ଜଗନ୍ନାଥପ୍ରସାଦ: ଅଜଣା ରୋଗ ଯନ୍ତ୍ରଣାରେ ଛଟପଟ ଭେଣ୍ଡିଆ ପୁଅ

ଜଗନ୍ନାଥପ୍ରସାଦ ୨୭/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଜଗନ୍ନାଥପ୍ରସାଦ ବ୍ଲକ୍ ପ୍ରତାପୁର ପଞ୍ଚାୟତ ଅତରାଇପଲ୍ଲୀ ଗ୍ରାମର କୃପା ନାଇକ ଓ କୁନି ନାଇକଙ୍କ ଏକମାତ୍ର ପୁଅ ଅରୁଣ (୨୨)। ଜନ୍ମରୁ ଅଜଣା ରୋଗର ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ବୟସ ଯେତେ ବଢୁଛି ସେହି ଅନୁପାତରେ ଦୁଇ ଗୋଡ଼ ବି ଫୁଲିବାରେ ଲାଗୁଛି ଫଳରେ ଅରୁଣ ଚଲାବୁଲା କରିବାକୁ ସମର୍ଥ ହୋଇପାରୁ ନାହିଁ ।
ଅରୁଣ ଗାଁ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ସାରି ଅଷ୍ଟମ ଶ୍ରେଣୀ ପଢ଼ିବାକୁ ହାଇସ୍କୁଲ୍‌ରେ ନାମ ଲେଖାଇଥିଲେ କିନ୍ତୁ ଗୋଡ଼ ପାଇଁ ବିଭିନ୍ନ ଟାହିଟାପରା ଶୁଣିବାକୁ ପଡ଼ିବାରୁ ବାପାମାଆ ତାଙ୍କ ପାଠପଢ଼ା ବନ୍ଦ କରିଦେଇଥିଲେ । ଏହାମଧ୍ୟରେ ୨୦ ବର୍ଷ ବିତିସାରିଥିବା ବେଳେ ଅରୁଣଙ୍କ ରୋଗ ଯନ୍ତ୍ରଣା କମିବା ବଦଳରେ ଆହୁରି ବଢ଼ିବାରେ ଲାଗିଛି। ତଥାପି ପରିବାରର ଦୁର୍ବଳ ଆର୍ଥିକ ଅବସ୍ଥା ଦେଖି ଗାଁର କିଛି ଯୁବକଙ୍କ ସହ କାମ କରିବାକୁ ଅରୁଣ ଘରୁ ପାଦକାଢ଼ି ବାହାର ରାଜ୍ୟକୁ ଯାଇଥିଲେ। କିନ୍ତୁ ସେ ଫେରି ଆସିଛନ୍ତି।
ଗୋଡ଼ ଓଜନିଆ ହୋଇଯାଇଥିବା କାରଣରୁ ଅଧିକ ଚଲାବୁଲା କରିପାରୁନାହାନ୍ତି କି କୌଣସି କାମ କରିପାରୁନାହାନ୍ତି। ଅଧିକାଂଶ ସମୟ ତାଙ୍କୁ ଘରବାରଣ୍ଡାରେ ବସି ରହୁଥିବା ଦେଖିବାକୁ ମିଳିଛି । ଶରୀରର ଓଜନ ବି ବଢ଼ିବାରେ ଲାଗିଛି। ଅନେକ ଡାକ୍ତରଙ୍କ ପାଖକୁ ନେଇ ଦେଖାଇଥିଲେ ହେଁ, କୌଣସି ସୁଫଳ ମିଳୁ ନଥିବାରୁ ବାପାମାଆ ଏବେ ଭଗବାନଙ୍କ ଭରସାରେ ରହିଛନ୍ତି। କାରଣ ଉତ୍ତମମାନର ଚିକିତ୍ସା ପାଇଁ ପାଖରେ ସମ୍ବଳ ନଥିବା ବେଳେ ଏଭଳି ଘଡ଼ିସନ୍ଧି ସମୟରେ ସରକାରୀ ସହାୟତାର ଅପେକ୍ଷାରେ ସେମାନେ ରହିଛନ୍ତି। ଅନ୍ୟପକ୍ଷରେ ବାପାମାଆ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ବେଳେ ପୁଅର ଚିକିତ୍ସା ପାଇଁ ସମ୍ବଳ ଯୋଗାଡ଼ କରି ଦୁଇଝିଅଙ୍କ ବାହାଘର କଷ୍ଟେମଷ୍ଟେ ସରିଛି | ପୁଅର ଉତ୍ତମ ଚିକିତ୍ସା ପାଇଁ ସରକାର ସହାୟତାର ହାତ ବଢ଼ାନ୍ତୁ ବୋଲି ବାପାମାଆ ନିବେଦନ କରିଛନ୍ତି।