
ଚୌଦ୍ଵାର (ଶିବବ୍ରତ ଦାସ ): କିଛିଦିନ ହେବ ଚୌଦ୍ଵାର-କଟକ ରାଜନୀତିରେ ଏକ ଅଲଗା ଚିତ୍ର ଦେଖିବାକୁ ମିଳୁଛି। ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ପୁଣିଥରେ ଲୋକଙ୍କ ନିକଟତର ହେବାକୁ ଚେଷ୍ଟାରତ ଥିବା ବେଳେ, ତାଙ୍କର ଏହି ହଠାତ୍ ସକ୍ରିୟତା ନେଇ ସ୍ଥାନୀୟ ମହଲରେ ଅନେକ ପ୍ରଶ୍ନ ଉଠୁଛି।
ଦଳରୁ ବହିଷ୍କାର ପରେ ବର୍ତ୍ତମାନ ସେ କୌଣସି ଦଳ ସହିତ ଜଡିତ ନଥିବା ସତ୍ତ୍ୱେ, ଲୋକମାନଙ୍କ ମଧ୍ୟରେ ତାଙ୍କ ପ୍ରତି ସ୍ପଷ୍ଟ ସମର୍ଥନ ଦେଖିବାକୁ ମିଳୁନାହିଁ। ତଥାପି, ଆଜି ସକାଳୁ ଚୌଦ୍ଵାର ପୌରପାଳିକାର ୨ନମ୍ବର ୱାର୍ଡରେ ସେ ପ୍ରାତଃଭ୍ରମଣ କରୁଥିବା ଦୃଶ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା। ସେଥିରେ କିଛି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ବିଜେଡିର କିଛି ହାତଗଣତି କର୍ମୀ ମଧ୍ୟ ସାଥିରେ ଥିବା ଦେଖାଯାଇଥିଲେ। ବିଶେଷ ସୂତ୍ର ଅନୁସାରେ, ମହିଳାମାନଙ୍କୁ ନିକଟରେ ଆଣିବା ପାଇଁ ମିଛ ପ୍ରତିଶ୍ରୁତି ଦିଆଯାଉଥିବା କଥା ଶୁଣିବାକୁ ମିଳିଛି। କାହାକୁ ପାରିଷଦ ଓ କାହାକୁ ପୌର ଅଧ୍ୟକ୍ଷ କରିବା ପାଇଁ ଲୋଭ ଦେଖାଯାଇଥିବା ଶୁଣିବାକୁ ମିଳିଛି। ଏପରି ଘଟଣା ପୂର୍ବରୁ କେବେ ଦେଖାଯାଇନଥିବାରୁ, ଏହାକୁ ନେଇ ଲୋକମାନଙ୍କ ମନରେ ସନ୍ଦେହ ଆହୁରି ଗଭୀର ହେଉଛି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ଯେଉଁଠି ଦଳ ପ୍ରଭାତଙ୍କୁ ବହିଷ୍କାର କରିଦେଲା, ସେଠାରେ ଦଳକୁ ଭଲପାଉଥିବା କର୍ମୀମାନେ କାହିଁକି ତାଙ୍କ ପଛରେ ଦୌଡ଼ୁଛନ୍ତି? ଏହାର ରହସ୍ୟ କ’ଣ? ଏହା ସହିତ ଆଉ ଏକ ପ୍ରଶ୍ନ ମଧ୍ୟ ଜନ୍ମ ନେଇଛି— ଯିଏ ପୂର୍ବରୁ ଚୌଦ୍ଵାରକୁ ଅଣଦେଖା କରୁଥିଲେ, ସେ ଏବେ ହଠାତ୍ କାହିଁକି ଏତେ ସକ୍ରିୟ ଓ “ଲୋକପ୍ରିୟ” ହେବାକୁ ଚେଷ୍ଟା କରୁଛନ୍ତି? ସ୍ଥାନୀୟ ମହଲରେ ଏବେ ଏନେଇ ଚର୍ଚ୍ଚା— ଏହି “ନୂଆ ପ୍ରେମ” ସତ୍ୟରେ ଲୋକସେବା ପାଇଁ, ନା ଆଗାମୀ ଦିନରେ ଏହା ପ୍ରତାରଣାର ରୂପ ନେବ? ଚୌଦ୍ଵାରର ରାଜନୀତିରେ ଏହି ଘଟଣା ନୂଆ ମୋଡ଼ ନେଉଥିବା ବେଳେ, ଆସନ୍ତା ଦିନରେ ଏହା କେଉଁ ଦିଗକୁ ଯିବ—ସେଥିପାଇଁ ସମସ୍ତଙ୍କ ନଜର ରହିଛି।