙ୍କ ପାଇଁ ବିମାନ ଟିକେଟକୁ ସୁଲଭ କରିବା। ଗତ ଦଶନ୍ଧି ମଧ୍ୟରେ, ଲକ୍ଷ ଲକ୍ଷ ଲୋକ ଏହି ଯୋଜନା ଅଧୀନରେ ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରିଛନ୍ତି, ଯାହା ଏକ ଦୀର୍ଘକାଳୀନ ସ୍ୱପ୍ନକୁ ପୂରଣ କରିଛି ବୋଲି ସେ ଉଲ୍ଲେଖ କରିଛନ୍ତି।ନୂତନ ବିମାନବନ୍ଦର ନିର୍ମାଣ ଏବଂ ଉଡାଣ ଯୋଜନା ଦ୍ୱାରା ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ସୁବିଧା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଭାରତ ଏବେ ବିଶ୍ୱର ତୃତୀୟ ସର୍ବବୃହତ ଘରୋଇ ବିମାନ ଚଳାଚଳ ବଜାର ପାଲଟିଛି। ଭାରତୀୟ ବିମାନ କମ୍ପାନୀଗୁଡ଼ିକ ନିରନ୍ତର ବିସ୍ତାର କରୁଛନ୍ତି ଏବଂ ଶହ ଶହ ନୂତନ ବିମାନ ପାଇଁ ଅର୍ଡର ଦେଉଛନ୍ତି ବୋଲି ସେ କହିଛନ୍ତି। ଏହି ଅଭିବୃଦ୍ଧି ପାଇଲଟ୍, କ୍ୟାବିନ କ୍ରୁ, ଇଞ୍ଜିନିୟର ଏବଂ ଗ୍ରାଉଣ୍ଡ ୱାର୍କରଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି।ଯେପରି ବିମାନ ସଂଖ୍ୟା ବୃଦ୍ଧି ପାଉଛି, ରକ୍ଷଣାବେକ୍ଷଣ ଏବଂ ମରାମତି କାର୍ଯ୍ୟର ଚାହିଦା ମଧ୍ୟ ବୃଦ୍ଧି ପାଉଛି, ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତ ଏହି ଆବଶ୍ୟକତା ପୂରଣ କରିବା ପାଇଁ ଘରୋଇ ଭାବରେ ନୂତନ ସୁବିଧା ବିକଶିତ କରୁଛି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଆମର ଲକ୍ଷ୍ୟ ହେଉଛି ଏହି ଦଶନ୍ଧି ଶେଷ ସୁଦ୍ଧା ଭାରତକୁ ଏକ ପ୍ରମୁଖ ଏମଆରଓ (ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହଲ୍) କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା। ସେ ଆହୁରି କହିଛନ୍ତି ଯେ, ଏହି ପଦକ୍ଷେପ ଭାରତର ଯୁବପିଢ଼ିଙ୍କ ପାଇଁ ଅଗଣିତ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି।“ଭାରତ ବିଶ୍ୱର ସବୁଠାରୁ ଯୁବ ଦେଶ, ଏବଂ ଏହାର ଶକ୍ତି ଏହାର ଯୁବପିଢ଼ିଙ୍କ ମଧ୍ୟରେ ନିହିତ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ପ୍ରତ୍ୟେକ ସରକାରୀ ନୀତି ଯୁବପିଢ଼ିଙ୍କ ପାଇଁ ସର୍ବାଧିକ ନିଯୁକ୍ତି ସୁଯୋଗ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ। ୭୬ ହଜାର କୋଟି ଟଙ୍କାର ବାଧବନ ବନ୍ଦର ପ୍ରକଳ୍ପର ଉଦାହରଣ ଦେଇ ସେ କହିଛନ୍ତି ଯେ ଭିତ୍ତିଭୂମିରେ ବୃଦ୍ଧି ପାଉଥିବା ନିବେଶ ନିଯୁକ୍ତି ସୃଷ୍ଟି କରିଥାଏ। ସେ ଆହୁରି କହିଛନ୍ତି ଯେ, ଯେତେବେଳେ ବାଣିଜ୍ୟ ବିସ୍ତାର ହୁଏ ଏବଂ ଲଜିଷ୍ଟିକ୍ସ କ୍ଷେତ୍ର ବୃଦ୍ଧି ପାଏ, ସେତେବେଳେ ନିଯୁକ୍ତି ସୃଷ୍ଟି ହୁଏ।ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ , ଭାରତ ସେହି ମୂଲ୍ୟବୋଧ ଉପରେ ଆଧାରିତ ଯେଉଁଠାରେ ଜାତୀୟ ନୀତି ରାଜନୀତିର ଆଧାର ଗଠନ କରେ। ସରକାରଙ୍କ ପାଇଁ, ଭିତ୍ତିଭୂମିରେ ଖର୍ଚ୍ଚ ହେଉଥିବା ପ୍ରତ୍ୟେକ ଟଙ୍କା ନାଗରିକଙ୍କ ସୁବିଧା ଏବଂ କ୍ଷମତା ବୃଦ୍ଧି କରିବାର ଏକ ମାଧ୍ୟମ। ସେ ଏହାକୁ ଦେଶର ରାଜନୈତିକ ଦୃଶ୍ୟପଟ ସହିତ ତୁଳନା କରିଥିଲେ, ଯାହା ଜନ କଲ୍ୟାଣ ଅପେକ୍ଷା କ୍ଷମତାକୁ ପ୍ରାଥମିକତା ଦିଏ। ସେ କହିଥିଲେ ଯେ ଏପରି ଲୋକମାନେ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତି ଏବଂ ଘୋଟାଲା ଏବଂ ଦୁର୍ନୀତି ମାଧ୍ୟମରେ ପ୍ରକଳ୍ପଗୁଡ଼ିକୁ ପଥଚ୍ୟୁତ କରନ୍ତି, ଏବଂ ଦେଶ ଦଶନ୍ଧି ଧରି ଏପରି କୁଶାସନର ସାକ୍ଷୀ ହୋଇ ରହିଛି।
ଆଜି ଉଦଘାଟନ ହୋଇଥିବା ମେଟ୍ରୋ ଲାଇନ ପାଇଁ ପୂର୍ବ ସରକାରମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ମନେ ପକାଇ ଶ୍ରୀ ମୋଦୀ ଏହାର ଶିଳାନ୍ୟାସ ଉତ୍ସବରେ ତାଙ୍କର ଅଂଶଗ୍ରହଣକୁ ମନେ ପକାଇଥିଲେ, ଯାହା ମୁମ୍ବାଇର ଲକ୍ଷ ଲକ୍ଷ ପରିବାରଙ୍କୁ କଷ୍ଟ ଦୂର କରିବା ପାଇଁ ଆଶା ଦେଇଥିଲା। ତଥାପି, ସେ କହିଥିଲେ ଯେ, ପରବର୍ତ୍ତୀ ସରକାର ଏହି ପ୍ରକଳ୍ପକୁ ବନ୍ଦ କରିଦେଇଥିଲେ, ଯାହା ଫଳରେ ଦେଶକୁ ହଜାର ହଜାର କୋଟି ଟଙ୍କାର କ୍ଷତି ପହଞ୍ଚିଥିଲା ଏବଂ ବର୍ଷ ବର୍ଷ ଧରି ଲୋକମାନଙ୍କୁ ଅନେକ ଅସୁବିଧା ଭୋଗିବାକୁ ପଡିଥିଲା। ପ୍ରଧାନମନ୍ତ୍ରୀ ଏହି ମେଟ୍ରୋ ଲାଇନ ସମ୍ପୂର୍ଣ୍ଣ ହେବା ସହିତ, ଯେଉଁ ଯାତ୍ରା ପାଇଁ ପୂର୍ବରୁ ଦୁଇରୁ ଅଢ଼େଇ ଘଣ୍ଟା ସମୟ ଲାଗୁଥିଲା ତାହା ଏବେ ମାତ୍ର ୩୦ ରୁ ୪୦ ମିନିଟରେ ସମ୍ପୂର୍ଣ ହେବ ବୋଲି ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ , ମୁମ୍ବାଇ ଭଳି ସହରରେ, ଯେଉଁଠାରେ ପ୍ରତ୍ୟେକ ମିନିଟର ହିସାବ କରାଯାଏ, ନାଗରିକମାନେ ତିନିରୁ ଚାରି ବର୍ଷ ଧରି ଏହି ସୁବିଧାରୁ ବଞ୍ଚିତ ହୋଇଥିଲେ, ଏହାକୁ ଏକ ଘୋର ଅନ୍ୟାୟ ବୋଲି ସେ କହିଥିଲେ।ପ୍ରଧାନମନ୍ତ୍ରୀ କହିଥିଲେ, “ଗତ ଏଗାର ବର୍ଷ ଧରି, ସରକାର ନାଗରିକଙ୍କ ଜୀବନକୁ ସହଜ କରିବା ଉପରେ ଧ୍ୟାନ ଦେଉଛନ୍ତି।” ସେ ଜୋର ଦେଇ ଉଲ୍ଲେଖ କରିଥିଲେ ଯେ ରେଳ, ରାସ୍ତା, ବିମାନବନ୍ଦର, ମେଟ୍ରୋ ଏବଂ ଇଲେକ୍ଟ୍ରିକ୍ ବସ୍ ଭଳି ଭିତ୍ତିଭୂମିରେ ଅଭୂତପୂର୍ବ ନିବେଶ କରାଯାଉଛି। ସେ ଅଟଳ ସେତୁ ଏବଂ କୋଷ୍ଟାଲ ରୋଡ୍ ଭଳି ପ୍ରକଳ୍ପଗୁଡ଼ିକୁ ଏହି ବିକାଶର ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ।ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଯାତ୍ରୀମାନଙ୍କୁ ଅସୁବିଧା ବିନା ମୋଡ୍ ପରିବର୍ତ୍ତନ କରିବାର ଆବଶ୍ୟକତାକୁ ଦୂର କରି, ନିର୍ବିଘ୍ନ ଯାତ୍ରା ସୁନିଶ୍ଚିତ କରିବା ପାଇଁ ସମସ୍ତ ପରିବହନ ପଦ୍ଧତିକୁ ଏକୀକୃତ କରିବା ଲାଗି ପ୍ରୟାସ ଚାଲିଛି। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ଭାରତ “ଏକ ରାଷ୍ଟ୍ର, ଏକ ଗତିଶୀଳତା” ଦୃଷ୍ଟିକୋଣ ଆଡ଼କୁ ଆଗକୁ ବଢ଼ୁଛି। ମୁମ୍ବାଇ ୱାନ୍ ଆପ୍ ଏହି ଦିଗରେ ଆଉ ଏକ ପଦକ୍ଷେପ, ଯାହା ନାଗରିକମାନଙ୍କୁ ଟିକେଟ୍ ପାଇଁ ଲମ୍ବା ଧାଡ଼ିରୁ ରକ୍ଷା କରିପାରିବ ବୋଲି ସେ କହିଛନ୍ତି। ଏହି ଆପ୍ କୁ ବ୍ୟବହାର କରି, ସ୍ଥାନୀୟ ଟ୍ରେନ୍, ବସ୍, ମେଟ୍ରୋ ଏବଂ ଟ୍ୟାକ୍ସିରେ ଗୋଟିଏ ଟିକେଟ୍ ବ୍ୟବହାର କରାଯାଇପାରିବ।ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ , ଭାରତର ଆର୍ଥିକ ରାଜଧାନୀ ଏବଂ ଏହାର ସବୁଠାରୁ ସ୍ପନ୍ଦନଶୀଳ ସହର ମଧ୍ୟରୁ ଗୋଟିଏ ମୁମ୍ବାଇକୁ ୨୦୦୮ ଆକ୍ରମଣରେ ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ। ସେ ମନ୍ତବ୍ୟ ଦେଇଛନ୍ତି ଯେ, ସେତେବେଳେ କ୍ଷମତାରେ ଥିବା ସରକାର ଦୁର୍ବଳତାର ବାର୍ତ୍ତା ଦେଇ ଆତଙ୍କବାଦ ନିକଟରେ ଆତ୍ମସମର୍ପଣ କରିଥିଲେ। ଶ୍ରୀ ମୋଦୀ ଜଣେ ବରିଷ୍ଠ ବିରୋଧୀ ଦଳ ନେତା ଏବଂ ପୂର୍ବତନ ଗୃହମନ୍ତ୍ରୀଙ୍କ ଦ୍ୱାରା ସମ୍ପ୍ରତି ପ୍ରକାଶିତ ଏକ ପ୍ରକାଶନକୁ ଉଲ୍ଲେଖ କରିଥିଲେ, ଯେଉଁଥିରେ ସେ ଦାବି କରିଛନ୍ତି ଯେ ମୁମ୍ବାଇ ଆକ୍ରମଣ ପରେ, ଭାରତର ସଶସ୍ତ୍ର ବାହିନୀ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲେ। ସେ ସେଥିରେ ଉଲ୍ଲେଖ କରିଛନ୍ତି ଯେ ସମଗ୍ର ଦେଶ ଏପରି କାର୍ଯ୍ୟକୁ ସମର୍ଥନ କରିଥିଲା। ତଥାପି, ବିରୋଧୀ ନେତାଙ୍କ ଅନୁଯାୟୀ, ଏକ ବିଦେଶୀ ଦେଶର ଚାପ ଯୋଗୁଁ ସରକାର ସାମରିକ ପ୍ରତିକ୍ରିୟାକୁ ସ୍ଥଗିତ ରଖିଥିଲେ। ପ୍ରଧାନମନ୍ତ୍ରୀ ବିରୋଧୀ ଦଳକୁ ଏହି ନିଷ୍ପତ୍ତିକୁ କିଏ ପ୍ରଭାବିତ କରିଛି ତାହା ସ୍ପଷ୍ଟ କରିବାକୁ ଦାବି କରି କହିଥିଲେ ଯେ, ଏହା ମୁମ୍ବାଇ ଏବଂ ଦେଶର ଭାବନାକୁ ଆଘାତ ଦେଇଛି। ସେ ଜୋର ଦେଇ କହିଥିଲେ ଯେ, ବିରୋଧୀ ଦଳର ଦୁର୍ବଳତା ଆତଙ୍କବାଦୀଙ୍କୁ ସାହସ ଦେଇଛି ଏବଂ ଜାତୀୟ ସୁରକ୍ଷାକୁ ବିପଦରେ ପକାଇଛି, ଦେଶର ନିରୀହ ଲୋକମାନଙ୍କ ଜୀବନ ଯାଇଛି।