ଅଗ୍ନିକାଣ୍ଡରେ ୮ବଖରା ପୋଡି ପାଉଁଶ

ଭଞ୍ଜନଗର ୦୯/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ବାରୁଡା ପଞ୍ଚାୟତର ପଙ୍କାଳ ଗ୍ରାମରେ ଗୁରୁବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୯ଟି ପରିବାରର ଗୋଟିଏ ଗୁହାଳ ସମେତ ୮ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ସଟ୍ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ସୁଚନାନୁସାରେ ଗୁରୁବାର ମଧ୍ୟାହ୍ନ ସମୟରେ କୌଣସି କାରଣରୁ ଗାଁର ଏକ ଚାଳ ଘରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଗୋଟିଏ ପରେ ଗୋଟିଏ ଘରକୁ ନିଆଁ ଡେଇଁ ଚାଲିଥିଲା। ଗ୍ରାମବାସୀ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଲିଭିନଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଗାଁ ରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ। ହେଲେ ସେତେବେଳକୁ ଗ୍ରାମର ବ୍ରହ୍ମାନନ୍ଦ ପ୍ରଧାନ,ଗୋବିନ୍ଦ ପ୍ରଧାନ,ସଞ୍ଜୟ ପ୍ରଧାନ,ରଞ୍ଜନ ଦଳେଇ,ମନୁ ଦଳେଇ,ସିମାଞ୍ଚଳ ବେହେରା, ଗୋପାଳ ବେହେରା,ପଠାଣ ସେଠି ଓ ସୁଶାନ୍ତ ଗୌଡ଼ଙ୍କ ଏକ ଗୁହାଳ ସମେତ ୮ ବଖରା ଘର ଜଳିଯାଇଥିଲା। ଏମିତିକି ଘରେ ଥିବା ସମସ୍ତ ଆସବାବପତ୍ର କୁ ମଧ୍ୟ କେହି ବାହାର କରି ପାରିନଥିଲେ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ନଷ୍ଟ ହୋଇଥିବା ଜଣାପଡିଛି। ତହସିଲଦାର ଅଭିପ୍ସା ପଟ୍ଟନାୟକ ଅଗ୍ନିବିପନ୍ନଙ୍କୁ ଭେଟିଛନ୍ତି। ତହସିଲ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ଜରି ପାଲ ପ୍ରଦାନ କରାଯାଇଛି। ଯଥାଶୀଘ୍ର ସମସ୍ତ ଅଗ୍ନିବିପନ୍ନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀମତୀ ପଟ୍ଟନାୟକ କହିଛନ୍ତି। ନିଆଁ ଲିଭାଇବାରେ ସହକାରୀ କେନ୍ଦ୍ରାଧିକାରୀ ଚକ୍ରଧର କଅଁର, ହାବିଲଦାର ସନାତଧ ମହାପାତ୍ର, ମୁଖ୍ୟ ଅଗ୍ନି ଯୋଦ୍ଧା ରମେଶ ଚନ୍ଦ୍ର ନାୟକ, କେ. ଦଣ୍ଡ ବାବୁ, ଅଗ୍ନି ଯୋଦ୍ଧା ଜିତେନ୍ଦ୍ର ଜେନା, ଅଳସ ବିଷୋୟୀ, ଅଭିମନ୍ୟୁ କାଣ୍ଡି, ସାନୁଜ ଦେହୁରୀ ଓ ଅଗ୍ନି ଯୋଦ୍ଧା ଗାଡି ଚାଳକ ବୁଦ୍ଧିଆ ପ୍ରଧାନ ପ୍ରମୁଖ ସାମିଲ ଥିଲେ।