
ଚୌଦ୍ଵାର(ଶିବବ୍ରତ ଦାସ) : ଅକ୍ଟୋବର ୨ ଦେଶ ଯେତେବେଳେ ଶାନ୍ତିର କଥା କହୁଥିଲା, ସେତେବେଳେ ଚୌଦ୍ୱାର ମଣ୍ଡଳ କାରାଗାର ଭିତରେ ଲେଖାଯାଉଥିଲା ଏକ ଚମକଦାର ଅଧ୍ୟାୟ। ସେଲ କାଟି, ସୁ-ଉଚ୍ଚ ପାଚେରୀ ଡେଇଁ, କଡ଼ା ସୁରକ୍ଷାକୁ ଚକମା ଦେଇ ଦୁଇ ଦୁର୍ଦ୍ଦାନ୍ତ ବିହାରୀ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ ରାଣା ଫେରାର ହେଲେ। ପ୍ରଶ୍ନ ହେଉଛି- ଜେଲ ଭିତରେ ସେଲ କାଟିବା ଏତେ ସହଜ କି? ନା ସୁରକ୍ଷା ବ୍ୟବସ୍ଥା କେବଳ ଫାଇଲରେ ଦୃଢ଼, ଭୂମିସ୍ତରରେ ଦୁର୍ବଳ? ଘଟଣା ପରେ ଚର୍ଚ୍ଚା ଗରମ… ଓ ଅନେକ ପ୍ରଶ୍ନ ଥଣ୍ଡା ହେଇ ରହିଗଲା। ଏବେ ମଧୁକାନ୍ତ ରାଣା କୁ ଉତ୍ତରପ୍ରଦେଶର ଏକ ମଠରୁ ଗିରଫ କରିଛି କମିଶନରେଟ ପୋଲିସ। ଜେଲରୁ ମଠ ଏହା କୌଣସି ଆଧ୍ୟାତ୍ମିକ ଯାତ୍ରା ନୁହେଁ, ବରଂ ଆଇନକୁ ଚକମା ଦେବାର ଅସଫଳ ଚେଷ୍ଟା। କମିଶନରେଟ ପୁଲିସ ଏବେ ମଧୁକାନ୍ତ ରାଣା କୁ ହାତକଡ଼ି ପିନ୍ଧାଇଛି। ଏତେ ବଡ଼ ଫେରାର ଯୋଜନା କିପରି ସଫଳ ହେଲା? ଭିତରୁ କିଏ ସହଯୋଗ କଲା? ନା ସେହି ସମୟରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀ ଆଖି ବନ୍ଦ କରି ରହିଲେ? ମଧୁକାନ୍ତ ରାଣା ପରେ ପୋଲିସ ର କଡ଼ା ନଜର ରେ ଏବେ ରାଜା ସାହାଣୀ। ରାଜା କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବା ସହିତ ଫେରାର ପଛର ରହସ୍ୟ ଖୋଲିବେ ଦକ୍ଷ ଅଧିକାରୀ। କିନ୍ତୁ ଲୋକମାନେ ଏବେ କେବଳ ଗିରଫ ନୁହେଁ, ଜବାବ ଚାହୁଁଛନ୍ତି। ଯଦି ଜେଲର ପାଚେରୀ ଏତେ ସୁ-ଉଚ୍ଚ, ତେବେ ତାହା ଡେଇବାର ସାହସ କେଉଁଠୁ ଆସିଲା? ଯଦି ସୁରକ୍ଷା ଏତେ କଡ଼ା, ତେବେ ଫେରାର ଏତେ ସହଜ କିପରି?
ଚୌଦ୍ୱାର ଜେଲ ଏବେ କେବଳ ଗୋଟିଏ ଜେଲ ନୁହେଁ ଏହା ହୋଇଯାଇଛି ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ।କେବେ ରାଜା କୁ ହାତକଡି ପିନ୍ଧାଇବ ପୋଲିସ? ଓ ଫେରାର ପଛର ଗୁପ୍ତ ସତ୍ୟ କେବେ ସାମ୍ନାକୁ ଆସିବ?