
ଚୌଦ୍ଵାର (ଶିବବ୍ରତ ଦାସ ): ଓ.ଟି.ଏମ ଛକରୁ ନୂଆଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଚାଲିଛି ଏକ ‘ନିରବ ଅଭିଯାନ’। ଦିନ ଦିପହରେ ରାସ୍ତା ପାର୍ଶ୍ୱରେ ଭାଙ୍ଗୁଛି ଘର, ହଟୁଛି ଦୋକାନ କିନ୍ତୁ ପ୍ରଶ୍ନ ହେଉଛି, କାହା ଆଦେଶରେ ଏଭଳି କାର୍ଯ୍ୟ? ରାସ୍ତାଟି ଯେତେବେଳେ (ଆର ଆଣ୍ଡ ବି) ବିଭାଗ ଅଧୀନରେ, ଇଡକୋ କିପରି ଏଠାରେ ସମ୍ପ୍ରସାରଣ କାର୍ଯ୍ୟ କରୁଛି, କାହା ନିର୍ଦ୍ଦେଶ ବାଳରେ ଆରମ୍ଭ କଲା? ଅନୁମତି ଅଛି କି? ନା କେବଳ ‘ପାୱାର’ ଦେଖାଇ ଚାଲିଛି କାମ? ଆଉ କିଛି ପାରିଷଦ ଓ କୁଜି ନେତା ହେଉଛନ୍ତି ମାଲାମାଲ୍। ସରକାରୀ କାଗଜ କେଉଁଠି? ଏଭଳି ଅନେକ ପ୍ରଶ୍ନ ଏବେ କଲୋନୀ ବାସୀଙ୍କ ମନରେ। ଆଶ୍ଚର୍ଯ୍ୟର କଥା—ଚୌଦ୍ୱାର ମୁନିସିପାଲିଟି ଅଞ୍ଚଳରେ ଡ୍ରେନ ଓ ରାସ୍ତା ମରାମତି ପାଇଁ ବର୍ଷବର୍ଷ ଧରି ଅପେକ୍ଷା କରିବାକୁ ପଡ଼ୁଛି, କିନ୍ତୁ ଏଠାରେ ହଠାତ୍ ସମ୍ପ୍ରସାରଣ କାମରେ ଏତେ ତ୍ୱରାନ୍ୱିତତା କାହିଁକି? ସବୁଠାରୁ ଚିନ୍ତାଜନକ ଦୃଶ୍ୟ—କୌଣସି ସରକାରୀ ନୋଟିସ ନାହିଁ, ପ୍ରଚାର ନାହିଁ, ତଥାପି ଦୋକାନୀ ମାନେ ନିଜ ହାତରେ ନିଜର ଦୋକାନ ଭାଙ୍ଗୁଛନ୍ତି! ଏହା କି ଭୟର ପରିଣାମ, ନା ଚାପର ଖେଳ? ଏହା କେବଳ ଏକ ରାସ୍ତା କାମ ନୁହେଁ—ଏହା ଲୋକଙ୍କ ଅଧିକାର ସହ ଖେଳ। ଆଜି ଯଦି ସମସ୍ତ କଲୋନୀ ବାସୀ ନିରବ ରହିବେ, ଆସନ୍ତାକାଲି ଘର ମଧ୍ୟ ଏହି ତାଲିକାରେ ରହିବ ବୋଲି ଅନୁମାନ କରାଯାଉଛି। ଏଥିରୁ ସ୍ପଷ୍ଟ—ଯେଉଁମାନେ ଭାଙ୍ଗିବାକୁ କହୁଛନ୍ତି, ସେମାନଙ୍କୁ ପଚାରିବା ଉଚିତ୍ ଯେ “ଆପଣଙ୍କ ପାଖରେ ସରକାରୀ ଆଦେଶ ଅଛି କି?” ଦୋକାନୀ ଓ ସ୍ଥାନୀୟ ଲୋକମାନେ ଏକତ୍ର ହୋଇ ସ୍ୱର ଉଠାଇଲେ ନିଶ୍ଚିତ ଏହି ମନମୁଖୀ କାର୍ଯ୍ୟରେ ବ୍ରେକ ଲାଗିବ ବୋଲି ଅନୁମାନ କରାଯାଉଛି। କାରଣ ଏହି ଲଢେଇରେ ଅଞ୍ଚଳର କୌଣସି ନେତା କିମ୍ବା ମନ୍ତ୍ରୀ ଦଣ୍ଡାୟମାନ ହେବେ ନାହିଁ। ନିରବତା ଏଠାରେ ସମାଧାନ ନୁହେଁ—ଏହା ଆଗାମୀ ବଡ଼ ସମସ୍ୟାର ଆମନ୍ତ୍ରଣ।