
ପୁରୀ : ହାଇଦ୍ରାବାଦରୁ ପୁରୀରେ ପହଁଚିଲା ଶିକ୍ଷୟିତ୍ରୀଙ୍କ ମରଶରୀର । ଶୋକାକୁଳ ପରିବେଶରେ ହୋଇଛି ଶବ ସତ୍କାର । ଓଡ଼ିଆ ଶିକ୍ଷୟତ୍ରୀଙ୍କୁ ହାଇଦ୍ରାବାଦରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ସେ କାର୍ଯ୍ୟ କରୁଥିବା କମ୍ପାନୀ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ଅସହଯୋଗ କରିବା ସହ କୌଣସି ଆର୍ଥିକ ସହାୟତା ମଧ୍ୟ ଦେଇନଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।ଆଜି ଭୁବନେଶ୍ୱରରେ ଓଡ଼ିଆ ଶିକ୍ଷୟତ୍ରୀଙ୍କ ମୃତଦେହ ପହଁଚିବା ପରେ ପୁରୀ ସ୍ଵର୍ଗଦ୍ଵାର ଅଣାଯାଇ ଶେଷ କୃତ୍ୟ ସଂପନ୍ନ ହୋଇଛି । ମୃତ ଶିକ୍ଷୟତ୍ରୀ ହେଉଛନ୍ତି ଭୁବନେଶ୍ୱର ଭରତପୁର ଅଞ୍ଚଳର ଅନିନ୍ଦିତା ମହନ୍ତ । ସେ ଗତ ୬ ମାସ ହେବ ହାଇଦ୍ରାବାଦ କୋମପଲ୍ଲୀ ସ୍ଥିତ ଅପର୍ଣ୍ଣା କନଷ୍ଟ୍ରକସନ୍ ପରିସରରେ ଥିବା ଏକ ସ୍କୁଲରେ ଶିକ୍ଷୟତ୍ରୀଙ୍କୁ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ସ୍ଵାମୀ ଗୌତମ ଚରଣ ଘଡାଇ ମଧ୍ୟ ସେଠାରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ ।ବିଦେଶରେ ଚାକିରି ପାଇଁ ଗୌତମ ଗତ ୧୩ ତାରିଖରେ ଭୁବନେଶ୍ଵର ଆସିଥିବାବେଳେ ହଠାତ୍ ୧୫ ତାରିଖ ରାତିରେ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଫୋନ୍ ଯୋଗେ ସୂଚନା ଦିଆଯାଇଥିଲା । ସେ କମ୍ପାନୀରେ ପହଁଚିବା ପରେ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଅସହଯୋଗ କରିଥିଲେ । ସେ ଚାକିରୀ କରୁଥିବା ସଂସ୍ଥାର ସିକ୍ୟୁରିଟି ମୁଖ୍ୟ ଚନ୍ଦ୍ରଶେଖର ଏହି ଘଟଣା ପାଇଁ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି ।ଓଡ଼ିଶା ସରକାର ଏହି ଘଟଣାରେ ହସ୍ତକ୍ଷେପ କରି ଘଟଣାର ଉପଯୁକ୍ତ ତଦନ୍ତ ସହ ଆର୍ଥିକ ସହାୟତା ପ୍ରଦାନ କରିବାକୁ ପରିବାର ଲୋକେ ଗୁହାରି କରିଛନ୍ତି । ଗୌତମ ଓ ଅନିନ୍ଦିତାଙ୍କ ଗୋଟିଏ ପୁଅ ଅଛି । ପୁରୀ ସ୍ୱର୍ଗଦ୍ୱାରର ଶୋକାକୁଳ ପରିବେଶ ମଧ୍ୟରେ ଅନିନ୍ଦିତାଙ୍କ ଶବ ସତ୍କାର ହୋଇଛି । ତାଙ୍କ ଭଣଜା ଶୁଭମ୍ ଘଡେ଼ଇ ମୁଖଗ୍ନି ଦେଇଛନ୍ତି ।