
ଭୁବନେଶ୍ବର: ମହାକାଶ ଯିବ ଭାରତର ପ୍ରଥମ ଅର୍ଦ୍ଧ-ମାନବ ରୋବଟ୍ ‘ବ୍ୟୋମମିତ୍ର’ । ପ୍ରଥମ ଥର ପାଇଁ ମହାକାଶ ଯିବ ଓଡ଼ିଶା ମାଟିରେ ଓଡ଼ିଆଙ୍କ ହାତରେ ନିର୍ମାଣ ହୋଇଥିବା ମହିଳା ରୋବୋଟ୍ । ଇସ୍ରୋ ଏବଂ ସିଟିଟିସି ଭୁବନେଶ୍ବର ଦ୍ବାରା ପ୍ରସ୍ତୁତ ହୋଇଛି ଏହି ମହିଳା ରୋବୋଟ୍ ‘ବ୍ୟୋମମିତ୍ର’ । ଚଳିତ ବର୍ଷ ଡିସେମ୍ବରରେ ଇତିହାସ ସୃଷ୍ଟି କରିବାକୁ ଯାଉଛି ଭାରତ । କାରଣ ISRO ପ୍ରଥମ ଥର ପାଇଁ ମହିଳା ମାନବୀୟ ରୋବୋଟକୁ ମହାକାଶକୁ ପଠାଇବବାକୁ ଯାଉଛି । ଯାହା ମହାକାଶ ଅନୁସନ୍ଧାନରେ ସାହାଯ୍ୟ କରିବ ।ଏହା ବ୍ୟତୀତ, ମହାକାଶକୁ ଏକ ମାନବୀୟ ଟିମ୍ ପଠାଇବା ପୂର୍ବରୁ ବିଭିନ୍ନ ପରିବେଶଗତ ପରୀକ୍ଷା ମଧ୍ୟ କରିବ । ପ୍ରଥମ ଥର ପାଇଁ ଏକ ମହିଳା ମାନବ ସଦୃଶ ବା ହ୍ୟୁମାନଏଡ୍ ରୋବୋଟ୍କୁ ମହାକାଶକୁ ପଠାଯିବ । ଏହି ରୋବଟକୁ ଗଗନଯାନ ମିଶନ ପାଇଁ ଡିଜାଇନ୍ କରାଯାଇଛି । ଏହାରି ଭିତରେ ସବୁଠାରୁ ଖାସ କଥା ହେଉଛି ଏଥିରେ ଯିବାକୁ ଥିବା ହ୍ୟୁମାନଏଡ୍ ରୋବୋଟ୍-ବ୍ୟୋମମିତ୍ରକୁ ଓଡ଼ିଶାରେ ନିର୍ମାଣ କରାଯାଉଛି । ଭୁବନେଶ୍ୱର ସ୍ଥିତ CTTCରେ ଏହାକୁ ନିର୍ମାଣ କରାଯାଉଛି । ସଂସ୍କୃତ ଶବ୍ଦ ବ୍ୟୋମ ଅର୍ଥାତ ମହାକାଶ ଏବଂ ମିତ୍ର ଅର୍ଥାତ ବନ୍ଧୁରୁ ଏହାର ନାମକରଣ କରାଯାଇଛି ।ବ୍ୟୋମମିତ୍ର ଠିକ୍ ମଣିଷ ଭଳି କାର୍ଯ୍ୟ କରିପାରିବ । ଯେପରିକି କଥାବାର୍ତ୍ତା, ମୁଖର ଭାବଭଙ୍ଗୀ ଏବଂ ଚଳପ୍ରଚଳ କରିବ । କିନ୍ତୁ ଏହାର ଗୋଡ଼ ନାହିଁ । ଇସ୍ରୋର ମାର୍ଗଦର୍ଶନରେ CTTCରେ ଦୁଇ ବର୍ଷ ମଧ୍ୟରେ ଏହାକୁ ବିକଶିତ କରାଯାଇଛି । ଏହି ରୋବଟ୍ ବିକିରଣ ଏବଂ ତାପମାତ୍ରାରେ ପରିବର୍ତ୍ତନ ଭଳି ମହାକାଶର କଠିନ ପରିସ୍ଥିତିକୁ ସହ୍ୟ କରିପାରିବ । ବ୍ୟୋମମିତ୍ର ୨୦୨୫ ଡିସେମ୍ବରରେ ଗଗନଯାନର ପ୍ରଥମ ମାନବରହିତ ପରୀକ୍ଷଣରେ ଉଡ଼ାଣ ଭରିବ । ଏହା କ୍ୟାବିନର ପାରାମିଟର ତଥା ଚାପ, ଅମ୍ଳଜାନ ଓ ଆର୍ଦ୍ରତା ଉପରେ ନଜର ରଖିବା ସହ ପୃଥିବୀକୁ ତଥ୍ୟ ପଠାଇବ ।AI ସହିତ ହିନ୍ଦୀ ଏବଂ ଇଂରାଜୀରେ କଥା ବୁଝିବ । ଏହି ରୋବଟ ଅର୍ଦ୍ଧ ସ୍ବୟଂ ଶାସିତ ନିଷ୍ପତ୍ତି ନେବାର କ୍ଷମତା ରଖିଛି । ମହାକାଶ ପରିବେଶରେ ମାନବକାର୍ଯ୍ୟକୁ ଅନୁକରଣ କରିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି । କହିରଖୁଛୁ, ୨୦୨୦ ମସିହାରେ ISRO ପ୍ରଥମ ଥର ପାଇଁ ‘ବ୍ୟୋମମିତ୍ର’କୁ ଉନ୍ମୋଚନ କରିଥିଲା । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଗଗନଯାନ ମିଶନର ଅଂଶ ଭାବରେ ଏକ ହ୍ୟୁମାନଏଡ୍ ରୋବୋଟକୁ ମହାକାଶକୁ ପଠାଇବା ପାଇଁ ଯୋଜନା ରଖିଛି ISRO । ଯାହା ଭାରତ ପାଇଁ ନିଶ୍ଚୟ ଭାବରେ ଏକ ଗର୍ବର ବିଷୟ ।