
ବେଲଗୁଣ୍ଠା ୧୭/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପୋଲିସ ସହରରେ ଭଡ଼ାରେ ରହୁଥିବା ବଙ୍ଗାଳୀ ଫେରିବାଲାଙ୍କ ବସ୍ତି ଉପରେ ଚଢ଼ାଉ କରି ଚୋରି ହୋଇଥିବା ୨୬ଟି ମୋବାଇଲ, ୩୯ ବ୍ୟାଟେରୀ ଓ ୧୬ଟି ସିମ କାର୍ଡ଼ ସହ ଦୁଇଟି ବାଇକ ଜବତ କରି ଏ ସଂକ୍ରାନ୍ତରେ ଦୁଇ ବଙ୍ଗାଳୀ ମୁସଲିମ ଯୁବକଙ୍କୁ ଗିରଫ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ, କୌଣସି ଏକ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ପୋଲିସ ଥାନା ଅଧିକାରିଣୀ ରେବତୀ ଶବର ଓ ତାଙ୍କ ଟିମ ବେଲଗୁଣ୍ଠା ମେଦିରୀ ସାହି ନିକଟ ତଥା ଆଇଓବି ବ୍ୟାଙ୍କ ନିକଟରେ ଥିବା ଏକ ବସ୍ତିରେ ରହୁଥିବା କିଛି ବଙ୍ଗାଳୀ ମୁସଲିମ ଫେରିବାଲାଙ୍କ ଘର ଉପରେ ଚଢ଼ାଉ କରିବା ସହ ଖାନ ତଲାସୀ କରିଥିଲା । ତଲାସୀ ବେଳେ ଜନୈକ ଯୁବକକଙ୍କ ଭଡ଼ା ଘରୁ ବିଭିନ୍ନ କମ୍ପାନୀର ୨୬ଟି ଦାମୀ ମୋବାଇଲ , ୩୯ଟି ମୋବାଇଲ ବ୍ୟାଟେରୀ ଓ ବିଭିନ୍ନ କମ୍ପାନୀର ୧୬ଟି ବେଆଇନ ସିମ କାର୍ଡ଼ , ଗୋଟିଏ ହିରୋ ହୋଣ୍ଡା ସ୍ପଲେଣ୍ଡର ପ୍ରୋ ମୋଟର ସାଇକେଲ ଓ ଗୋଟିଏ ଟିଭିଏସ ଏକ୍ସେଲ ମୋପେଡ଼ ଗାଡିକୁ ଜବତ କରିଛି । କିଛି ବଙ୍ଗାଳୀ ମୁସଲିମଙ୍କୁ ପୋଲିସ ଧରି ଆଣି ପଚରା ଉଚରା କରି ଅନୁସନ୍ଧାନ କରିବା ପରେ ଘଟଣାରେ ସଂପୃକ୍ତ ଦୁଇ ଯୁବକଙ୍କ ନାମରେ ବେଲଗୁଣ୍ଠା ପୋଲିସ ଥାନାରେ ୧୭୮/୨୬ ରେ ଏକ ମାମଲା ରୁଜୁକରିବା ସହ ଭାରତୀୟ ନ୍ୟାୟ ସଂହିତାର ଧାରା ୩୩୩(୪)/୩୩୧(୩)/ ୩୦୫/ ୩୩୬(୩)/୩୪୦(୨)/୩(୫) ବଳରେ ଗିରଫ କରିଥିବା ଥାନା ଅଧିକାରିଣୀ ରେବତୀ ଶବର ସୂଚନା ଦେଇଛନ୍ତି । ଗିରଫ ଦୁଇ ବଙ୍ଗାଳୀ ମୁସଲିମ ଯୁବକ ହେଲେ ପଶ୍ଚିମବଙ୍ଗ ମାଲଦା ଜିଲ୍ଲାର ହରିଶ୍ଚନ୍ଦ୍ରପୁର ଥାନା ଅନ୍ତର୍ଗତ ତାଲଗାଛି ଗ୍ରାମର ଇନାଲ ହକ୍ଙ୍କ ପୁଅ ଅଶ୍ରଫୁଲ ହକ୍ (୪୨) ଏବଂ କ୍ଷୀଦିରପୁର ଗ୍ରାମର ଅନସୁର ରେହମାନଙ୍କ ପୁଅ ନୁରୂଲ ଇସଲାମ (୩୦) ବୋଲି ଜଣାପଡ଼ିଛି ।