ଦୁଇ ବର୍ଷର ବିକାଶ, ତଥାପି ପ୍ରାପ୍ୟର ଉପବାସ।

ଚୌଦ୍ଵାର (ଶିବବ୍ରତ ଦାସ ): ମୋହନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ସାରା ରାଜ୍ୟରେ ଧୁମଧାମରେ ପାଳିତ ହେଉଛି “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ। ଟାଙ୍ଗୀ ଚୌଦ୍ୱାର ବ୍ଲକ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ମଞ୍ଚ ଉପରେ ଉନ୍ନତିର ଲମ୍ବା ଲମ୍ବା ଭାଷଣ, ସଫଳତାର ଫର୍ଦ୍ଦ ଓ ସରକାରୀ ଯୋଜନାର ଗୁଣଗାନରେ ପରିବେଶ ମୁଖରିତ ହେଉଥିବା ବେଳେ, ମଞ୍ଚ ତଳର ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ କାହାଣୀ କହୁଛି। ଯେଉଁଠି ମଞ୍ଚାସିନ ଅତିଥିମାନେ ବିକାଶର ଗଙ୍ଗା ବହୁଥିବା ଦାବି କରୁଛନ୍ତି, ସେଇଠି ସାଧାରଣ ଲୋକ ନିଜର ମୌଳିକ ସମସ୍ୟା ନେଇ ଦରବାର କରୁଥିବା ଦୃଶ୍ୟ ପୁଣି ଥରେ ପ୍ରଶାସନିକ ଦାବିକୁ ପ୍ରଶ୍ନବାଚୀ କରିଛି। ଆବାସ ଯୋଜନାର ଅପେକ୍ଷା, ପାନୀୟ ଜଳ ସଙ୍କଟ, ଭତ୍ତା ପ୍ରଦାନରେ ବିଳମ୍ବ ଏବଂ ସବୁଠାରୁ ବଡ଼ କଥା ଦୀର୍ଘ ଦିନ ଧରି ବକେୟା ଦରମା ପାଇଁ ସଂଘର୍ଷ କରୁଥିବା ଅଙ୍ଗନୱାଡ଼ି ସହାୟିକାଙ୍କ ଆର୍ତ୍ତନାଦ ଆଜି ବି ଅନୁତ୍ତରିତ ହୋଇ ରହିଛି। ପ୍ରଶ୍ନ ଉଠୁଛି, ଯେଉଁଠି ଜଣେ ସହାୟିକା ମାସ ମାସ ଧରି ନିଜ ପରିଶ୍ରମର ପ୍ରାପ୍ୟ ପାଇଁ କାର୍ଯ୍ୟାଳୟରୁ କାର୍ଯ୍ୟଳୟ ବୁଲୁଛନ୍ତି, ସେଠାରେ ବିକାଶର ଉତ୍ସବ କେଉଁ ଆଧାରରେ ପାଳନ କରାଯାଉଛି? ମଞ୍ଚରେ ଉନ୍ନତିର ଚିତ୍ର ଯେତେ ରଙ୍ଗୀନ ଦେଖାଯାଉଛି, ବାସ୍ତବତା କିନ୍ତୁ ତା’ଠାରୁ ଅଧିକ ଫିକା ବୋଲି ଲୋକମାନେ କହୁଛନ୍ତି।
ସ୍ଥାନୀୟ ଲୋକଙ୍କ ମତ ଯଦି ମୁଖ୍ୟମନ୍ତ୍ରୀ ନିଜେ ଟାଙ୍ଗୀ ଚୌଦ୍ୱାର ଗସ୍ତ କରି ତୃଣମୂଳ ସ୍ତରର ବାସ୍ତବ ଚିତ୍ରର ସମୀକ୍ଷା କରନ୍ତି, ତେବେ ଫାଇଲରେ ଥିବା ବିକାଶ ଓ ଭୂମିସ୍ତରର ବିକାଶ ମଧ୍ୟରେ ଥିବା ଫରକ ସ୍ପଷ୍ଟ ହୋଇଯିବ। ତା ସହିତ ଉନ୍ନତିର ମୁଖା ପିନ୍ଧିଥିବା କିଛି ଅସାଧୁ କର୍ମଚାରୀଙ୍କ ଅସଲ ଚେହେରା ମଧ୍ୟ ପଦାକୁ ଆସିପାରେ।ଏବେ ଲୋକଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ “ବିକାଶ ଧାରା ଓଡ଼ିଶା ସାରା, ନା ବିକାଶ କେବଳ ମଞ୍ଚ ସାରା?