
ଭଞ୍ଜନଗର ୨୫/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବେନିୟମ ଭାବେ ଗୋ’ ଚାଲାଣ ଦିନକୁ ଦିନ ବଢୁଛି। ବିଭିନ୍ନ ସମୟରେ ଜିଲାର ବିଭିନ୍ନ ଗାଈହାଟ ଦେଇ ଜିଲା ଓ ରାଜ୍ୟ ବାହାରକୁ ଗୋ’ଚାଲାଣ ହେଉଛି। ଏଥିସହ ଆଉ କେତେକ ସମୟରେ ଚଲାଇ ଚଲାଇ ନେଇ ଅନ୍ୟତ୍ର ବିକ୍ରି କରାଯାଉଛି।
ଏହିଭଳି ବୁଧବାର ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ଅଞ୍ଚଳ ରୁ ବୁଗୁଡ଼ା ଥାନା ଘୋଲପୁର ଅଞ୍ଚଳର କିଛି ବେପାରୀ କେରଳ ଗୋ’ଚାଲାଣ କରୁଥିଲେ। ଭଞ୍ଜନଗର ଥାନା କର୍ମଚାରୀ ମାନେ ସେହି ରାସ୍ତାରେ ପାଟ୍ରୋଲିଂ କରୁଥିବା ଏଏସ୍ଆଇ ଶରତ ଚନ୍ଦ୍ର ପଣ୍ତା ଏତେ ଗୋରୁ ଦେଖି ସନ୍ଦେହରେ ଅଭିଯୁକ୍ତମାନଙ୍କୁ ପଚାରିଥିଲେ। ଏହାପରେ ଉକ୍ତ ଗୋରୁ ସବୁ କେରଳ ଚାଲାଣ ହେଉଥିଲା ବୋଲି ଅଭିଯୁକ୍ତମାନେ ପୋଲିସ ସମ୍ମୁଖରେ ବୟାନ ଦେଇଥିଲେ । ଏହାପରେ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ପରାମର୍ଶ କ୍ରମେ ଏନେଇ ଏକ ମାମଲା ରୁଜୁ ହେବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ୪ ଜଣ ହେଲେ ଲକ୍ଷଣ ଗୌଡ଼, ପ୍ରକାଶ ନାୟକ, ବୁଦ୍ଧଦେବ ପ୍ରଧାନ ଓ ଗଣେଶ ନାଇକ। ସେମାନଙ୍କ ଘର ବାଇବାଲି ଓ ଘୋଲପୁର। ଏଥିସହ ୧୦୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରି ଗୋ’ଶାଳାରେ ରଖିବା ବ୍ୟବସ୍ଥା କରାଯାଇଛି।