
ପୁରୀ,୨୬/୦୬(ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ରିପୋର୍ଟ) : ଦେବସ୍ନାନ ପୂର୍ଣ୍ଣିମାକୁ ମଝିରେ ରହିଲା ମାତ୍ର ୨ ଦିନ । ସୋମବାର ଶ୍ରୀବିଗ୍ରହ ପହଣ୍ଡି ହୋଇ ସ୍ନାନବେଦିରେ ବିଜେ ହେବେ । ସ୍ୱତନ୍ତ୍ର ବସ୍ତ୍ର ଲାଗି ହୋଇ ଠାକୁରଙ୍କ ପହଣ୍ଡି ହେବ । ଏଣୁ ପାରମ୍ପରିକ ଦର୍ଜୀ ସେବକ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଠାକୁରଙ୍କ ପାଇଁ ଶ୍ରୀପୟର ତୂଳୀ, ବିଜେ ତୂଳୀ, ନଳୀଭୂଜ ଓ ନାରା ଆଦି ବିଶେଷ ପୋଷାକ ପ୍ରସ୍ତୁତ ହେଉଛି । ଦର୍ଜୀ ସେବକ ପ୍ରକାଶ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଛି ଏହି କାମ । ଦେଉଳକରଣଙ୍କ ପରାମର୍ଶ ଅନୁସାରେ ଦର୍ଜୀ ସେବକମାନେ ଠାକୁରଙ୍କ ଆବଶ୍ୟକ ପୋଷାକ ତିଆରୁଛନ୍ତି ।ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନଙ୍କ ପାଇଁ ବିଜେତୂଳୀ ପ୍ରସ୍ତୁତ ହେଉଛି । ଚକା ଛାଡ଼ି ପହଣ୍ଡି ହୋଇ ଯିବା ସମୟରେ ଠାକୁରେ ବିଜେତୂଳୀ ଉପରେ ବିରାଜମାନ ହେବେ । ଶ୍ରୀପୟର ତୂଳୀ ଠାକୁରଙ୍କ ଶ୍ରୀଅଙ୍ଗକୁ ଆଘାତ ନହେବା ପାଇଁ ଲାଗି କରାଯାଏ । ବଡ଼ଠାକୁର ଶ୍ରୀବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇ ଦୁଇଟି ଶ୍ରୀପୟର ତୂଳୀ ପ୍ରସ୍ତୁତ ହେଉଛି । ଗୋଲାକୃତି ଏହି ବସ୍ତ୍ର । ଶ୍ରୀହସ୍ତମାନଙ୍କ ପାଇଁ ନଳୀଭୁଜ ତିଆରି ହେଉଛି । ଦାରୁ ଦେବତାଙ୍କ ପାଇଁ ଗଡ଼ାକନାର ବସ୍ତ୍ର କରାଯାଇ କମରପଟି ଦେଇ ନାରା ସାହାଯ୍ୟରେ ରୁନ୍ଧାଯିବ ।ଏଥିସହ ୧୬ ହାତିଆ, ୧୨ ହାତିଆ ଧଳା ଗଡ଼ାକନା ଓ ପତନୀକନାରେ ପ୍ରସ୍ତୁତ ହେଉଛ ଏସବୁ ସ୍ୱତନ୍ତ୍ର ପୋଷାକ । ଧଳା କନାରେ ନାଲି ଧଡ଼ି ଥାଇ ସୂତାକୁଟା ବ୍ୟବହାର କରାଯାଉଛି । ଧଳା କନାରେ ଅଳତା ବୁଡ଼ାଇ ଶୁଖା ଗଲାପରେ କୁସୁମୀ ବସ୍ତ୍ର ପ୍ରସ୍ତୁତ ହୁଏ । ପାରମ୍ପରିକ ଶୈଳୀରେ ୩ ଠାକୁରଙ୍କ ପାଇଁ ବସ୍ତ୍ର ତିଆରି ହେଉଛି । ଏହାକୁ ଅତି ଶୁଦ୍ଧପୂତ ଭାବେ ତିଆରି କରାଯାଉଛି । ଶୁକ୍ରବାର ସ୍ନାନ ମଣ୍ଡପ ପାଇଁ ଚାନ୍ଦୁଆ ମରାମତି କରାଯିବ । ସ୍ନାନମଣ୍ଡପରେ ୧୪ଟି ଚାନ୍ଦୁଆ ଲାଗୁଥିବା ଶ୍ରୀ ମହାପାତ୍ର କହିଛନ୍ତି ।