ଟାଙ୍ଗୀ ପୋଲିସ ର ଅଚାନକ ଚଢ଼ାଉ; ମାଫିଆଙ୍କ ଛାତିରେ ଛନକା, ଟ୍ରାକ୍ଟର ସହ ଜେସିବି ଜବତ

ଚୌଦ୍ଵାର (ଶିବବ୍ରତ ଦାସ ): କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଅବୈଧ ମୋରମ ଖନନ ବିରୋଧରେ ପୋଲିସ ନେଇଛି କଡା ପଦକ୍ଷେପ। ରାତିର ଅନ୍ଧାରକୁ ଆଡ଼ କରି ଆଇନକୁ ଚ୍ୟାଲେଞ୍ଜ କରି ଚାଲିଥିବା ଏହି ଅବୈଧ କାରବାର ଉପରେ ହୋଇଛି ଅଚାନକ ଚଢ଼ାଉ। ବିଶେଷ ସୂତ୍ରରୁ ସୂଚନା ପାଇ ଟାଙ୍ଗୀ ଥାନା ଅଧିକାରୀ ବିକାଶ କୁମାର ସେଠୀଙ୍କ ନିର୍ଦ୍ଦେଶରେ ନାଇଟ୍ ପାଟ୍ରୋଲିଂ ଦଳ କଣି ଛକ ନିକଟରେ ଚଢ଼ାଉ କରିଥିଲେ। ସେଠାରେ ଚାଲିଥିବା ଅବୈଧ ମୋରମ ଖନନ ଓ ପରିବହନକୁ ପୋଲିସ ଅଟକାଇଥିଲା। ଘଟଣାସ୍ଥଳରୁ ପୋଲିସ ୩ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନ୍ ଜବତ କରିଥିଲେ। ଉକ୍ତ ଯାନବାହନଗୁଡ଼ିକ ମୋରମ ଭରା ଅବସ୍ଥାରେ ଥିବା ସୂଚନା ମିଳିଛି। ଡକ୍ୟୁମେଣ୍ଟ ଯାଞ୍ଚ ସମୟରେ କୌଣସି ବୈଧ କାଗଜପତ୍ର ପ୍ରଦର୍ଶନ କରିପାରିନଥିବାରୁ ସମ୍ପୃକ୍ତ ଚାଳକମାନଙ୍କୁ ନୋଟିସ୍ ଜାରି କରାଯାଇଛି। ବର୍ତ୍ତମାନ ସମସ୍ତ ଜବତ ଯାନବାହନ ଟାଙ୍ଗୀ ଥାନାରେ ଅଟକ ରଖାଯାଇଛି ଓ ଘଟଣାର ତଦନ୍ତ ଜାରି ରହିଛି। ଟାଙ୍ଗୀ ପୋଲିସର ଏହି ଅଚାନକ କାର୍ଯ୍ୟାନୁଷ୍ଠାନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ, ସାଧାରଣ ଲୋକ ଏହାକୁ ସ୍ୱାଗତ କରିଛନ୍ତି। ଅନ୍ୟପଟେ, ଏହି ଚଢ଼ାଉ ମୋରମ ମାଫିଆଙ୍କ ଲକ୍ଷପତି ହେବାର ସ୍ୱପ୍ନକୁ ଚୂରମାର କରିଦେଇଛି।