
ଭଞ୍ଜନଗର ୨୮/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବାତ୍ୟା ପ୍ରଭାବରେ ସୋମବାର ମଧ୍ୟାହ୍ନରୁ ଉପଖଣ୍ଡ ର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ମଙ୍ଗଳବାର ବର୍ଷାର ପରିମାଣ ବଢିଛି। ଗତ ୨୪ ଘଣ୍ଟା ମଧ୍ୟରେ ଉପଖଣ୍ଡର ଭଞ୍ଜନଗର ବ୍ଲକରେ ୨୩ ମିମି, ବେଲଗୁଣ୍ଠାରେ ୨୧ ମିମି, ଜଗନ୍ନାଥପ୍ରସାଦରେ ୨୦.୨ ମିମି, ବୁଗୁଡାରେ ୨୧ ମିମି, ଆସିକାରେ ୪୫.୮ ମିମି, ଧରାକୋଟରେ ୩୫ ମିମି, ଶେରଗଡ଼ରେ ୫୪ ମିମି ଓ ସୋରଡ଼ା ବ୍ଲକରେ ୨୭ ମିମି ବର୍ଷା ହୋଇଥିବା ଜଣାପଡିଛି। ବର୍ଷା ଲାଗି ରହିଥିବାରୁ ଉପଖଣ୍ଡର ଚାରି ଜଳଭଣ୍ଡାର ସମେତ ଋଷିକୁଲ୍ୟା,ବଡ,ବୋଡା, ପଦ୍ମା ଓ ଜରଉ ନଦୀର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ଭଞ୍ଜନଗର ଜଳସଂପଦ ବିଭାଗର ବନ୍ୟା ନିୟନ୍ତ୍ରଣ କକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ବର୍ତମାନ ସୁଦ୍ଧା ଭଞ୍ଜନଗର ଜଳଭଣ୍ଡାରରେ ୮୯.୨୩ ପ୍ରତିଶତ, ଡହରେ ୮୬.୭୯ ପ୍ରତିଶତ, ସୋରଡ଼ା ଜଳଭଣ୍ଡାରରେ ୯୨. ୮୮ ପ୍ରତିଶତ ଓ ବାଘୁଆ ଜଳଭଣ୍ଡାରରେ ୬୧.୪୩ ପ୍ରତିଶତ ଜଳ ରହିଛି । ବର୍ଷା ଓ ବନ୍ୟା ଆଶଙ୍କାରେ ଜଳଭଣ୍ଡାର ସୁରକ୍ଷା ପାଇଁ ଡହ ଓ ସୋରଡ଼ା ଜଳଭଣ୍ଡାରରୁ ଜଳ ଛଡାଯାଉଛି। ଏଥିପାଇଁ ତଳିଆ ଅଞ୍ଚଳ ଲୋକେ ସତର୍କ ରହିବାକୁ ଡ଼ାକବାଜି ଯନ୍ତ୍ରରେ ସତର୍କ କରାଇ ଦିଆଯାଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଉପଖଣ୍ଡର ୩ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଛୋଟ ପିଲାଙ୍କୁ ବିସ୍କୁଟ, କ୍ଷୀର ଓ ବଡ଼ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି।ଭୁସ୍ଖଳନ ଆଶଙ୍କାରେ କଳିଙ୍ଗା ଘାଟି ରାସ୍ତା କୁ ସିଲ୍ କରାଯାଇଛି।