
କଟକ : ବହୁ ଚର୍ଚ୍ଚିତ ଅଲକାଏଦା ଆତଙ୍କବାଦୀ ଲିଙ୍କ ଘଟଣାରେ ୨୦୧୫ ମସିହାରେ ଗିରଫ ହୋଇଥିବା ଅବଦୁର ରହମାନଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଅଦାଲତ । କଟକ ଜିଲ୍ଲା ଦୌରା ଜଜ କୋର୍ଟ ଅବଦୁର ରହମାନ ମାମଲାର ୭୪ ପୃଷ୍ଠାର ରାୟ ଦେଇ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି । ରହମାନ ବିରୋଧରେ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ୍ କରିଥିବା ଦେଶଦ୍ରୋହ ମାମଲାରେ କଟକ ଜିଲ୍ଳା ଦୌରା ଜଜ କୋର୍ଟ ଆଜି ଚୂଡାନ୍ତ ରାୟ ଦେଇଛନ୍ତି ।ପୂର୍ବରୁ ଜାମସେଦପୁର କୋର୍ଟ ଅଵଦୂର ରହମାନ ନାମରେ ଥିବା ଅନ୍ୟ ଏକ ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିଲେ । କିନ୍ତୁ ଦିଲ୍ଲୀ ପୋଲିସ କରିଥିବା ମାମଲାରେ ରହମାନ ଦିଲ୍ଲୀ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ୭ ବର୍ଷର ସଜା ପାଇଥିଲା। ତେବେ ଆତଙ୍କବାଦୀ ସଂଗଠନ ଅଲକାଏଦା ସହିତ ରହମାନର ସଂପୃକ୍ତି ଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଓ ଏନଆଇଏ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛ ଅଞ୍ଚଳରେ ଡିସେମ୍ବର ୨୦୧୫ ରେ ମସିହାରେ ଡିସେମ୍ବର ୧୫ ତାରିଖ ରାତିରେ ଚଢ଼ାଉ କରି ରହମାନକୁ ଗିରଫ କରିଥିଲେ।ଏହା ପରେ ଜଗତପୁର ଥାନା ତା ନାଁରେ ନିଜଆଡୁ ମାମଲା ରୁଜୁ କରି ତଦନ୍ତ କରିଥିଲା । ପରେ କ୍ରାଇମବ୍ରାଞ୍ଚ ଦେଶଦ୍ରୋହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପଟେ ଜାମସେଦପୁର ଓ ଦିଲ୍ଲୀ କୋର୍ଟରେ ମଧ୍ୟ ରହମାନ ନାଁରେ ଦେଶଦ୍ରୋହ ଓ ଆତଙ୍କବାଦ କାର୍ଯ୍ୟକଳାପ ନେଇ ମାମଲା ରୁଜୁ ହୋଇଥିଲା ।