ନିର୍ବାଚନ ସରିଗଲା କିନ୍ତୁ ବିଧାୟକଙ୍କ ପ୍ରତିଶୃତି ପାଲଟିଗଲା ପାଣିର ଗାର

ଚୌଦ୍ୱାର (ଶିବବ୍ରତ ଦାସ )ବାପାଙ୍କ ଅପମାନର ପ୍ରତିଶୋଧ ନେବାରେ ପୁଅ ଯଦି ଆଗରେ, ତାହେଲେ ଲୋକଙ୍କ ସମସ୍ୟାରେ ତାଙ୍କର ନିରବତା କ’ଣ ସୂଚାଏ? ଏହା କି ଆଜିର ରାଜନୀତିର ନୂଆ ଚରିତ୍ର। ପ୍ରାକ୍ତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ହୋଇଥିବା ଅପମାନକୁ ନେଇ ବିଧାୟକ ଶୌଭିକ ବିଶ୍ୱାଳଙ୍କ ଆକ୍ରମକ ଭାବ ନିଶ୍ଚୟ ରାଜନୀତିରେ ନୂଆ ନୁହେଁ। କିନ୍ତୁ ପ୍ରଶ୍ନ ହେଉଛି, ଏହି ଆକ୍ରମକତା କେବଳ ପାରିବାରିକ ସମ୍ମାନ ପାଇଁ ହିଁ ସୀମିତ? ନା ଏହା କେବେ ଲୋକଙ୍କ ହକ୍କ ଓ ଅଧିକାର ପାଇଁ ମଧ୍ୟ ଦେଖିବାକୁ ମିଳିବ? ନିର୍ବାଚନ ସମୟରେ ଚୌଦ୍ଵାର ଓଟିଏମ୍ ବାସୀଙ୍କୁ ଦିଆଯାଇଥିବା ମିଛ ପ୍ରତିଶ୍ରୁତି ଗୁଡ଼ିକର ହିସାବ ଆଜିଯାଏ ମିଳୁନାହିଁ। ଲାଗୁଛି, ସେହି ପ୍ରତିଶ୍ରୁତି ଗୁଡ଼ିକ ମଧ୍ୟ “ପୁରୁଣା ଫାଇଲ୍” ଭଳି ଧୁଳିରେ ପଡ଼ି ରହିଛି। ଚୁନାଉ ସମୟରେ ଯାହା ଥିଲା “ଭବିଷ୍ୟତର ଆଶା”, ଆଜି ସେହିଥିରେ ଲାଗିଛି “ଭୁଲିଯାଇଥିବା କାହାଣୀ”ର ଟାଗ୍।
ଯେତେବେଳେ ସରକାରରେ ସୁଯୋଗ ଥିଲା, ସେତେବେଳେ ମୁହଁରେ ତାଲା ଲଗାଇ ରଖିଥିଲେ, ଆଜି ସତ୍ୟବାଦୀର ମୁଖା ପିନ୍ଧି ବୁଲୁଛନ୍ତି। ଏହା କି ଜନସେବାର ନୂଆ ମଡେଲ୍—“ସତ୍ୟ କହିବା ପାଇଁ କୁର୍ସି ହାରାଇବା ଦରକାର”?
ଚିଟଫଣ୍ଡ ମାମଲାର ଭୟ ନା କୁର୍ସିର ଲୋଭ! ଏହି ଦୁଇଟି ପ୍ରଶ୍ନ ଏବେ ଲୋକଙ୍କ ମନରେ ଗୁଞ୍ଜୁଛି।
ଗରିବ ଓ ଅସହାୟଙ୍କୁ ଅଣଦେଖା କରି, ନିଜର ରାଜନୀତିକ ମଞ୍ଚକୁ ମଜବୁତ କରିବା—ଏହାକୁ ଯଦି “ସେବା” କୁହାଯାଏ, ତାହେଲେ ସତ୍ୟ ସେବା କ’ଣ ତାହା ଲୋକମାନେ ନିଜେ ବିଚାର କରିବେ। ଦୁର୍ନୀତିକୁ ପ୍ରଶୟ ଦେଇ ଦୁର୍ନୀତିବାଦୀଙ୍କୁ ଆଗକୁ ଆଣିବା ଏହା କି ନେତୃତ୍ୱର ନୂଆ ପରିଭାଷା, ନା ପୁରୁଣା ରୋଗର ନୂଆ ନାମ? ନିର୍ବାଚନ ସମୟରେ ଶୌଭିକ ବିଶ୍ୱାଳଙ୍କ ଓଟିଏମ୍ ସମ୍ପର୍କିତ ମନ୍ତବ୍ୟ ପରେ ଲୋକମାନଙ୍କ ମଧ୍ୟରେ ଯେ ଅସନ୍ତୋଷ ଦେଖାଦେଉଛି, ସେଥିରେ ଏବେ ନିରବ ତରଙ୍ଗ ଚାଲିଛି। କିନ୍ତୁ ଏହି ତରଙ୍ଗ କେବେ ବଡ଼ ଝଡ଼ରେ ପରିଣତି ହେବ ସେଥିରେ ସନ୍ଦେହ ନାହିଁ। ଆଜିର ନିରବତା, ଆସନ୍ତାକାଲିର ରାୟ ହେବ,ଏହାକୁ ଭୁଲିଗଲେ ନେତାମାନେ, ତେବେ ଲୋକମାନେ ମନେ ପକାଇବେ।