ମିଳୁନି ଟୋକନ୍, ବିକ୍ରି ହୋଇପାରୁନି ଧାନ

ଭଞ୍ଜନଗର ୧୩/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଧାନ ବିକିବାକୁ ଚାଷୀ ଟୋକନ୍ ପାଇଁ ଅପେକ୍ଷା କରିଛନ୍ତି।କିନ୍ତୁ ଟୋକନ୍ ମିଳିବାରେ ବିଳମ୍ବ ଯୋଗୁଁ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନକୁ ବସ୍ତାରେ ରଖି ବାରଣ୍ଡାରେ ଜମା କରି ଜଗିଛି ଚାଷୀ। ଧାନବିକ୍ରି ପାଇଁ ଟୋକନ ଆସୁନଥିବାରୁ ସେମାନଙ୍କ ଧାନ ବିକ୍ରି ହୋଇ ପାରୁନି। ହାତୀପଲ ସେମାନଙ୍କ ନିଦ ହଜାଇଦେଲେଣି। ଫଳରେ ଧାନବସ୍ତା କୁଆଡ଼େ ନେବେ, ଏହି ଚିନ୍ତାରେ ଚାଷୀ ରହିଛନ୍ତି। ହାତୀପଲ ସଞ୍ଜ ନଇଁଲେ ଧାନବାସ୍ନାରେ ଗାଁମୁହାଁ ହେଉଛନ୍ତି। ବର୍ତ୍ତମାନ ଅଳ୍ପ ଚାଷୀଙ୍କର ଟୋକେନ ଆସିଥିବା ବେଳେ ଅଧିକାଂଶ ଚାଷୀ ଏଥିରୁ ଅନେକ ଚାଷୀ ବାଦ ପଡିଛନ୍ତି। ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକର କୋକଳବା ସେବାସମବାୟ ସମିତିର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସମସ୍ତ ଚାଷୀଙ୍କୁ ଟୋକେନ ପ୍ରଦାନ ଦାବିରେ ମଙ୍ଗଳବାର ଚାଷୀ ମାନେ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆସନ୍ତା ୧୭ ତାରିଖ ସୁଧା ପଞ୍ଜିକରଣ କରିଥିବା ସମସ୍ତ ଚାଷୀଙ୍କୁ ଧାନବିକ୍ରି ଟୋକନ ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି। ନଚେତ୍ ରାଜରାସ୍ତା ଅବରୋଧ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଚଳିତବର୍ଷ ଆରମ୍ଭରୁ ଧାନକିଣା ବିଳମ୍ବିତ ହୋଇଛି। ପରେ ମିଲର୍ସ ମାନେ କଷ୍ଟମ୍ ମିଲିଂ ଚାର୍ଜ ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ, ଧାନ ପରିବହନ ଖର୍ଚ୍ଚ ପୂର୍ବଭଳି ଦେବାକୁ ଦାବି କରି ଆନ୍ଦୋଳନ କୁ ଓହ୍ଲାଇଥିଲେ। ମିଲର୍ସ ଆନ୍ଦୋଳନ ରୁ ଓହରିବା ପରେ ଧାନକିଣା ଆରମ୍ଭ ହୋଇଥିଲା। ହେଲେ ଏଯାଏଁ ଚାଷୀଙ୍କ ଟୋକନ୍ ସମସ୍ୟାର ମଧ୍ୟ ସମାଧାନ ହୋଇପାରିନି। ଜମି ତୁଳନାରେ କମ୍ ପରିମାଣର ଧାନ ବିକିବାକୁ ଚାଷୀଙ୍କ ପାଖକୁ ଟୋକନ୍ ଆସିଛି। କିଛି ଚାଷୀ ଟୋକନ୍ ମଧ୍ୟ ପାଇନାହାନ୍ତି।ଏନେଇ ଚାଷୀମାନେ ବହୁବାର ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ହେଲେ ଏହାର ସୁଫଳ ମିଳୁନଥିବା ଯୋଗୀ ସେଠୀ,ଭିକାରି ସେଠି, ପତିତପାବନ ଯାନି, ସିମାଦ୍ରି ମହାନ୍ତି, ବୈକୁଣ୍ଠ ନାଥ ନାୟକ ପ୍ରୁମୁଖ କହିଛନ୍ତି। ଏଭଳି ସ୍ଥିତିରେ ଧାନକିଣା ମନ୍ଥର ହେଲେ ଚାଷୀମାନେ କମ୍ ଦରରେ ଧାନ ବିକିବାକୁ ବାଧ୍ୟ ହେବେ ବୋଲି କୃଷକ ସଂଗଠନ ମତ ରଖିଛନ୍ତି। ଏଣୁ ରାଜ୍ୟ ସରକାର ଚାଷୀଙ୍କ ସମସ୍ୟା ଗୁଡ଼ିକର ଶୀଘ୍ର ସମାଧାନ କରି ଧାନ କିଣିବାକୁ ଚାଷୀ ଦାବି କରିଛନ୍ତି।