
ରାଇରଙ୍ଗପୁର ତା ୯/୧/୨୦୨୬ (ଶ୍ଯାମଳେନ୍ଦୁ ପରିଡା): ସ୍ଥାନୀୟ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ରବି ଶଙ୍କର ଶତପଥୀଙ୍କ ସଭାପତିତ୍ଵରେ ୪୫ତମ ବାର୍ଷିକ ଓ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ସାଂସଦ ମାନ୍ୟବର ଶ୍ରୀଯୁକ୍ତ ନବ ଚରଣମାଝୀ , ମୁଖ୍ୟ ବକ୍ତା ଭାବେ ରାଇରଙ୍ଗପୁର ବିଧାୟକ ମାନ୍ୟବର ଶ୍ରୀ ଯୁକ୍ତ ଜଲେନ ନାଏକ, ସମ୍ମାନୀତ ଅତିଥି ଭାବେ ରାଇରଙ୍ଗପୁର ପୌରପାଳିକା ର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ରାଇରଙ୍ଗପୁର ଏସ୍.ଡି.ପି.ଓ ଶ୍ରୀ ଯୁକ୍ତ ଗୋକୁଳା ନନ୍ଦ ସାହୁ, ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ପ୍ରଦୀପ କୁମାର ମିଶ୍ର,ସମାଜ ସେଵୀ ନବୀନ କୁମାର ରାମ, ସୁରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ମାନେ ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟରେ କହିଥିଲେ ଯେ ନାରୀ ସକଳ ଶକ୍ତିର ଆଧାର ,ତେଣୁ ନାରୀ ଶକ୍ତିର ପରାକାଷ୍ଠା ଓ ନିଦର୍ଶନର ଦୃଷ୍ଟାନ୍ତ ଦେଇ ନିଜ ଦକ୍ଷତାର ପ୍ରତିପାଦନ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ସଂପ୍ରତି ଶିକ୍ଷାର ଡିଗ୍ରୀ ନୁହେଁ ଦକ୍ଷତା ହିଁ ଶିକ୍ଷାର୍ଥୀର ପ୍ରକୃତ ଓ ଉପଯୁକ୍ତ ମାନଦଣ୍ଡ ବୋଲି ଅତିଥି ତାଙ୍କ ବକ୍ତବ୍ୟ ରେ ମତ ପୋଷଣ କରିଥିଲେ। ମାନ୍ୟବର ସାଂସଦ ଓ ବିଧାୟକ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସଦା ତତ୍ପର ଓ ବାମନଘାଟୀ ରେ ଏହି ମହା ବିଦ୍ୟାଳୟକୁ ଶ୍ରେଷ୍ଠ ମହାବିଦ୍ୟାଳୟରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନୀତ ଅତିଥି ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ କଲେଜର ପ୍ରତିଷ୍ଠାତା ସ୍ବର୍ଗତ ପରିମଳ ପଟ୍ଟନାୟକ ଓ ଅନୁଷ୍ଠାନ ସହିତ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷଙ୍କ ସ୍ମୃତି ଚାରଣ କରି ନିଜର ବକ୍ତବ୍ୟ ରଖିଥିଲେ।ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥୀ ସ୍ଵାଗତ ଭାଷଣ ଏବଂ ବାର୍ଷିକ ବିବରଣୀ ପଠନ କରିବା ସହିତ ନିଜ ବକ୍ତବ୍ୟରେ ଛାତ୍ରୀ ମାନଙ୍କୁ ନିଷ୍ଠାର ସହ ପାଠ ପଢି ଭଲ ମଣିଷ ହୋଇ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ।ବାର୍ଷିକ ଉତ୍ସବ ଓ ସାଂସ୍କୃତିକ ପରିଷଦର ଉପ ସଭାପତି ତଥା ବରିଷ୍ଠ ଅଧ୍ୟାପିକା ରାଜଶ୍ରୀ ଦାସ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ନିଜର ଓଜସ୍ଵିନି ବକ୍ତବ୍ୟରେ ସମସ୍ତଙ୍କ ମନ ମୋହିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ପ୍ରଦୀପ ମିଶ୍ର, ସମାଜ ସେବୀ ନବୀନ ରାମ, ସୁରତ ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ।ବାର୍ଷିକ ଉତ୍ସବ ଓ ସାଂସ୍କୃତିକ ପରିଷଦର ଆବାହକ ଅଧ୍ୟାପକ ବିଜୟ କୁମାର ରାମ ମଞ୍ଚ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସେହିପରି ଦ୍ୱିତୀୟ ସୋପାନର ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧ୍ୟାପକ ବିଜୟ କୁମାର୍ ରାମ ଓ ସହଯୋଗୀ ଶ୍ୟାମ ସୁନ୍ଦର ମଣ୍ଡଳ ପୁରସ୍କାର ବିତରଣ ଓ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ଵାରା ଚିତାକର୍ଷକ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ହୃଦୟ ଜିଣି ଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ସମେତ ଏନ.ଏସ.ଏସ ଓ ୟୁଥ୍ ରେଡକ୍ରସର ସ୍ବେଚ୍ଛାସେବୀମାନେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ଡକ୍ଟର ରାଜେନ୍ଦ୍ର ମଣ୍ଡଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।