
ଭଞ୍ଜନଗର,୨୦/ ୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ତାରସିଂ ଥାନା ତଥା ଭଞ୍ଜନଗର ବ୍ଳକ ଅଧିନ ତୁରୁମୁ ପଞ୍ଚାୟତର କୁମ୍ଭିପଲ୍ଲୀ ଗ୍ରାମ ନିକଟରେ ଆଜି ଅପରାହ୍ନରେ ବଜ୍ରପାତ ଘଟି ୧୭ ଟି ଛେଳି ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ଆଜି ପୂର୍ବାହ୍ନରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ମଝିରେ ମଝିରେ କାଳବୈଶାଖୀ ପ୍ରଭାବରେ ବର୍ଷା ଆଶ୍ବସ୍ତୀ ଦେଉଥିଲେ ମଧ୍ୟ ବିଜୁଳି ଘଡଗଡି ଏବଂ ଏହି ସମୟରେ ହେଉଥିବା ବଜ୍ରପାତ ଯୋଗୁ ସାଧାରଣ ଜନଜୀବନରେ ନାହିଁ ନଥିବା କ୍ଷୟକ୍ଷତି ମଧ୍ୟ ଘଟୁଛି। ବଜ୍ରପାତରେ ଅନେକ ଜୀବନ ଯାଉଥିବା ବେଳେ କେତେକ କ୍ଷେତ୍ରରେ ନୀରିହ ପ୍ରାଣୀ ମାନଙ୍କ ମଧ୍ୟ ଜୀବନ ଚାଲି ଯାଉଛି। ପ୍ରତିଦିନ ଭଳି ଆଖପାଖ ଅଞ୍ଚଳର ଛେଳିକୁ ନେଇ ଚରାଳି ନିକଟ ଜଙ୍ଗଲ ନିକଟବର୍ତ୍ତି ଇଲାକାରେ ଛେଳି ଚରାଉଥିବା ବେଳେ ହଠାତ ବଜ୍ରପାତ ଘଟିଥିଲା। ଏଥିରେ ଗ୍ରାମର ବରହା ମଲ୍ଲିକ,ପ୍ରମୋଦ ମଲ୍ଲିକ,ଗଙ୍ଗାଧର ପ୍ରଧାନ,ନୀଳାମ୍ବର ପ୍ରଧାନ,ରବୀନ୍ଦ୍ର ମାଝୀ,ସୁରେଶ ମଲ୍ଲିକ,ବାବୁଲି ମଲ୍ଲିକଙ୍କ ଛେଳି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମୃତ ଛେଳିର ମାଲିକ ମାନେ ଗରୀବ ଶ୍ରେଣୀ ହୋଇଥିବାରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି। ରାଜସ୍ବ ବିଭାଗ ପକ୍ଷରୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି। ଏଭଳି ଗତ ରବିବାର ଦିନ ତାରସିଂ ଥାନା ଅଧୀନ ବାରଦଣ୍ଡା ଗ୍ରାମରେ ଅପରାହ୍ନରେ ବଜ୍ରପାତ ଘଟିବାରୁ ୧୨ଟି ଛେଳିର ମୃତ୍ୟୁ ଘଟିଥିଲା।