
ନୂଆପଡା, ତା. ୦୧.୦୫.(ପରମେଶ୍ୱର ମେହେର )
ନୂଆପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ଆନୁକୂଳ୍ୟରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ତଥା ମେ ଦିବସ-୨୦୨୬ ସ୍ଥାନୀୟ ପଥ ପ୍ରାନ୍ତ ସୁବିଧା କେନ୍ଦ୍ର, ଟାନୱାଟ ଠାରେ ଆୟୋଜିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଶ୍ରମିକମାନଙ୍କ ଉନ୍ନତି ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପୁନରୁଚ୍ଚାର କରିଥିଲେ।
ଏହି ଅବସରରେ ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡା. ସୋନିଆ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି, ନୂଆପଡ଼ା ମାନ୍ୟବର ବିଧାୟକ ଜୟ ଢୋଲକିଆଙ୍କ ପ୍ରତିନିଧି ତଥା ତାଙ୍କ ପତ୍ନୀ ସୁମନ ଢୋଲକିଆ, ଉପ ଜିଲ୍ଲାପାଳ ସୁର୍ମୀ ସୋରେନ, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ବରୀ ସାହୁ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ରବୀନ୍ଦ୍ର ବାର୍ଲା ଓ ଟାନୱାଟ ସରପଞ୍ଚ ଜୟରାମ ସତନାମୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।
ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ଶୁଭଦର୍ଶିନୀ ସାହୁ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଶ୍ରମିକ କଳ୍ୟାଣ ଯୋଜନା ବିଷୟରେ ଅଲୋକପାତ କରିଥିଲେ।
ଅତିଥିମାନେ ତାଙ୍କ ଅଭିଭାଷଣରେ ଶ୍ରମିକମାନଙ୍କ ସୁରକ୍ଷା, ଅଧିକାର ଓ ସାମାଜିକ ସୁରକ୍ଷା ଯୋଜନାର ସଦୁପଯୋଗ ଉପରେ ଜୋର ଦେଇଥିଲେ। ସମାଜ ଗଠନରେ ଶ୍ରମିକମାନଙ୍କ ଅବଦାନକୁ ସ୍ମରଣ କରି ସେମାନଙ୍କ ଜୀବନମାନ ଉନ୍ନତି ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ଉଲ୍ଲେଖ କରାଯାଇଥିଲା।
ଏହି ଅବସରରେ ବିଭିନ୍ନ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ମୋଟ ୩୯୩ ଜଣ ହିତାଧିକାରୀଙ୍କୁ ୨,୯୪,୩୬,୨୦୦ ଟଙ୍କା ଆର୍ଥିକ ସହାୟତା ବଣ୍ଟନ କରାଯାଇଥିଲା। ମୃତ୍ୟୁ କାଳୀନ ସହାୟତା ଅଧୀନରେ ୭୩ ଜଣଙ୍କୁ ୨,୧୭,୦୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବେଳେ ଶବଦାହ ସହାୟତାରେ ୭୧ ଜଣଙ୍କୁ ୩,୫୫,୦୦୦ ଟଙ୍କା, ଶିକ୍ଷା ସହାୟତାରେ ୭୨ ଜଣଙ୍କୁ ୫,୭୧,୨୦୦ ଟଙ୍କା, ବିବାହ ସହାୟତାରେ ୧୨୬ ଜଣଙ୍କୁ ୬୩,୦୦,୦୦୦ ଟଙ୍କା ଏବଂ ମାତୃତ୍ୱ ସହାୟତାରେ ୫୧ ଜଣଙ୍କୁ ୫,୧୦,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।
ଆର୍ଥିକ ବର୍ଷ ୨୦୨୫-୨୬ରେ ଏପର୍ଯ୍ୟନ୍ତ ଜିଲ୍ଲାରେ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ମୋଟ ୨୯୧୬ ଜଣ ହିତାଧିକାରୀଙ୍କୁ ୧୯,୨୧,୨୮,୬୦୦ ଟଙ୍କା ସହାୟତା ବଣ୍ଟନ କରାଯାଇଛି।
ଉଲ୍ଲେଯୋଗ୍ୟ ଯେ, ରାଜ୍ୟର ୫୦ଟି ବ୍ଲକରେ ସହକାରୀ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାପନ ହେବାକୁ ଯାଉଥିବା ବେଳେ ନୂଆପଡା ଜିଲ୍ଲାର ବୋଡେ଼ନ, ସିନାପାଲି ଓ କୋମନା ବ୍ଲକରେ ଏହି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି।
ଶେଷରେ ଗ୍ରାମୀଣ ଶ୍ରମ ନିରୀକ୍ଷକ ଜୟନ୍ତ କୁମାର ପଣ୍ଡା ଧନ୍ୟବାଦ ଜଣାଇଥିଲେ ଏବଂ ନିର୍ମାଣ ଶ୍ରମିକମାନଙ୍କୁ ପରିଚୟପତ୍ର ବଣ୍ଟନ ସହିତ କାର୍ଯ୍ୟକ୍ରମର ସମାପନ ହୋଇଥିଲା।