
ଭଞ୍ଜନଗର ୧୪/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଉପସାଗରୀୟ ଯୁଦ୍ଧ କାରଣରୁ ଆବଶ୍ୟକ ପରିମାଣର ଅଶୋଧିତ ତୈଳ ଆମଦାନୀ ହୋଇପାରୁ ନଥିବାରୁ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ପମ୍ପଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଓ ଡିଜେଲ ଯୋଗାଇ ପାରୁନାହାନ୍ତି। ଫଳସ୍ବରୂପ ଗତ କିଛିଦିନ ହେବ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡରେ ପେଟ୍ରୋଲ, ଡିଜେଲ ପର୍ଯ୍ୟାପ୍ତ ମିଳୁନାହିଁ। ଉପଖଣ୍ଡର ଅନେକ ପେଟ୍ରୋଲ ପମ୍ପ ତେଲ ନଥିବାରୁ ଅସ୍ଥାୟୀ ଭାବେ ସଟଡାଉନ୍ କରିଦେଇଛନ୍ତି। ଯେଉଁ ପେଟ୍ରୋଲ ପମ୍ପ ଖୋଲା ରହିଛି ସେଠାରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି। କିଛିକିଛି ଟାଙ୍କିରେ ପେଟ୍ରୋଲ୍ ମିଳୁଥିବା ବେଳେ ଅଧିକାଂଶ ଟାଙ୍କିରେ ଡିଜେଲ୍ ଉପଲବ୍ଧ ହେଉ ନାହିଁ।
ସୁଚନାନୁସାରେ,ଉପଖଣ୍ଡର ଭଞ୍ଜନଗରରେ ୮ ଟି, ଆସିକାରେ ୪ଟି, ବୁଗୁଡାରେ ୬ଟି, ବେଲଗୁଣ୍ଠାରେ ୩ଟି, ଶେରଗଡ଼ରେ ୩ଟି, ସୋରଡ଼ାରେ ୫ଟି, ଜଗନ୍ନାଥପ୍ରସାଦରେ ୪ଟି ଓ ଧରାକୋଟରେ ୩ଟି କୁ ମିଶାଇ ମୋଟ ୩୬ ଟି ପେଟ୍ରୋଲ ପମ୍ପ୍ ରହିଛି। ସହର ସମେତ ଉପଖଣ୍ଡର ଗ୍ରାମାଞ୍ଚଳ, ଜାତୀୟ ରାଜପଥ ଓ ରାଜ୍ୟପଥ କଡ଼ରେ ଏହି ସବୁ ପେଟ୍ରୋଲ ଟାଙ୍କି ରହିଥିବା ବେଳେ ଏହି ପମ୍ପ୍ ଗୁଡ଼ିକୁ ବିଶେଷକରି ପାରାଦ୍ଵୀପ ଓ ଝାରସୁଗୁଡ଼ାର ଡିପୋରୁ ତେଲ ଆସିଥାଏ। କିନ୍ତୁ ଯୁଦ୍ଧର ପ୍ରଭାବରେ ଏଲ୍ପିଜି ପରେ ଏବେ ଅଶୋଧିତ ତୈଳ ଆମଦାନୀରେ ସମସ୍ୟା ଦେଖାଦେଇଛି। ଫଳସ୍ବରୂପ ତେଲ ଯୋଗାଣକାରୀ କମ୍ପାନିମାନେ ଭଞ୍ଜନଗର ଉପଖଣ୍ଡର ପେଟ୍ରୋଲ ପମ୍ପଗୁଡ଼ିକୁ ଆବଶ୍ୟକ ପରିମାଣର ଡିଜେଲ୍ ପେଟ୍ରୋଲ, ସପ୍ଲାଇ କରିପାରୁନଥିବା ଅଭିଯୋଗ ହୋଇଛି।
ଜନୈକ ପେଟ୍ରୋଲ ପମ୍ପ ମାଲିକଙ୍କ କହିବା ଅନୁସାରେ, ତାଙ୍କର ଦୈନିକ ୨୦ କିଲୋଲିଟର ବା ୨୦ ହଜାର ଲିଟରର ପେଟ୍ରୋଲ ଆବଶ୍ୟକ ହେଉଥିବାବେଳେ ଏବେ ଡିପୋରୁ ତାଙ୍କୁ ୨ ଦିନରେ ଥରେ ୧୦ରୁ
୧୫ ହଜାର ଲିଟର ପେଟ୍ରୋଲ ମିଳୁଛି। ଉପଖଣ୍ଡର ପ୍ରାୟ ପେଟ୍ରୋଲ ପମ୍ପ୍ ଗୁଡ଼ିକରେ ଏହିଭଳି ସ୍ଥିତି ଲାଗି ରହିଛି। କିନ୍ତୁ ଡିଜେଲ୍ ଯୋଗାଣରେ ସମସ୍ୟା ଦ୍ବିଗୁଣିତ ହୋଇଯାଇଛି। ଇଣ୍ଡେଣ୍ଟ କରିବାର ୪-୫ ଦିନ ଯାଏ ବି ପମ୍ପଗୁଡ଼ିକୁ ଡିଜେଲ୍ ମିଳିପାରୁନି।