
ଭଞ୍ଜନଗର ୨୫/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଆଉ ଗୋଟିଏ ଦିନର ଅପେକ୍ଷା । ଘୁମୁସର ଗଡର ରାଜ ରାଜେଶ୍ୱରୀ ମା ବାଗଦେବୀ ବିରାଜମାନ କରିବେ ଭଞ୍ଜନଗର ସହରକୁ । ଏଥି ସହିତ ଭଞ୍ଜନଗର ର ଇଷ୍ଟ ଦେବୀ ମା ଠାକୁରାଣୀଙ୍କ ଆଗମନ ମଧ୍ୟ ହେବ । କୁଲାଡ ତଳ ବାଗଦେବୀ ପୀଠ ଠାରୁ ଆଜ୍ଞା ମାଳ ଏବଂ ପ୍ରତିମା ଙ୍କୁ ନେଇ ଆସିବାକୁ ପ୍ରସ୍ତୁତ ଶଗଡ଼ । ବିଭିନ୍ନ ରଙ୍ଗରେ ସଜେଇ ହୋଇ ରହିଛି ମା ଙ୍କ ଶଗଡ଼ । ମା ଙ୍କ ଆଗମନକୁ ନେଇ ଭଞ୍ଜନଗର ଚଳ ଚଞ୍ଚଳ ରହିଥିବା ବେଳେ ଶ୍ରଦ୍ଧାଳୁ ମଧ୍ୟ ଉତ୍କଣ୍ଠା ର ସହ ଅନେଇ ବସିଛନ୍ତି । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମଧ୍ୟ ଯାତ୍ରା କମିଟି ସଦସ୍ୟଙ୍କ ସହ ସମସ୍ତ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି ।
କୁଲାଡ ରୁ ସନ୍ଧ୍ୟାରେ ଶଗଡ଼ ରେ ମା ବାଗଦେବୀ ଆସିବା ପରେ ପ୍ରଥମେ ଭଞ୍ଜନଗର ବାଗଦେବୀ ରୋଡ ସ୍ଥିତ ବାଟ ବାଗଦେବୀ ମନ୍ଦିର ରେ କିଛି ସମୟ ଅବସ୍ଥାନ କରିବେ । ଗତ ବର୍ଷ ଏହି ଭବ୍ୟ ମନ୍ଦିର ନୂତନ ଭାବେ ପ୍ରତିଷ୍ଠା ହୋଇଅଛି । ତେଣୁ ୨୦୨୩ ମସିହାରେ ସେତେବେଳର ବାଟ ବାଗଦେବୀ ମନ୍ଦିର ଠାରୁ ଏବେ ଅଧିକ ଆକର୍ଷଣୀୟ ଦେଖାଯାଉଛି ଏହି ମନ୍ଦିର । ଆସନ୍ତା କାଲି ରାତି ୮ ଘଟିକା ସମୟରୁ ବାଟ ବାଗଦେବୀ ମନ୍ଦିରରୁ ବିରାଟ ପଟୁଆର ରେ ମା ବାଗଦେବୀଙ୍କୁ ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ଅସ୍ଥାୟୀ ମନ୍ଦିରକୁ ପାଛୋଟି ନେବେ ।