
ଜଗନ୍ନାଥ ପ୍ରସାଦ ୨୦/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପପୁର ପଞ୍ଚାୟତ କଲ୍ୟାଣପୁର ଗ୍ରାମର ଶଶୀ ବେହେରା ଗତ ଅକ୍ଟୋବର ମାସରୁ ଭତ୍ତା ପାଇବାରୁ ବଞ୍ଚିତ ହେବା ସମ୍ପର୍କରେ କିଛି ଖବରକାଗଜରେ ପ୍ରକାଶିତ ହୋଇଥିଲା। ଏହି ଖବରକୁ ଗୁରୁତ୍ୱର ସହ ନେଇ ବ୍ଲକ୍ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ, ଯାହାର ଫଳସ୍ୱରୂପ ଶଶୀ ବେହେରାଙ୍କ ଭତ୍ତା ସମସ୍ୟାର ସମାଧାନ ହୋଇଛି।
ଖବର ପ୍ରକାଶ ପରେ ବ୍ଲକ ପ୍ରଶାସନ ଯାଞ୍ଚରେ ଜଣାପଡ଼ିଲା ଯେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଖାତା ଓ ଆଇଏଫ୍ଏସସି ସମ୍ବନ୍ଧୀୟ ତ୍ରୁଟି ଯୋଗୁଁ ଶଶୀ ବେହେରା ଭତ୍ତା ପାଇପାରୁନଥିଲେ। ଏହି ତ୍ରୁଟି ସୁଧାର ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ନିର୍ଦ୍ଦେଶ ଦିଆଯାଇଛି।
ଶଶୀ ବେହେରାଙ୍କୁ ରେଡକ୍ରସ୍ ପାଣ୍ଠିରୁ ୫,୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଏହି ମାସ ଶେଷ ସୁଦ୍ଧା ସମସ୍ତ ବକେୟା ଭତ୍ତା ମିଳିବା ସହ ନିୟମିତ ଭାବେ ଭତ୍ତା ସେ ପାଇବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଜନସାଧାରଣଙ୍କ ଭତ୍ତା ସୁନିଶ୍ଚିତ କରିବା ପାଇଁ ବ୍ୟାଙ୍କ ସହଯୋଗ ଓ ଯାଞ୍ଚ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରାଯିବା କୁହାଯାଇଛି। ହିତାଧିକାରୀଙ୍କ ସମସ୍ତ ତଥ୍ୟ ଠିକ୍ ଭାବରେ ବ୍ୟାଙ୍କରେ ସଂଯୋଜିତ ହୋଇଛି କି ନାହିଁ, ସେଥିପାଇଁ ନିୟମିତ ଅନୁଧ୍ୟାନ କରାଯିବ ବୋଲି ମତ ପ୍ରକାଶ ପାଇଛି।
ଶଶୀ ବେହେରା ଏହି ସହାୟତା ପାଇ ଖୁସି ବ୍ୟକ୍ତ କରିଛନ୍ତି ଏବଂ ତାଙ୍କ ପରିବାର ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।