ମିମାଂସା ବୈଠକରେ ମହାଭାରତ, ଅଭିଯୋଗ ହେବାର ୨୪ ଘଣ୍ଟା ଭିତରେ ୨ ଅଭିଯୁକ୍ତ ଗିରଫ

ଚୌଦ୍ଵାର (ଶିବବ୍ରତ ଦାସ ): ପାରିବାରିକ କଳହ ନେଲା ଉଗ୍ରରୂପ ଆଉ ପାଲଟିଲା ମହାଭାରତ। ସମାଧାନ ପାଇଁ ଡକାଯାଇଥିଲା, ଶେଷରେ ରକ୍ତାକ୍ତ ସଂଘର୍ଷର ରୂପନେଲା। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ଏକାଧିକ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ଟାଙ୍ଗୀ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ଗନ୍ଦିଆ ଗ୍ରାମର ଆଶା ପୂର୍ତ୍ତିଙ୍କ ବିବାହ ଟାଙ୍ଗୀ ଥାନା ଅନ୍ତର୍ଗତ ମଣିଆ ଗ୍ରାମର ଯୁଗୁଲୁ ଦିଗିଙ୍କ ସହ ହୋଇଥିଲା। ବିବାହ ପରଠାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦର ସମାଧାନ ପାଇଁ ଗତ ୧୪ ତାରିଖ ଅପରାହ୍ନରେ ଉଭୟ ପକ୍ଷର ସମ୍ପର୍କୀୟମାନେ ଓ.ସି.ଏଲ ରୋଡ ସ୍ଥିତ ପଣ୍ଡା ଫାର୍ମ ହାଉସରେ ଏକତ୍ରିତ ହୋଇ ଆଲୋଚନା କରୁଥିଲେ। ଆଲୋଚନା ଚାଲିଥିବା ବେଳେ ହଠାତ୍ ବଚସା ଉଗ୍ରରୂପ ଧାରଣ କରିଥିଲା। ଅଭିଯୋଗ ଅନୁସାରେ, ଯୁଗୁଲୁ ଦିଗିଙ୍କ ପିତା ପଞ୍ଜନା ଦିଗି ଓ ତାଙ୍କ ପୁଅମାନେ ଉତ୍ତେଜିତ ହୋଇ କନ୍ୟା ଓ ତା’ର ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। କନ୍ୟା ଆଶା ପୂର୍ତ୍ତି ଓ ପରିବାର ଲୋକେ ଗୁରୁତର ଆହତ ହୋଇଥିଲେ। ଏକ ଲୁହା ରଡ୍ ଧରି ଜୀବନରୁ ମାରିଦେବାକୁ ଧମକ ଦେବା ସହ ଜେସିବି ଆଣି ସମସ୍ତଙ୍କୁ ପୋତିଦେବା ଭଳି ଧମକ ଦେଇଥିବା ଲିଖିତ ଅଭିଯୋଗ ହୋଇଛି। ଟାଙ୍ଗୀ ଥାନା ଅଧିକାରୀ ବିକାଶ ସେଠୀଙ୍କ ହସ୍ତକ୍ଷେପ ପରେ ଆହତମାନଙ୍କୁ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରାଯାଇ ପାରେ ଉତ୍ତମ ଚିକିତ୍ସା ନିମନ୍ତେ କଟକ ଏସ୍‌.ସି.ବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚରଣ ପୂର୍ତ୍ତିଙ୍କ ଅଭିଯୋଗକୁ ଆଧାର କରି ଟାଙ୍ଗୀ ପୋଲିସ କେସ ନଂ–୩୨୪/୨୦୨୬ ରେ ମାମଲା ରୁଜୁ କରି ୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ପୋଲିସ ଏହି ଘଟଣାରେ ପଞ୍ଜନା ଦିଗି ଓରଫ ପଞ୍ଜାବୀ ଓ ବିଜୟ ଦିଗି ଓରଫ ପୁଟୁଲୁ କୁ ଗିରଫ କରିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।