ଅମଳ ସମୟରେ ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ; ଚିନ୍ତାରେ ଚାଷୀ

ଗଞ୍ଜାମ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଗଞ୍ଜାମ ଜିଲ୍ଲାରେ ସୋମବାର ସକାଳୁ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି । ରବିବାର ଦିନଠାରୁ ପାଗ ମେଘୁଆ ରହିଥିବା ବେଳେ ସୋମବାର ଦିନ ଝିପିଝିପି ବର୍ଷାରେ ଧାନ ଓ ପରିବା ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଦିନ ସାରା ଲଗାଣ ଝିପିଝିପି ବର୍ଷା ଫଳରେ ଅନେକ ଚାଷ ଜମିରେ କଟା ଧାନ ସବୁ ଓଦା ହୋଇଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଚଳିତ ବର୍ଷ ବର୍ଷାର ଅଭାବରୁ ଚାଷ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା । ତଥାପି ଭଞ୍ଜନଗର, ଡହ, ସୋରଡା ଓ ବାଘୁଆ ଜଳଭଣ୍ଡାରରୁ ଜଳ ଯୋଗାଣ ସାଙ୍ଗକୁ ଆବଶ୍ୟକ ବେଳେ ବର୍ଷା ହୋଇଥିବାରୁ ଚଳିତ ବର୍ଷ ଭଲ ଫସଲ ହୋଇଥିଲା । ଏବେ କେତେକ ଚାଷୀ ଧାନ ଫସଲ କାଟି ଖଳାରେ ଜମାକରି ରଖିଛନ୍ତି ଏବଂ ଅନେକ ଚାଷୀ ଧାନକୁ କାଟି ଜମିରେ ରଖିଥିବା ବେଳେ ଅଦିନିଆ ଝିପିଝିପି ବର୍ଷା ଯୋଗୁଁ ତାହା ଓଦା ହୋଇଯାଇଛି । ଏହି ବର୍ଷାର ପ୍ରଭାବରେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ହଜାର ହଜାର ହେକ୍ଟର ଜମିରେ ହୋଇଥିବା ଧାନ ଓ ପରିବା ଫସଲ ନଷ୍ଟ ହେବାର ଆଶଙ୍କା ଯୋଗୁଁ ଚାଷୀ ଚିନ୍ତାରେ ପଡିଥିବା ଜଣାଯାଇଛି । ଅନ୍ୟ ପକ୍ଷରେ ଦିନସାରା କୋହଲା ପାଗ ସହ ଝିପିଝିପି ବର୍ଷା ହେତୁ ସାଧାରଣ ଜୀବନଯାତ୍ରା ମଧ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।