
ଭଞ୍ଜନଗର ୦୪/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଘୁମୁସର ଉନ୍ନୟନ ମଞ୍ଚ ଭୁବନେଶ୍ବର ଓ ଘୁମୁସର ବିକାଶ ପରିଷଦ, ଭଞ୍ଜନଗର ମିଳିତ ଉଦ୍ୟମରେ ଆୟୋଜନ କରାଯାଉଥିବା ଘୁମୁସର ମହୋତ୍ସବର ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଯୋଗ ଦେବା ନିମନ୍ତେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଉଭୟ ସଂସ୍ଥାର ସଭାପତି ବାଲ୍ମିକୀ ପଟ୍ଟନାୟକ ଓ ବରିଷ୍ଠ ଆଇନଜୀବି ସୋମନାଥ ନାୟକ ଓ ବରିଷ୍ଠ ବିଜେପି ନେତା ମହେଶ୍ଵର ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ନିମନ୍ତ୍ରଣ କରିଛନ୍ତି I
ଉତ୍କଳର ଉତ୍କୃଷ୍ଟ, ଓଡିଶାର ବିରଳ ଘୁମୁସର ମାଟି କଳା, ସଂସ୍କୃତି, ସାହିତ୍ୟ, ସାଧନା ଓ ବୀର ଭୂମିର ଝଲକ ଆଗାମୀ ଫେବୁୟାରି ୧୦ ଓ ୧୧ ତାରିଖ ରେ ଆଡମ୍ବର ସହକାରେ ଭଞ୍ଜକଳା ମଣ୍ଡପ ଭୁବନେଶ୍ବର ଠାରେ ଘୁମୁସର ମହୋତ୍ସବ ପ୍ରଦର୍ଶନ କରାଯିବାର ବିଧିବଦ୍ଧ କାର୍ଯ୍ୟକ୍ରମ ରହିଛି I ଘୁମୁସର ଅଞ୍ଚଳର ଲୋକକଳା ଓ ଲୋକ ନୃତ୍ୟ କୁ ମହାଆଡମ୍ବରରେ ପାଳନ କରିବାକୁ ଯାଉଅଛି । ଯେଉଁଠି ଓଡିଆ ଭାଷା ସୁରକ୍ଷା ଅସ୍ମିତା ବୀର ଚକରା ଓ ଦୋହରା, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କୀର୍ତ୍ତି ଗାଥା ସହ ପୁରାତନ ସଖୀ ନାଚ, ଭାରତ ଲୀଳା,ଦୁଆରି, ନବରଙ୍ଗୀ, ଦାସକାଠିଆ, ଘୁଡିକି, ଗାହଣ, ପ୍ରହଲ୍ଲାଦ ନାଟକ, ରାଧାପ୍ରେମ ଲୀଳା, କୃଷ୍ଣଲୀଳା , ଘୋଡା ନାଚ, ଯୋଡି ଶଙ୍ଖ, କାଠି ନାଚ, କେନ୍ଦରା, ପଶୁମୁଖା, ବାଘ ନାଚ, କଣ୍ଢେଇ ଅପେରା, ଡେରାବେଶ, ଢୋଲା, ଢଣକୋଇଲା, ଓଡିଶୀ ଓ ଭଞ୍ଜ ସଙ୍ଗୀତ ପରିବେଷଣ ଓ ଘୁମୁସର ଅଞ୍ଚଳର ଗୋବର କଣ୍ଢେଇ, ପିତଳ ମାଛ, କାଷ୍ଟକାରିଗରୀ କାମ ପ୍ରଦର୍ଶିତ ହେବା ପାଇଁ ସ୍ଥିର କରାଯାଇଅଛି I