ପୂର୍ତ୍ତ ବିଭାଗର ଖାମଖିଆଲି ନା ଚଞ୍ଚକତା ! ପୁରୁଣା ନାମ ରେ ନୂତନ ଆର୍ଥିକ କାରବାରର ନୂଆ ତରିକା

ଚୌଦ୍ୱାର (ଶିବବ୍ରତ ଦାସ): କାର୍ଯ୍ୟାଦେଶ ଦେଇ ଅର୍ଥ ବାଟମାରଣ କରିବାର ନୂତନ ତରିକା ଆପଣାଇ ଥିବାର ଚୌଦ୍ୱାରରେ ଚର୍ଚ୍ଚାର ବିଷୟ ପାଲଟିଛି। ୧୫ବର୍ଷ ପୂର୍ବରୁ ରାଜପଥର ନାମ ପରିବର୍ତନ ହୋଇଥିଲେ ମଧ୍ୟ ପୂର୍ତ୍ତ ବିଭାଗର ସୂଚନା ଫଳକରେ ଶୋଭା ପାଉଛି ପୁରୁଣା ନାମ। ଏହା ପୂର୍ତ୍ତ ବିଭାଗର ଖାମଖିଆଲି ନା ଚଞ୍ଚକତା। ଭାରତ ସରକାରଙ୍କ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ୨୮ ଏପ୍ରିଲ ୨୦୧୦ରେ ଜାତୀୟ ରାଜପଥଣଗୁଡ଼ିକର ନମ୍ବର ପରିବର୍ତ୍ତନ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ନୂତନ ବ୍ୟବସ୍ଥା ଅନୁଯାୟୀ, ଓଡ଼ିଶାର ପ୍ରମୁଖ ରାଜପଥ ୫ ଏବଂ ୪୨ ର ନାମ ମଧ୍ୟ ପରିବର୍ତ୍ତିତ ହୋଇଛି । ଜାତୀୟ ରାଜପଥ ୫ ର ନାମ ପରିବର୍ତ୍ତନ ହୋଇ ଜାତୀୟ ରାଜପଥ ୧୬ ହୋଇଛି । ଏହି ରାଜପଥ ଓଡ଼ିଶା ଦେଇ କଲିକତାରୁ ଚେନ୍ନାଇ ପର୍ଯ୍ୟନ୍ତ ଯାଇଛି । ଠିକ୍ ସେହିପରି ଜାତୀୟ ରାଜପଥ ୪୨ ର ନାମ ପରିବର୍ତ୍ତନ ହୋଇ ଜାତୀୟ ରାଜପଥ ୫୫ ହୋଇଛି । ଏହା ମଙ୍ଗୁଳି ରୁ ସମ୍ବଲପୁରକୁ ସଂଯୋଗ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା । ଉକ୍ତ ଦୁଇଟି ଜାତୀୟ ରାଜପଥ ନାମ ପରିବର୍ତ୍ତନର ବହୁ ବର୍ଷ ପରେ ମଧ୍ୟ ପୂର୍ତ୍ତ ବିଭାଗ ର ସୂଚନା ଫଳକ ପୁରୁଣା ନାମ ସ୍ଥାନିତ ହେବା ବିଡ଼ମ୍ବନାର ବିଷୟ । ୧୬ ନମ୍ବର ଜାତୀୟ ରାଜପଥ ନିର୍ଗୁଣ୍ଡି ଛକ ଠାରୁ ୫୫ ନମ୍ବର ଜାତୀୟ ରାଜପଥ ନୁଣ୍ଟିକିରୀ କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତାର ଉନ୍ନତି କରଣ ହୋଇଥିଲା । ପୂର୍ତ୍ତ ବିଭାଗର ୩.୭୩୫ କିମି ବିଶିଷ୍ଟ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ୨୦୨୩-୨୪ ଆର୍ଥିକ ବର୍ଷରେ ହୋଇଥିଲା । ଏହି କାର୍ଯ୍ୟର ଏକ ସୂଚନା ଫଳକ ନୁଣ୍ଟିକିରୀ ଛକ ଠାରେ ସ୍ଥାପିତ କରାଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ନାମ ରାଜପଥ ପରିବର୍ତ୍ତନ ର ୧୫ବର୍ଷ ପରେ ମଧ୍ୟ ସରକାରୀ ସୂଚନା ଫଳକ ରେ ପୁରୁଣା ନାମ ସ୍ଥାନିତ ହୋଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ଏହି ଭଳି କାର୍ଯ୍ୟର ଭୁଲ ସୂଚନା ଫଳକ ଲଗାଇବା ଏକ ଚଞ୍ଚକତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ସନ୍ଦେହ ପ୍ରକଟ କରିଛନ୍ତି । ପୂର୍ତ୍ତ ବିଭାଗ ଠିକା ସଂସ୍ଥା କୁ ସୁହାଇଲା ଭଳି ନିର୍ଦ୍ଧିଷ୍ଟ ଏହି ରାସ୍ତାରେ ବାରମ୍ବାର ନିମ୍ନମାନର କାର୍ଯ୍ୟ କରାଯାଉଛି ବୋଲି ଅଞ୍ଚବାସୀ ମାନେ ଅଭିଯୋଗ କରି ଆସୁଥିଲେ। ପୂର୍ତ୍ତ ବିଭାଗର ଏପରି ଭ୍ରମାତ୍ମକ ସୂଚନା ଫଳକ ପୂର୍ତ୍ତ ବିଭାଗ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁ ଛି । ଏହି କାର୍ଯ୍ୟ ର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।