ଅଢ଼େଇଗାଁରେ ଯୁବକଙ୍କୁ ଆକ୍ରମଣ କରି ୪ ଗିରଫ ; ଖଣ୍ଡା ସହ କାର ଓ ୪ ବାଇକ ଜବତ

ଭଞ୍ଜନଗର ୨୯/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ବେଲଗୁଣ୍ଠା ପୋଲିସ ଥାନା ଅନ୍ତର୍ଗତ ଅଢ଼େଇଗାଁର ୩ ଜଣ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରି କଇଣ୍ଡି ଗ୍ରାମର ଜଣେ ଯୁବକଙ୍କ ସହ ସ୍ଥାନୀୟ ହରିଜନ ଉଢୁରା ଗ୍ରାମର ୩ ଜଣ ଯୁବକଙ୍କୁ ପୋଲିସ ଗିରଫ କରି କୌର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା , ଗୋଟିଏ କାର ଓ ୪ ଟି ବାଇକ ଜବତ କରିଛି । ଅନ୍ୟପଟେ ଆକ୍ରମଣର ଶିକାର ହୋଇଥିବ ୩ଯୁବକଙ୍କ ମଧ୍ୟରୁ ଜଣେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ , ଗତ ସୋମବାର ଦିନ ରାତି ପ୍ରାୟ ୧୦:୩୫ ଅଢ଼େଇଗାଁର ଗନ୍ଧିଆ ବେହେରାଙ୍କ ପୁଅ ଭାବଗ୍ରାହୀ ବେହେରା (୪୫) ବେଲଗୁଣ୍ଠା ପୋଲିସ ଥାନାରେ ଆସି ଦେଇଥିବ ରିପୋର୍ଟ ଅନୁଯାୟୀ ସେହି ଦିନ ସନ୍ଧ୍ୟା ୬ ଘଣ୍ଟ ସମୟରେ ସ୍ଥାନୀୟ ପୋଖରୀରେ ଗାଧୋଇ ଘରକୁ ଫେରିବା ବେଳେ କଇଣ୍ଡି ଗ୍ରାମର ଅମି ବେହେରା ଓ ଉଢୁରା ହରିଜନ ସାହିର ତାଙ୍କର ପ୍ରାୟ ୨୨ ଜଣ ସହଯୋଗୀ ମାନେ ଗୋଟିଏ କାର ଓ ୭ ଟି ବାଇକରେ ଅଢ଼େଇଗାଁ ରାସ୍ତା ନିକଟକୁ ଆସି ସେମାନେ ଭୁଲ ଭାବେ କାହ୍ନୁ ପ୍ରଧାନଙ୍କୁ ଅଟକାଇବା ସହ ଖଣ୍ଡାରେ ଆକ୍ରମଣ କଲେ । ଅମି ବେହେରା କାହ୍ନୁ ପ୍ରଧାନଙ୍କ ବେକ ଓ ଦୁଇ ଗୋଡ଼କୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ କରାଯାଉଛି । ସେହି ସମୟରେ ଅଭିଯୋଗକାରୀ ଭାବଗ୍ରାହୀ ବେହେରା ଏବଂ ଚନ୍ଦନ ପ୍ରଧାନଙ୍କୁ ମଧ୍ୟ ଅଭୁଯୁକ୍ତ ମାନେ ଲାଠି ସାହାଯ୍ୟରେ ଆକ୍ରମଣ କରି ମାଡ଼ ମାରିଥିବା ଯୋଗୁଁ ଅଭିଯୋଗକାରୀ ଭାବଗ୍ରାହୀ ବେହେରାଙ୍କ ନାକଫାଟି ନାକରୁ ରକ୍ତସ୍ରାବ ହୋଇଥିବା ବେଳେ ଚନ୍ଦନ ପ୍ରଧାନଙ୍କ ମୁଣ୍ଡରେ ଆଘାତ ଲାଗିଥିବ ବେଳେ ଅଭିଯୁକ୍ତ ମାନେ ସେମାନଙ୍କ ପ୍ରତି ଆଶ୍ରାବ୍ୟ ଭାଷା ମଧ୍ୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।  ଆକ୍ରମଣର ଶିକାର ହୋଇଥିବା କାହ୍ନୁ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଡ଼ାକ୍ତର ପରାମର୍ଶ କ୍ରମେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୋଗ ଆଧାରରେ ଏଥିନେଇ ବେଲଗୁଣ୍ଠା ପୋଲିସ ଥାନାରେ ୨୦୨/୨୬ ରେ ଏକ ମାମଲା ରୁଜୁକରି ପୋଲିସ ତଦନ୍ତ କରି ୪ ଜଣ ଯୁବକଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୬(୨)/୨୯୬/୧୧୫(୨)/୧୦୯(୧)/୧୯୦ ଏବଂ ୨୭ ଆର୍ମସ ଆକ୍ଟ ବଳରେ ମଙ୍ଗଳବାର ଦିନ ଗିରଫ କରି ବୁଧୁବାର ଦିନ ଜଗନ୍ନାଥ ପ୍ରସାଦ ମାନ୍ୟବର ଜେଏମଏଫସିଙ୍କ କୌର୍ଟକୁ ଚାଲାଣ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଭଞ୍ଜନଗର ଥାନା କଇଣ୍ଡି ଗ୍ରାମର ବୃନ୍ଦାବନ ବେହେରାଙ୍କ ପୁଅ ଅମି ବେହେରା (୩୪) ଏବଂ ବେଲଗୁଣ୍ଠା ପୋଲିସ ଥାନା ଅନ୍ତର୍ଗତ ଉଢୁରା ଗ୍ରାମର ମୋହନ ନାଇକଙ୍କ ପୁଅ ସୀମା ନାଇକ (୩୪), ପଞ୍ଚୁ ନାୟକଙ୍କ ପୁଅ ପିତାମ୍ବର ନାଇକ (୩୦) ଏବଂ ଜୟରାମ ନାଇକଙ୍କ ପୁଅ ପ୍ରଦୀପ ନାଇକ (୩୨) ବୋଲି ଜଣାପଡିଛି ।