
ଚୌଦ୍ୱାର (ଶିବବ୍ରତ ଦାସ) : ବିଭାଗୀୟ କାର୍ଯ୍ୟାଦେଶ ବଳରେ ତଥା ସରପଞ୍ଚଙ୍କ ତତ୍ତ୍ବାବଧାନରେ ପ୍ରାୟ ୨୫ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରାଯାଇଥିଲା। ଅଥଚ ବିଲ୍ ବେଳକୁ କାର୍ଯ୍ୟ ସଂକ୍ରାନ୍ତ ସମସ୍ତ ଫାଇଲ ଗାଏବ୍ ହୋଇଗଲା। ନିରାଶ ହୋଇ ସରପଞ୍ଚ ଜଣକ ବିଭିନ୍ନ ମହଲରେ ଅଭିଯୋଗ କଲାବେଳକୁ ୨୦୨୨ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଗଲା । ସରପଞ୍ଚ ବଦଳିବା ପରେ ପ୍ରାକ୍ତନ ସରପଞ୍ଚ ଫାଇଲକୁ ନେଇ ଖୋଳତାଡ଼ ଆରମ୍ଭ କଲେ I ବହୁ ପ୍ରଚେଷ୍ଟା ପରେ ୨୦୨୪ ଡିସେମ୍ବର
ମାସରେ ଫାଇଲ ମିଳିଲା। ବ୍ଲକ ପ୍ରଶାସନ ନିର୍ଦ୍ଦେଶକ୍ରମେ ବିଭାଗୀୟ ଅଧିକାରୀଙ୍କୁ ନେଇ ସମସ୍ତ କାର୍ଯ୍ୟର ଯୁଗ୍ମ ତଦନ୍ତ କରାଗଲା। ୧୦ ମାସ ପରେ ତଦନ୍ତ ରିପୋର୍ଟ ଦାଖଲ
ହେଲା। ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରାଯାଇଥିଲେ ର ହେଁ ଆବଶ୍ୟକ ଲେବଲ୍ ବୁକ୍, ପ୍ରିମେଜରମେଣ୍ଟ ଓ ସୁପରଭିଜନ ରେକର୍ଡ଼ ନ ଥିବା ତଦନ୍ତ ରିପୋର୍ଟରେ ଦର୍ଶାଯିବାରୁ
ପ୍ରାକ୍ତନ ସରପଞ୍ଚ ଜଣକ ବିଲ୍ ପାଇବାରେ ଅନ୍ତରାୟ ସୃଷ୍ଟି ହେଲା I କାର୍ଯ୍ୟ କରିବାର ଦୀର୍ଘ ୪ ବର୍ଷ ପରେ ବିଲ୍ ନପାଇ ସରପଞ୍ଚ ଜଣକ ହନ୍ତସନ୍ତ ହୋଇ ଟାଙ୍ଗୀ ଥାନାର ଦ୍ବାରସ୍ଥ ହୋଇଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳ ବିକାଶକୁ ପ୍ରାଧାନ୍ୟ ଦିଆଯାଇଥିଲା। ବିଭିନ୍ନ ବିଭାଗର ଅଧିକାରୀ ଗାଁ ବୁଲି କାର୍ଯ୍ୟ ତଦାରଖ କରୁଥିଲେ। ବିଭାଗୀୟ କାର୍ଯ୍ୟାଦେଶ ଯୋଗୁଁ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ତତ୍ତ୍ବାବଧାନରେ କାର୍ଯ୍ୟ କରାଯାଉଥିଲା। ତଦନୁଯାୟୀ କୋଟସାହି ପଞ୍ଚାୟତରେ ଶ୍ମଶାନ
ଗୃହ ନିର୍ମାଣ, ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା, କଂକ୍ରିଟ ରାସ୍ତା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆ ଉନ୍ନତିକରଣ, ପୋଖରୀ ଓ ନଳକୂପ ପୁନରୁଦ୍ଧାର, କଲଭର୍ଟ ଏବଂ ଡ୍ରେନେଜ ଆଦି ନିର୍ମାଣ କାର୍ଯ୍ୟ କରାଯାଇଥିଲା। ବିଭାଗୀୟ କାର୍ଯ୍ୟ ହୋଇଥିବାରୁ ତତ୍କାଳୀନ ସରପଞ୍ଚ ଅମୂଲ୍ୟ କୁମାର ସାହୁଙ୍କ ତତ୍ତ୍ବାବଧାନରେ ଯୁବଗୋଷ୍ଠୀ ଅର୍ଥ ଖର୍ଚ୍ଚକରି ନିର୍ମାଣ କାର୍ଯ୍ୟ କରିଥିଲେ। ଅର୍ଥ ନପାଇ ସରପଞ୍ଚ ହିନସ୍ତା ହେଉଛନ୍ତି । ନ୍ୟାୟ ନ ମିଳିଲେ ଆସନ୍ତା ଦିନରେ ନ୍ୟାୟାଳୟଙ୍କ ଦ୍ଵାରସ୍ଥ ହେବେ ବୋଲି ଶ୍ରୀ ସାହୁ କହିଛନ୍ତି।