କ୍ଷତ୍ରିୟବରପୁର ଡିଗ୍ରୀ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ଭଂଜନଗର -୦୪/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ଏବଂ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଗିରିଧର ନାୟକଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଭଂଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଗାଙ୍ଗପୁର ଥାନାଧିକାରୀ ବନବିହାରୀ ପ୍ରଧାନ, ଗଂଜାମ ଜିଲ୍ଲା ଯୁବ ରେଡକ୍ରସ୍ ର ପୂର୍ବତନ ସଂଯୋଜକ ବି. ଗୋବିନ୍ଦ ରାଓ, ସୋରଡ଼ା ବିଧାୟକଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ରକ୍ତ ଅଭାବରୁ କୌଣସି ରୋଗୀ ଯେଭଳି ଅସୁବିଧାର ସମ୍ମୁଖୀନ ନହେବ, ସେଥିପାଇଁ ଏଭଳି ଶିବିରର ଯଥାର୍ଥତା ସଂକ୍ରାନ୍ତରେ ଅତିଥି ମାନେ କହିବା ସହ, ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ସ୍ଥାନୀୟ ବୁଦ୍ଧିଜୀବୀ, ସମାଜସେବୀ ପ୍ରମୁଖ ରକ୍ତଦାନ କରିଥିଲେ । ଭଂଜନଗର ବ୍ଳଡ ବ୍ୟାଙ୍କ୍ ର କର୍ମଚାରୀଙ୍କ ସହଯୋଗରେ ୬୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ମହାବିଦ୍ୟାଳୟର ଯୁବ ରେଡକ୍ରସ୍ କାଉନସିଲର୍ ଡଃ ସଂଜୀବ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ଼ଃ ରବିନାରାୟଣ ପାତ୍ର, ଅନିଲ୍ କୁମାର ସ୍ବାଇଁଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ସିମାଞ୍ଚଳ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।