
ଛତ୍ରପୁର : ୧୮/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅଞ୍ଚଳରେ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ୍ଗୁଡ଼ିକରେ ଚୋରି ଓ ନିଆଁ ଘଟଣାରେ ପୁଲିସ୍ ଦୁଇ ଅଭିଯୁକ୍ତ ଅନିଲ କୁମାର ଗମାଙ୍ଗୋ ଓ ସଞ୍ଜିତ ନାୟକଙ୍କୁ ଗିରଫ କରିଛି ଛତ୍ରପୁର ପୋଲିସ୍ । ଅଭିଯୁକ୍ତ ମାନଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯିବ। ଛତ୍ରପୁର ଥାନାରେ ରେଜିଷ୍ଟ୍ରେସନ୍ ହୋଇଥିବା ତିନୋଟି ମାମଲା (କେସ୍ ନଂ. 450/25, 555/25, 629/25) ଏହି ଘଟଣା ସହ ଜଡ଼ିତ।
ପ୍ରଥମ ଦୁଇଟି ମାମଲାରେ ରେଖାସ୍ ଡିଜିଟାଲ୍ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ୍ରୁ ୧୧ଟି ଲ୍ୟାପ୍ଟପ୍, ଏକ ପ୍ରିଣ୍ଟର୍ ଓ ଏକ ପ୍ରୋଜେକ୍ଟର୍ ଚୋରି ହୋଇଥିଲା, ଯାହାର ମୂଲ୍ୟ ପାଞ୍ଚ ଲକ୍ଷ ଟଙ୍କା। ପରେ ଏଡ୍ୟୁକେୟାର୍ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ୍ରେ ସାମଗ୍ରୀ ନଷ୍ଟ କରି ନିଆଁ ଲଗାଯାଇଥିଲା ଓ ଇଂରାଜୀରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଥିଲା। ଏହା କେସ୍ ନଂ. 629/25ରେ ଅନ୍ତର୍ଭୁକ୍ତ।
ସାଇବର୍ ସେଲ୍ର ସହାୟତାରେ ତଦନ୍ତରେ ଅନିଲ୍ଙ୍କୁ ଗିରଫ କରାଯାଇଥିଲା। ଗଜପତି ଜିଲ୍ଲାର ବାସିନ୍ଦା ଅନିଲ୍ ଛତ୍ରପୁରରେ ରହୁଛନ୍ତି। ସେ ଚୋରି ସାମଗ୍ରୀ ସୋରଡ଼ାରେ ରହୁଥିବା ସଞ୍ଜିତଙ୍କୁ ବିକ୍ରି ପାଇଁ ଦେଇଥିବା ସ୍ୱୀକାର କରିଛନ୍ତି। ପୁଲିସ୍ ସୋରଡ଼ାରେ ରେଡ୍ କରି ସଞ୍ଜିତଙ୍କ ଠାରୁ ସମସ୍ତ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ପୁଲିସ୍ର ଦ୍ରୁତ କାର୍ଯ୍ୟାନୁଷ୍ଠାନକୁ ସହରବାସୀ ପ୍ରଶଂସା କରିଛନ୍ତି। ଅଧିକ ତଦନ୍ତ ଜାରି ରହିଛି ବୋଲି ଗଂଜାମ ଏସପି ଶୁଭେନ୍ଦୁ ପାତ୍ର କହିଛନ୍ତି ।