ଚୌଦ୍ୱାର ଜେଲ ସୁପରିଣ୍ଟେଣ୍ଡଣ୍ଟ ବିରୋଧରେ ଥାନାରେ ମହିଳାଙ୍କ ଏତଲା

ଚୌଦ୍ୱାର (ଶିବବ୍ରତ ଦାସ) : ପୁଣି ଚର୍ଚ୍ଚାରେ ରହିଛି ଚୌଦ୍ୱାର ମଣ୍ଡଳ କାରାଗାର ଓ ଜେଲ ସୁପରିଣ୍ଟେଣ୍ଡଣ୍ଟ । କେତେବେଳେ ଜେଲର ସୁଉଚ୍ଚ ପାଚେରୀ ଡେଇ କଏଦୀ ଫେରାର ହୋଇ ଯାଉଛି ତ କେତେବେଳେ କଏଦୀ ଆତ୍ମହତ୍ୟା କରି ପକାଉଛି । ଏହି ସବୁ ଭିତରେ ଜଣେ ମହିଳା ବନ୍ଦୀଙ୍କ ଠାରୁ ଜେଲରେ ଜମା ରଖାଯାଇଥିବା ସୁନା ଗହଣା ଗାଏବ ହୋଇ ଯିବା ଘଟଣା ସମ୍ପୂର୍ଣ୍ଣ ଜେଲ ସୁପରିଣ୍ଟେଣ୍ଡଣ୍ଟଙ୍କ ଦାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ମହିଳାଜଣକ ଏ ନେଇ ଚୌଦ୍ୱାର ଥାନାରେ ଏତଲା ଦେବା ସହ ଜେଲ ସୁପରିଣ୍ଟେଣ୍ଡଣ୍ଟଙ୍କ ଚକ୍ରାନ୍ତ ବିଷୟରେ ସଙ୍ଗୀନ ଅଭିଯୋଗ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲା ମାହାଙ୍ଗା ଥାନା ଶୁକ୍ଳେଶ୍ୱର ଗ୍ରାମର ଇତିଶ୍ରୀ ମହାନ୍ତି ଏକ ମାମଲାରେ ୨୦୨୫ ମସିହା ସେପ୍ଟେମ୍ବର ୨୨ତାରିଖ ଦିନ ଗିରଫ ହୋଇ ୨୩ ତାରିଖ ଦିନ ଚୌଦ୍ୱାର ଜେଲକୁ ଆସିଥିଲେ। ସେଠାରେ ସିସିଟିଭି କ୍ୟାମେରା ସମ୍ମୁଖରେ ଜେଲ କର୍ମଚାରୀମାନେ ତାଙ୍କ ଠାରୁ ପିନ୍ଧିଥିବା ୬ଗ୍ରାମ ଓଜନର ସୁନା କାନର ହଳେ, ୫ଗ୍ରାମ ଓଜର ଏକ ସୁନା ମୁଦି ଏବଂ ଏକ ନାକ ଗୁଣା କାଢ଼ି ନେଇଥିଲେ। ତାହାକୁ ଏକ ମାଟିଆ ରଙ୍ଗର ଖାମ ଭିତରେ ରହି ତା’ ଉପରେ ଇତିଶ୍ରୀଙ୍କ ଦସ୍ତଖତ କରାଇଥିଲେ। ଏହାପରେ ଇତିଶ୍ରୀ ୩ମାସ ବିଚାର ବିଭାଗୀୟ ହାଜତରେ ରହିବା ପରେ ୨୦୨୫ ମସିହା ଡିସେମ୍ବର ୨୩ ତାରିଖରେ ଜାମିନ ପାଇ ଜେଲରୁ ମୁକୁଳିଥିଲେ। ତେବେ ମୁକୁଳିବା ସମୟରେ ଇତିଶ୍ରୀ ଜେଲରଙ୍କୁ ତାହା ଜମା ଥିବା ଗହଣା ମାଗିଥିଲେ। ମାତ୍ର ସେ ଦୀର୍ଘ ୨ଘଣ୍ଟା ୪୫ ମିନିଟ ଇତିଶ୍ରୀଙ୍କୁ ଅପେକ୍ଷା କରାଇ ଗହଣା ଖୋଜା ଖୋଜି କରି ଶେଷରେ ଗହଣା ମିଳୁନି ବୋଲି କହିଥିଲେ। ଏଥି ସହିତ ୨ରୁ ୩ଦିନ ପରେ ଆସିବା ପାଇଁ କହିଥିଲେ। ଏହାପରେ ଇତିଶ୍ରୀ ଏକାଧିକ ବାର ଜେଲକୁ ଆସି ତାଙ୍କ ଗହଣା ମାଗିଥିଲେ ମଧ୍ୟ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଗହଣା ଦେଇନଥିଲେ। ଏହାପରେ ଗତ ଜାନୁଆରୀ ୭ତାରିଖ ଦିନ ଇତିଶ୍ରୀ ଜେଲ ସୁପରିଣ୍ଟେଣ୍ଡଣ୍ଟ ସୁଜିତ ରାଉଳଙ୍କୁ ଭେଟି ଏ ବିଷୟରେ କହିଥିଲେ। ମାତ୍ର ଶ୍ରୀ ରାଉଳ ତାଙ୍କୁ ୧୦ଦିନ ସମୟ ମାଗିଥିଲେ। ୧୦ଦିନ ପରେ ଇତିଶ୍ରୀ ଫୋନ କରିବାପରେ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ରାଉଳ ଅଳଙ୍କାର ଫେରାଇବା ପରିବର୍ତ୍ତେ ପୂର୍ବତନ ଜେଲରଙ୍କ ନାମରେ ମାମଲା କରିବାକୁ ପ୍ରବର୍ତ୍ତାଇଥିଲେ। ପୂର୍ବତନ ଜେଲର ସନ୍ତୋଷିନୀ ଦାସଙ୍କ ନାମରେ ଥାନାରେ ଏତଲା କଲେ କିଛି ଟଙ୍କା ମଧ୍ୟ ଦେବେ ବୋଲି ସେ ଲୋଭ ଦେଖାଇଥିଲେ। ମାତ୍ର ଇତିଶ୍ରୀ ଏନେଇ ସ୍ପଷ୍ଟ ମନା କରିଦେବା ସହ ଜେଲରେ ସିସିଟିଭି ସମ୍ମୁଖରେ ତାଙ୍କ ଠାରୁ ନେଇଥିବା ସମସ୍ତ ଗହଣା ଫେରାଇବାକୁ ସେ ଦାବି କରିବା ସହ ଶ୍ରୀ ରାଉଳଙ୍କ ନାମରେ ଏତଲା କରିଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ ଜେଲ୍‌ରୁ ଦୁଇ କଏଦୀ ଫେରାର୍ ଘଟଣା ପରେ ଜେଲର ଦସ୍ତାବିଜ ଜାଲିଆତି ଘଟଣାରେ ଥାନାରେ
ଜାନୁଆରି ୧୮ରେ ଶ୍ରୀ ରାଉଳଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଏଯାଏଁ କୌଣସି ପ୍ରକାର
କାର୍ଯ୍ୟାନୁଷ୍ଠାନ ପୁଲିସ ଗ୍ରହଣ କରିନାହିଁ।