ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୦ ଗିରଫ

ଭଞ୍ଜନଗର ୧୬/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଉଢ଼ୂରା ଗ୍ରାମର ଦଳିତ ସାହି ଓ ବେଲଗୁଣ୍ଠାର ଦଳିତ ସାହି ଭିତରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ପୁଲିସ ୧୦ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଅଭିଯୁକ୍ତ ମାନେ ବେଲଗୁଣ୍ଠା ହରିଜନ ସାହିର ସୋନୁ ନାଇକ, ବାଦଲ ନାଇକ,ପ୍ରକାଶ ନାଇକ, ସଂଗ୍ରାମ ନାଇକ, ସୁଶାନ୍ତ ସାହୁ, ଅମ୍ବପୁଆର ଶିଶିର ନାଇକ, ଉଢୁରା ହରିଜନ ସାହିର ଅକ୍ଷୟ ନାଇକ, ପ୍ରଣୟ ନାଇକ, ମୁନା ନାଇକ ଓ ଲିପୁନୁ ନାଇକ।

ସୂଚନାନୁସାରେ,ବୁଧବାର ବେଲଗୁଣ୍ଠାରେ ମକରଯାତ୍ରା ଚାଲିଥିବା ବେଳେ ରାତି ପ୍ରାୟ ୮ଟାରେ ଉଢୁରା ଦଳିତ ସାହିର କିଛି ଯୁବକ ବେଲଗୁଣ୍ଠା ଦଳିତ ସାହିର କିଛି ଯୁବକଙ୍କ ମଧ୍ୟରେ କୌଣସି କଥାକୁ ନେଇ ମାରପିଟ୍ ହୋଇଥିଲ। ଗୁରୁବାର ସନ୍ଧ୍ୟାରେ ଉଢ଼ୁରା ଗ୍ରାମ ଦଳିତ ସାହିର ୩୦ରୁ ଅଧିକ ବେଲଗୁଣ୍ଠା ଥାନାକୁ ଅଭିଯୋଗ କରିବାକୁ ଆସିଥିବା ବେଳେ ବେଲଗୁଣ୍ଠା ଦଳିତ ସାହିରୁ ପ୍ରାୟ ୪୦ରୁ ୫୦ ଜଣ ମହିଳା ଓ ପୁରୁଷ ମଧ୍ୟ ଆସିଥିଲେ।ଏହି ସମୟରେ କଥା କଟାକଟିରୁ ଏହା ସଂଘର୍ଷର ରୂପ ନେଇଥିଲା। ଉଭୟ ଗୋଷ୍ଠୀ ପରସ୍ପରକୁ ଢେଲାପଥର ମାଡ଼ କରିଥିଲେ।ଏଥିରେ ବେଲଗୁଣ୍ଠାର ଆଦିତ୍ୟ ନାଇକ ଓ ଉଢୁରାର ଅଜିତ ନାଇକଙ୍କ ସମେତ ଅନ୍ୟମାନେ ଆହତ ହୋଇଥିଲେ। ୨ ଜଣ ଆହତଙ୍କୁ ବେଲଗୁଣ୍ଠା
ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏନେଇ ଉଭୟ ପକ୍ଷ ଥାନା ରେ ଅଭିଯୋଗ କରିଥିବା ବେଳେ ପୁଲିସ ପୃଥକ ମାମଲା ରୁଜୁ କରି ଶୁକ୍ରବାର ଉଭୟ ଗୋଷ୍ଠୀର ଦଶ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।