
ଭଞ୍ଜନଗର ୧୧/୦୫ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ରବିବାର କାଳବୈଶାଖୀ ଜନିତ ପବନ ଓ ବର୍ଷାରେ ଭଞ୍ଜନଗର ସହରରେ ଜନଜୀବନ ଠପ୍ ହୋଇଯାଇଛି। ଘଣ୍ଟା ଘଣ୍ଡା କାଳ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଥିବା ବେଳେ ସହରରେ ରାତିରେ ଅନ୍ଧାର ରାଜୁତି କରିଥିଲା। ଦିନରେ ପାଗ ଅନୁକୂଳ ରହିଥିବା ବେଳେ ରାତି ୧୦ ଟା ସମୟରେ ହଠାତ୍ ପାଗରେ ପରିବର୍ତ୍ତନ ହୋଇଥିଲା। ବର୍ଷା ଓ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ସହ ବିଦ୍ୟୁତ୍ ତାର ଛିଣ୍ଡି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଅଧିକାଂଶ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିଲା। ବର୍ଷା ପାଇଁ ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ଯାଇଛି। ଟାଟା ପାଓ୍ବାର କର୍ମଚାରୀ ବିଦ୍ୟୁତ ସେବାକୁ ସ୍ବାଭାବିକ କରିବା ପାଇଁ ଚେଷ୍ଟା କରିଥିଲେ। ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ବାଭାବିକ ହୋଇପାରିନଥିଲା। ଝଡ଼ ତୋଫାନ ଯୋଗୁ ଯାତ୍ରାର ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଲାଗିଥିବା ତୋରଣ ବର୍ଷା ପବନରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁରୁଣା ଜେଲ୍ ପଡିଆରେ ପଡିଥିବା କବି ସମ୍ରାଟ ରଙ୍ଗମଞ୍ଚରେ ମଧ୍ୟ ବ୍ୟାପକ କ୍ଷତି ହୋଇଛି। ଫଳରେ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀ ଙ୍କ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିବାକୁ ପଡିଥିଲା।
ଅପରପକ୍ଷେ ରବିବାର ରାତିରେ ଦେବୀଙ୍କ ନଗର ଭ୍ରମଣ ସମୟରେ ପ୍ରବଳ ବର୍ଷା ଯୋଗୁ ଯାତ୍ରା ଦେଖିବାକୁ ଆସିଥିବା ହଜାର ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦେବୀଙ୍କୁ ବର୍ଷାରେ ଶୋଭାଯାତ୍ରାରେ ନିଆଯାଇ ଉପଜିଲ୍ଲାପାଳଙ୍କ ବାସଭବନ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରେ ଦେବୀ ପୂଜା ପାଇଥିଲେ। ଏହାପରେ ବର୍ଷା ଛାଡ଼ିବା ପରେ ଦେବୀ ଅସ୍ଥାୟୀ ମଣ୍ଡପରେ ପହଞ୍ଚି ବିଶ୍ରାମ ନେଇଥିଲେ।