
ସୋରଡ଼ା ୧୧/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ସୋରଡା ବ୍ଲକ ସୁରଖାଦେଇପୁର ଗ୍ରାମ ଛକରେ ଉଦ୍ଘାଟନ ହୋଇଯାଇଛି ଓଡ଼ିଶାର ପ୍ରଥମ ବୃହତ୍ ସୌର ପ୍ରକଳ୍ପ । ଶ୍ୟାମଳାଇ ସୋଲାର ପାର୍କ ର ପ୍ରତିଷ୍ଠାତା କିଷାନ୍ କୁମାର୍ ରଥଙ୍କ ପ୍ରଚେଷ୍ଟାରେ ଏହି ବୃହତ୍ ସୋଲାର ପ୍ରକଳ୍ପ ନିର୍ମାଣ ହୋଇପାରିଛି । ବୁଧବାର ପ୍ରକଳ୍ପର ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆର୍ ଡି ସି ବୀରସେନ ପ୍ରଧାନ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ମାଧ୍ୟମରେ ସାତ ଏକର ଜମିରେ ସୋଲାର ପେନାଲ ଖଞ୍ଜା ଯାଇ ସୌର ପ୍ରକଳ୍ପ ନିର୍ମାଣ ହୋଇଛି । ଏହାରି ମାଧ୍ୟମରେ ପ୍ରତି ଘଣ୍ଟା ପିଛା ୨.୬ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ହୋଇପାରିବ ।ଗୋଟିଏ ୟୁନିଟ୍ ପିଛା ଚାରି ଟଙ୍କା ପଚାଶ ପଇସା ଦେଇ ଗ୍ରୀଡକୋ କିଣିବାକୁ ଚୁକ୍ତିନାମା ହୋଇଛି ।ବଡ଼ଗଡ ଅଞ୍ଚଳରେ ଥିବା ଚାରଟି ବିଦ୍ୟୁତ୍ ସବ୍ ଷ୍ଟେସନ୍ କୁ ଏହି ପ୍ରକଳ୍ପ ମାଧ୍ୟମରେ ବିଜୁଳି ଯୋଗାଇ ଦିଆଯାଇ ପାରିବ । ଏହି ପ୍ରକଳ୍ପ ଦ୍ୱାରା ଅନେକ ସମୟରେ ବିଦ୍ୟୁତ୍ କାଟ ସମସ୍ୟା ଦୂର ହୋଇପାରିବ । ଏଥିରେ ଯୁବ ଉଦ୍ୟୋଗୀ କିଷାନ୍ କୁମାର୍ ରଥ ଦିନକୁ ୫୦ ହଜାର ଟଙ୍କା ରୋଜଗାର କରିପାରିବେ ବୋଲି ଆଶା ରଖିଛନ୍ତି। କେନ୍ଦ୍ରୀୟ ଯୋଜନାରେ ଏହି ପ୍ରକଳ୍ପ ପ୍ରଥମ ଥର ପାଇଁ ଓଡ଼ିଶାରେ ପ୍ରତିଷ୍ଠା ହୋଇଥିବାରୁ ସମସ୍ତ ବିଭାଗର ଅଧିକାରୀ ମାନେ ସହଯୋଗ କରିଛନ୍ତି । ଆଜିର ଉଦ୍ଘାଟନୀ ସମାରୋହରେ ଗ୍ରୀଡକୋ ଜେନେରାଲ ମ୍ୟାନେଜର ଶୋଭନ ରାୟ, ଏ ଜୀ ଏମ ଆର ଇ ସାସ୍ୱତୀ ମହାପାତ୍ର, ଭଞ୍ଜନଗର ବିଦ୍ୟୁତ୍ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ୟମାକାନ୍ତ ସାହୁ,କମଳାକାନ୍ତ ପଣ୍ଡା,ଆଦିତ୍ୟ ଦାସ,ସୋରଡା ଏସ ଡି ଓ ଦେବବ୍ରତ ସାହୁ ,ବଡ଼ଗଡ କନିଷ୍ଟଯନ୍ତ୍ରୀ ଅଶ୍ୱିନୀ ଦାସ,ଟି ପି ଏସ ଓ ଡି ଏଲ୍ ଅଧିକାରୀ ପ୍ରଦୀପ ଦାସ ଯୋଗ ଦେଇଥିଲେ । ବିଦ୍ୟୁତ୍ ଠିକାଦାର ଭାବରେ ସରସ୍ୱତୀ ଟେଲିସଲ୍ୟୁସନ୍ ମୁଖ୍ୟ ଧୀରେନ୍ଦ୍ର ପାତ୍ର ବିଦ୍ୟୁତ୍ ସଂଯୋଗୀ କରଣ କରିଥିଲେ ।