ମଣ୍ଡି ରେ ଉଠିବନି କି ଭାଗଚାଷୀ ଙ୍କ ଧାନ? ସରକାରଙ୍କୁ ଧାନ ବିକ୍ରି କରିପାରିବେନି କି ଭାଗ ଚାଷୀ? ମଣ୍ଡିରେ ଧାନ ବିକ୍ରି କରିବାକୁ ଭାଗଚାଷୀ ଙ୍କୁ ଟୋକେନ୍ ନ ମିଳିବାରୁ ଚାଷୀଙ୍କ ତୀବ୍ର ପ୍ରତିବାଦ

ବେଲଗୁଣ୍ଠା ୧୮/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ରାଜ୍ୟ ସରକାର ଙ୍କୁ ଅଡୁଆରେ ପକାଉଛି ମଣ୍ଡି । ପ୍ରଥମେ ବିଳମ୍ବରେ ମଣ୍ଡି ଖୋଲିବା, ପରେ ସୂତା ଅଖା ରେ ଧାନ ଦେବା କୁ ବିବାଦ ଦେଖା ଦେଇଥିବା ବେଳେ ଏବେ ଭାଗଚାଷୀ ଙ୍କୁ ଧାନ ବିକ୍ରି କରିବାକୁ ଟୋକେନ ନ ଆସିବାରୁ ଭାଗଚାଷୀ ମାନେ ପ୍ରତିବାଦ ଆରମ୍ଭ କଲେଣି । ଭାଗଚାଷୀ ମାନେ ଜମି ମାଲିକ ମାନଙ୍କ ଜମି ଚାଷ କରିବା ପରେ ମାଲିକଙ୍କୁ ସେମାନଙ୍କ ପ୍ରାପ୍ୟ ର ଧାନ ଦେବା ପରେ ନିଜ ପ୍ରାପ୍ୟ ବାବଦକୁ ବାକି ଧାନ ଜମିରୁ ନେଇ ଯାଆନ୍ତି । ନିଜ ପରିବାର ପ୍ରତି ପୋଷଣ ପାଇଁ ନିଜ ଭାଗରୁ କିଛି ଧାନ ରଖିବା ପରେ ବଳକା ଧାନ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ତେବେ ଏହି ବର୍ଷ ଜମି ମାଲିକ ଏବଂ ଚାଷୀ ମାନଙ୍କ ଧାନ ବିକ୍ରି କରିବାକୁ ଟୋକେନ ଆସି ଯାଇଥିବା ବେଳେ ଭାଗଚାଷୀ ଙ୍କ କ୍ଷେତ୍ରରେ କିନ୍ତୁ ସେହି ପରି ହୋଇନାହିଁ । ଧାନ ବିକ୍ରି ପାଇଁ ଟୋକେନ ଆସି ନାହିଁ ଏଣେ ବାରଣ୍ଡାରେ ରଖାଯାଇଥିବା ଧାନ ବସ୍ତାରୁ ମୂଷା ପ୍ରଭୃତି ଖାଇ ନଷ୍ଟ କଲେଣି । ଜମି କିମ୍ବା ଖଳାରେ ଥିବା ଧାନକୁ ବାରହା, ହାତୀ ଆଦି ବନ୍ୟ ଜନ୍ତୁ ଙ୍କ ଠାରୁ ନିସ୍ତାର ନାହିଁ । ଶୀତ କାକର ରେ ପଡ଼ି ରହି ଧାନର ମାନ ହ୍ରାସ ପାଉଛି । ମଣ୍ଡିରେ ଧାନ ବିକ୍ରି ଅନିଶ୍ଚିତତା ଥିବାରୁ ଏବେ ଭାଗଚାଷୀ ଚିନ୍ତାରେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ତ ଦୂରର କଥା, ଅଧା ଦାମ୍ ମିଳୁଛି କି ନାହିଁ ତାହା ଏବେ ପ୍ରଶ୍ନବାଚୀ ।

ରବିବାର ବେଲଗୁଣ୍ଠା ବ୍ଲକ୍ ଇଙ୍ଗିନାଠୀ ସେବା ସମବାୟ ସମିତି ସମ୍ମୁଖରେ ୩୦ ରୁ ଉର୍ଦ୍ଧ୍ବ ଭାଗଚାଷୀ ଏକତ୍ରିତ ହୋଇ ସେମାନଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ କରିଛନ୍ତି । ରେଜିଷ୍ଟ୍ରେସନ୍ ସମୟରେ ସେଥିରେ ଭାଗଚାଷୀ ଆବେଦନ କରିବାର ନିୟମ ଥିବା ସତ୍ତ୍ୱେ ସେମାନଙ୍କ ଆବେଦନ ଗୁଡ଼ିକୁ ଗ୍ରହଣ କରାଯାଇଛି କି ନାହିଁ ତାହା ସନ୍ଦେହରେ । ସରକାର ଏବଂ ପ୍ରଶାସନ ଯଥା ଶୀଘ୍ର ଭାଗଚାଷୀ ଙ୍କ ସମସ୍ୟାକୁ ଗୁରୁତ୍ୱ ର ସହ ନେଇ ଟୋକେନ ପ୍ରଦାନ କରି ଭାଗଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରିବାକୁ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଅନୁରୋଧ କରିଛନ୍ତି ଆଜି ଏହି ଆନ୍ଦୋଳନ ରେ ଅଂଶ ଗ୍ରହଣ କରିଥିବା ଚାଷୀ ମାନେ ।

ଅନ୍ୟ ପକ୍ଷରେ ଇଙ୍ଗିନାଠୀ ସେବା ସମବାୟ ସମିତିର ସଭାପତି ଘନଶ୍ୟାମ ଜେନାଙ୍କୁ ଏହି ସଂକ୍ରାନ୍ତରେ ପ୍ରଶ୍ନ କରିବାରୁ ସେ ଭାଗଚାଷୀ ମାନଙ୍କ ଦାବି ସମ୍ପର୍କରେ ଅବଗତ ଅଛନ୍ତି । ଭାଗଚାଷୀ ମାନଙ୍କ ଆବେଦନ କୁ ଅଗ୍ରାହ୍ୟ କରାଯାଇ ନାହିଁ । ଟୋକେନ ଆସିବାରେ ବିଳମ୍ବ ହେଉଛି। ଭାଗଚାଷୀ ମାନଙ୍କ ଏହି ଅସୁବିଧା ସଂପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଅନ୍ୟାନ୍ୟ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି । ଯଥାଶୀଘ୍ର ସରକାର ଭାଗଚାଷୀ ମାନଙ୍କ ସମସ୍ୟା ସମାଧାନ କରିବେ ବୋଲି ଆଶାବାଦୀ ଥିବା କହିଛନ୍ତି ।