୩୪ ବର୍ଷ ପରେ କାଠ ନିର୍ମିତ ରଥରେ ହେବ, ରଥଯାତ୍ରା

ଭଂଜନଗର – ୨୭/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଦୀର୍ଘ ୩୪ ବର୍ଷ ପରେ, ପ୍ରଥମ ଥର ପାଇଁ କାଠ ରଥରେ ବିଜେ କରି ରଥଯାତ୍ରାକୁ ବାହାରିବେ, ପ୍ରଭୁ ଶ୍ରୀଜଗନ୍ନାଥ । ସ୍ଥାନୀୟ ଅଞ୍ଚଳବାସୀ ଏବଂ ଶ୍ରଦ୍ଧାଳୁଙ୍କ ଖୁସି କହିଲେ ନସରେ । କୈ।ଣସି କାରଣରୁ କାଠରେ ରଥ ଟିଏ ହୋଇ ପାରୁନଥିଲା । ପ୍ରଥମେ ପ୍ରଥମେ ଶଗଡ଼ରେ ପ୍ରଭୁ ଜଗନ୍ନାଥ ବିଜେ କରି, ରଥଯାତ୍ରା କରୁଥିଲେ । ପରବର୍ତ୍ତୀ ସମୟରେ ଶଗଡ଼ ମଧ୍ୟ ମିଳିଲା ନାହିଁ । ବାଧ୍ୟହୋଇ ଏକ ଡାଲା ଅଟୋରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିଜେ କରି ରଥଯାତ୍ରା ହେଲା । ଏହା ଜଗନ୍ନାଥ ପ୍ରେମୀଙ୍କୁ କଷ୍ଟ ଦେଉଥିଲା । ଏଭଳି ବ୍ୟତିକ୍ରମ ବ୍ୟବସ୍ଥା ଦୂର ହେବାକୁ ଯାଉଛି, ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ବେଣୀପଲ୍ଲୀ ପଞ୍ଚାୟତର ମାଧବରିଡା ଗାଁ ରେ ବିଜେ ଶ୍ରୀଜଗନ୍ନାଥ ମନ୍ଦିରରେ । ଚଳିତବର୍ଷ ପ୍ରଭୁ କାଠ ନିର୍ମିତ ରଥରେ ବିଜେ କରି, ରଥଯାତ୍ରା କୁ ବାହାରିବେ । ଏଥିପାଇଁ ମହାରଣା କାରିଗରଙ୍କ ଦ୍ବାରା ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି । ବିଶେଷକରି ବନବିଭାଗର ସହଯୋଗ କ୍ରମେ ରଥକାଠର ବ୍ୟବସ୍ଥା କରାଯାଇଥିଲା । ସ୍ଥାନୀୟ ବେଣିପଲ୍ଲୀ ପଞ୍ଚାୟତ ସରପଞ୍ଚଙ୍କ ସମେତ ତ୍ରିବେଣୀ ଆଶ୍ରମର ସାଧୁସନ୍ଥ ଏବଂ ଗ୍ରାମବାସୀଙ୍କ ସହଯୋଗ କ୍ରମେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରକାଶ ଥାଉକି ଏହି ତ୍ରିବେଣୀ ଆଶ୍ରମ ଠାରେ ପୂଜା ପାଉଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ, ଏଠାରେ ଅଲୈ।କିକ ମହିମା ରହିଛି । ମାଧବରିଡା ଦେଇ ପ୍ରବାହିତ ହେଉଥିବା ବଡନଦୀରେ ଗତ ୧୯୯୦ ମସିହାରେ ବନ୍ୟା ହୋଇଥିଲା । ସହି ସମୟରେ ବନ୍ୟାପାଣିରେ ଭାସିଭାସି ଯାଉଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହକୁ, ନିକଟସ୍ଥ ବଙ୍କା ଗ୍ରାମର ଜଣେ ଭକ୍ତ ଉଧାର କରିଥିଲେ । ସେଠାରୁ ବିଗ୍ରହଙ୍କୁ ଆଣି, ମାଧବରିଡା ସ୍ଥିତି ତ୍ରିବେଣୀ ଆଶ୍ରମରେ ୧୯୯୨ ମସିହାରେ ପୂଜା କରାଗଲା । ସେଠାରେ ପ୍ରଭୁଙ୍କ ପାଇଁ, ମନ୍ଦିର ପ୍ରତିଷ୍ଠା ହେଲା । ସେହି ସମୟରୁ ପ୍ରତିବର୍ଷ ଆୟୋଜିତ ହୋଇ ଆସୁଛି, ରଥଯାତ୍ରା । କିନ୍ତୁ କାଠ ନିର୍ମିତ ରଥ ହୋଇନଥିବାରୁ, ବ୍ୟତିକ୍ରମ ବ୍ୟବସ୍ଥା ସତ୍ତ୍ୱେ ଶଗଡ଼ ଏବଂ ଅଟୋ ରେ ବିଜେ କରି ରଥଯାତ୍ରା ହୋଇ ଆସୁଥିଲା । ତେବେ ଦୀର୍ଘ ୩୪ ବର୍ଷ ପରେ, ଆସନ୍ତା ରଥଯାତ୍ରାରେ, କାଠ ରଥରେ ବିଜେ କରି ରଥଯାତ୍ରାକୁ ବାହାରିବେ, ପ୍ରଭୁ ଶ୍ରୀଜଗନ୍ନାଥ । ଏନେଇ ଅଞ୍ଚଳବାସୀଙ୍କ ଖୁସି କହିଲେ ନସରେ ।