
ଭଞ୍ଜନଗର,୨୬/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗରରେ ଏଡିଏମ୍ଙ୍କ ସ୍ବତନ୍ତ୍ର କ୍ୟାମ୍ପ କୋର୍ଟ ଆରମ୍ଭ । ରାଜସ୍ବ ଏଡିଏମ ଦେବଦତ୍ତ ପଣ୍ତା ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କ୍ୟାମ୍ପ କୋର୍ଟ ଆୟୋଜନ କରିଥିଲେ। ଏହି ସମୟରେ ସେ ଏକାଧିକ ମାମଲାର ଶୁଣାଣି କରିଥିଲେ। କିଛି ବର୍ଷ ପୂର୍ବରୁ ଭଞ୍ଜନଗରରେ ଏଡିଏମଙ୍କ କ୍ୟାମ୍ପ କୋର୍ଟ ଚାଲୁଥିଲା, କିନ୍ତୁ ପରେ ଏହା ବନ୍ଦ ହୋଇଯାଇଥିଲା। ଗତବର୍ଷ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଭଞ୍ଜନଗର ଗସ୍ତ ସମୟରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ବାର ଆସୋସିଏସନ୍ କର୍ମକର୍ତ୍ତାମାନେ ଏଠାରେ ପୁଣି କ୍ୟାମ୍ପ କୋର୍ଟ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ। ଏଥିସହ ଏନେଇ ଆର୍ଡିସିଙ୍କୁ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଭଞ୍ଜନଗର ସଦର ମହକୁମା ଜିଲ୍ଲା ମୁଖ୍ୟାଳୟ ଠାରୁ ବହୁ ଦୂରରେ ରହିଥିବା ବେଳେ ଏହି ଉପଖଣ୍ଡର ଅନେକ ଗ୍ରାମ ଜିଲ୍ଲା ମୁଖ୍ୟାଳୟ ଠାରୁ ୧୪୦ କିମିରୁ ଅଧିକ ବାଟ ପଡୁଛି।
କ୍ୟାମ୍ପ କୋର୍ଟ ଆରମ୍ଭ ହେବା ପରେ ଭଞ୍ଜନଗର ବାର ଆସୋସିଏସନ୍ ସଭାପତି ସନ୍ତୋଷ ନାୟକ, ସମ୍ପାଦକ ଧୀରେନ୍ କୁମାର ସ୍ୱାଇଁ, ଉପସଭାପତି ରଜତ କୁମାର ଦାସ, ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଅଳକା ମଞ୍ଜରୀ ପଟ୍ଟନାୟକ,ଏପିପି ବିଜୟ କୁମାର ଗୌଡ,ସମୀର କୁମାର ନାୟକ,ସନ୍ତୋଷ ପାଳ ଓ ତ୍ରିନାଥ ମଳିକ ପ୍ରମୁଖ ଏଡିଏମଙ୍କୁ ଭେଟି ସ୍ୱାଗତ ଜଣାଇଥିଲେ। ସେମାନେ ପ୍ରତି ମାସର ଶେଷ ସପ୍ତାହରେ ନିୟମିତ ଭାବେ କ୍ୟାମ୍ପ କୋର୍ଟ ଚାଲୁ ରଖିବାକୁ ମଧ୍ୟ ଅନୁରୋଧ କରିଥିଲେ। ଏହାପରେ ସେ ଅଚାନକ ଭଞ୍ଜନଗର ତହସିଲ କାର୍ଯ୍ୟାଳୟକୁ ଯାଇ କର୍ମଚାରୀଙ୍କ ସହ ବିଭିନ୍ନ ପ୍ରଶାସନିକ ବିଷୟରେ ସମୀକ୍ଷା କରିଥିଲେ। ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ସହକାରୀ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମ୍ମା ଏବଂ ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର ଉପସ୍ଥିତ ଥିଲେ।