ନୂଆପଡା ଉପ ଜିଲ୍ଲାପାଳ , ଜିଲ୍ଲା ଶ୍ରମ ଅଧିକାରୀଙ୍କ ମୁଣ୍ଡରେ ମାଟି ଡାଲା, ମନରେ ମାନବିକତା: ଟାନୱାଟରେ ପିଙ୍କ ସ୍ୱଚ୍ଛ ଟିମ ଓ ପ୍ରଶାସନର ସମର୍ପିତ ପ୍ରୟାସ

ନୂଆପଡା, ତା ୩୧/୧ (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି):
ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରେରଣାରେ ଉଦବୁଦ୍ଧ ହୋଇ ପିଙ୍କ ସ୍ୱଚ୍ଛ ଟିମର ୧୦ ଜଣ ମହିଳା ଅଧିକାରୀ ସଦସ୍ୟା ଟାନୱାଟ ଗ୍ରାମପଞ୍ଚାୟତର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ପରିଦର୍ଶନ କାଳରେ ସେମାନେ ଟାନୱାଟ ଗ୍ରାମର ମାର୍କେଟ ଏରିଆ ବୁଲି ଦେଖିବା ସହିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ ହାତ ମିଳାଇ ସଫେଇ କାର୍ଯ୍ୟରେ ସକ୍ରିୟ ଭାଗନେଇଥିଲେ। ପ୍ଲାଷ୍ଟିକ ଖଲି ଦନାର ବିକଳ୍ପ ଭାବରେ ଗ୍ରାମସଭାରେ ଏକ ବର୍ତ୍ତନ ବ୍ୟାଙ୍କ୍ ଉଦ୍ଘାଟନ କରିଥିଲେ l ଏହି ପଦକ୍ଷେପ ମାଧ୍ୟମରେ ଗ୍ରାମବାସୀଙ୍କ ମଧ୍ୟରେ ସ୍ୱଚ୍ଛତା ସଚେତନତାର ଏକ ସକାରାତ୍ମକ ସନ୍ଦେଶ ପ୍ରସାରିତ ହୋଇଥିଲା।ପରେ ଟିମ ସଦସ୍ୟାମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଶିଶୁମାନଙ୍କ ସହ କିଛି ସମୟ ବିତାଇ ପୋଷଣ, ପରିଚ୍ଛନ୍ନତା ଓ ସୁସ୍ଥ ପରିବେଶର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିଥିଲେ। ଏହା ପରେ ସେମାନେ ପ୍ରାଥମିକ ବିଦ୍ୟାଳୟ ପରିସରର ସ୍ୱଚ୍ଛତା ବ୍ୟବସ୍ଥା ତଦାରଖ କରି ଆବଶ୍ୟକ ସୁଧାରମୂଳକ ପରାମର୍ଶ ପ୍ରଦାନ କରିଥିଲେ। ପରିଦର୍ଶନ ସମୟରେ ଏକ ଗ୍ରାମ ପୋଖରୀରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚତ ଯୋଜନାରେ (ମନରେଗା) ୫୦ ଜଣ ଶ୍ରମିକ କାର୍ଯ୍ୟରତ ଥିବା ଦେଖି ଟିମ ସଦସ୍ୟାମାନେ ଶ୍ରମିକମାନଙ୍କ ସହ ଆଲୋଚନା କରି ସେମାନଙ୍କର ସୁଖଦୁଃଖ ଓ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀମତୀ ସୂର୍ମୀ ସୋରେନ ଶ୍ରମିକମାନଙ୍କୁ ନିଜ ଗ୍ରାମ ଛାଡ଼ି ବାହାରକୁ ନ ଯାଇ, ପରିବାର ସହ ରହି ଗ୍ରାମରେ ରୋଜଗାର କରିବାକୁ ପରାମର୍ଶ ଦେବା ସହ ୩୦୦ ଦିନର କାମ ସୁଯୋଗକୁ ସଦବ୍ୟବହାର କରିବାକୁ ଆହ୍ୱାନ କରିଥିଲେ।
ଗୋଷ୍ଠି ଉନ୍ନୟନ ଅଧିକାରୀ ରୋହିତ ଭୋଇ ପ୍ରଶାସନ ତରଫରୁ ପର୍ଯ୍ୟାପ୍ତ ପରିମାଣରେ କାମ ଯୋଗାଇ ଦିଆଯିବ ବୋଲି ଶ୍ରମିକମାନଙ୍କୁ ଆଶ୍ୱାସନା ଦେଇଥିଲେ। ଶ୍ରମିକମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଉପଜିଲ୍ଲାପାଳ ଶ୍ରୀମତୀ ସୋରେନ ,ଜିଲ୍ଲା ଶ୍ରମ ଅଧିକାରୀ ଜଶ୍ମିନ ସାହୁ , ବ୍ଲକ୍ ଶିକ୍ଷା ଅଧିକାରୀ ଗୀତାଞ୍ଜଳି ଯୋଶୀ ପ୍ରମୁଖ ନିଜେ ମୁଣ୍ଡରେ ମାଟି ବୋହି ଶ୍ରମର ମର୍ଯ୍ୟାଦା ଓ ପ୍ରଶାସନୀକ ସମର୍ପଣ ଭାବର ଏକ ଦୃଢ଼ ଉଦାହରଣ ସ୍ଥାପନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜଳ ବିଭାଜିକା ପ୍ରକଳ୍ପ ଉପ ନିର୍ଦ୍ଦେଶିକା ସ୍ଵୟଂପ୍ରଭା ସିଂହ, ଅତିରିକ୍ତ ଟ୍ରେଜେରୀ ଅଧିକାରୀ ମଧୁସ୍ମିତା ପରିଜା ଓ ଅନ୍ୟ ମହିଳା ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପନ୍ନ କରିଥିଲେ।