
ଲକ୍ଷ୍ନୌ (ଏଜେନ୍ସି): ଜ୍ଞାନବ୍ୟାପୀ ମସଜିଦରେ ଆରମ୍ଭ ହେଲା ଏଏସଆଇ ସର୍ଭେ । ଗୁରୁବାର ଆହ୍ଲାବାଦ ହାଇକୋର୍ଟ ମସଜିଦ ପରିସରରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ (ASI) ପକ୍ଷରୁ ସାଇଣ୍ଟିଫିକ ସର୍ଭେ ପାଇଁ ଅନୁମତି ଦେବା ପରେ ଆଜି (ଶୁକ୍ରବାର) ସକାଳୁ ଏଏସଆଇର ଏକ ଟିମ୍ ବାରଣାସୀ ସ୍ଥିତ ଜ୍ଞାନବ୍ୟାପୀ ମସଜିଦରେ ପହଞ୍ଚିଛନ୍ତି । କଡା ସୁରକ୍ଷା ମଧ୍ୟରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ସପ୍ତଦଶ ଶତାବ୍ଦୀର ଏହି ମସଜିଦ ବାସ୍ତବରେ ଏକ ମନ୍ଦିର ଉପରେ ନିର୍ମାଣ ହୋଇଛି କି ନାହିଁ ତାହାର ଅନୁଧ୍ୟାନ କରିବ ଏଏସଆଇ ଟିମ୍ ।
ବାରଣାସୀର କାଶୀ ବିଶ୍ବନାଥ ମନ୍ଦିର ପାର୍ଶ୍ବରେ ଥିବା ଜ୍ଞାନବ୍ୟାପୀ ମସଜିଦ ମନ୍ଦିର ଉପରେ ନିର୍ମାଣ ହୋଇଛି ବୋଲି ହିନ୍ଦୁ ପକ୍ଷ ଦାବି କରୁଛନ୍ତି । ଏଥିପାଇଁ ପୂର୍ବରୁ ବାରଣାସୀ ଜିଲ୍ଲା କୋର୍ଟ ମସଜିଦ ପରିସରରେ ଏଏସଆଇ ସର୍ଭେ ପାଇଁ ଅନୁମତି ଦେଇଥିଲେ । ହେଲେ ସର୍ଭେ ହେଲେ ମସଜିଦ କମ୍ପ୍ଲେକ୍ସ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦର୍ଶାଇ ଅଞ୍ଜୁମନ ଇନ୍ତେଜାମିଆ ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ଗତକାଲି ରାୟରେ ଜିଲ୍ଲା କୋର୍ଟଙ୍କ ରାୟ କାଏମ ରଖିଥିଲେ । ଏବେ ମସଜିଦ କମିଟି ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି । ଆଜି ସର୍ବୋଚ୍ଚ ଅଦାଲତରେ ଏହି ଆବେଦନର ଶୁଣାଣି ହେବାକୁ ଥିବାବେଳେ ଆଜି ସକାଳୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।
ଅନ୍ୟପଟେ ସର୍ବେକ୍ଷଣ ପୁଣି ଆରମ୍ଭ ହେବା ନେଇ ବାରଣାସୀ ଜିଲ୍ଲାପାଳ ଏସ୍ ରାଜଲିଙ୍ଗମ କହିଛନ୍ତି ଯେ, ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ ଆଜି ସର୍ଭେ ଆରମ୍ଭ କରିବା ପାଇଁ ଜିଲ୍ଲା ପ୍ରଶାସନର ସହାୟତା ଲୋଡିଥିଲେ । ସର୍ଭେ ସମୟରେ କଡା ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାରୁ ବାରଣାସୀ ପୋଲିସ କମିଶନରଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇଥିଲା । ଏବେ ସର୍ଭେ କାର୍ଯ୍ୟ ଆରମ୍ଭ ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଆହ୍ଲାବାଦ ହାଇକୋର୍ଟ ଏଏସଆଇ ସର୍ଭେ ସମ୍ପର୍କିତ ଜିଲ୍ଲା କୋର୍ଟଙ୍କ ରାୟକୁ ଯୁକ୍ତିଯୁକ୍ତ ଓ ଠିକ୍ ବୋଲି କହିଥିଲେ । ନ୍ୟାୟ ପାଇଁ ଏହି ସର୍ବେକ୍ଷଣ ଆବଶ୍ୟକ । ସର୍ଭେ ଦ୍ବାରା ମସଜିଦକୁ କୌଣସି କ୍ଷତି ପହଞ୍ଚିବନି । ମସଜିଦ ପରିସରରେ କୌଣସି ଖନନ କରାନଯିବା ଉଚିତ୍ ବୋଲି କହିଥିଲେ କୋର୍ଟ ।