ବନ୍ଧୁକ ଦେଖାଇ ଧମକ ଦେବା ଘଟଣା:ଅଭିଯୁକ୍ତ ପଞ୍ଚାନନଙ୍କୁ ଦୁଇ ବର୍ଷ ଜେଲ୍

ଭଞ୍ଜନଗର ୧୭/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ବାଇବଲି ଗାଁରେ ଏକ ପରିବାରକୁ ବନ୍ଧୁକ ଦେଖାଇ ଭୟଭୀତ କରାଇବା ମାମଲାର ଚୁଡାନ୍ତ ରାୟ ଗୁରୁବାର ପ୍ରକାଶ ପାଇଛି। ରାୟରେ ଅଭିଯୁକ୍ତ ପଞ୍ଚାନନ ନାଇକଙ୍କୁ ଦୁଇ ବର୍ଷ କାରାଦଣ୍ଡ ହୋଇଥିବା ଉଲ୍ଲେଖ ରହିଛି।

ସୁଚନାନୁସାରେ, ଗତ ବର୍ଷ ଏପ୍ରିଲ ମାସରେ ବାଇବାଲି ଗ୍ରାମର ପଞ୍ଚାନନ ନାଇକ ଗ୍ରାମର ଅନ୍ୟ ଏକ ପରିବାରକୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଧମକ ଦେଉଥିବା ନେଇ ଗତବର୍ଷ ଏପ୍ରିଲ ୧୨ ତାରିଖରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୁଲିସ ୩୮୫/୨୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପଞ୍ଚାନନ ଙ୍କୁ ଗିରଫ କରିବା ସହ ତା ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିଥିଲା। ନିଜେ ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏହି ମାମଲାର ତଦନ୍ତକାରୀ ଅଧିକାରୀ ଥିବା ବେଳେ ଶ୍ରୀ ଜେନାଙ୍କ ତ୍ବରିତ ପଦକ୍ଷେପ ଓ ଆବଶ୍ୟକ ସାକ୍ଷ୍ୟ, ପ୍ରମାଣ ସଂଗ୍ରହ କରି ମାସକ ଭିତରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଉକ୍ତ ମାମଲାର ସମସ୍ତ ସାକ୍ଷୀ ଓ ପ୍ରମାଣ କୁ ଆଧାର କରି ବର୍ଷେ ଚାରି ଦିନରେ ଗୁରୁବାର ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି।ରାୟରେ ଅଭିଯୁକ୍ତ ପଞ୍ଚାନନଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ହୋଇଥିବା ଉଲ୍ଲେଖ ରହିଛି। ଥାନା ଅଧିକାରୀ ଶ୍ରୀ ଜେନାଙ୍କ ତଦନ୍ତ ଶୈଳୀ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଦାଲତରେ ଚାର୍ଜସିଟ୍ ଦାଖଲ ଯୋଗୁ ଏହି ମାମଲାର ଚୁଡାନ୍ତ ରାୟ ଶୀଘ୍ର ପ୍ରକାଶ ପାଇଛି।