ନିରାକାରପୁର ରେଳ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ; କାର୍ଯ୍ୟାନୁଷ୍ଠାନକୁ ନେଇ ଉଠିଲା ପ୍ରଶ୍ନ

ଖୋର୍ଦ୍ଧା (ଚନ୍ଦନ ମହାରଣା, ଜିଲ୍ଲା ପ୍ରତିନିଧି): ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅଧୀନ ନିରାକାରପୁର ରେଳ ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରୁ ଗଞ୍ଜେଇ ଜବତ ହେବା ସହ ଜଣେ ଯୁବକଙ୍କୁ ରେଳବାଇ ପୋଲିସ୍ ଗିରଫ କରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଗତ ସୋମବାର (୬ ଜୁଲାଇ ୨୦୨୬) ଉକ୍ତ ଯୁବକ ବିଶାଖା ଏକ୍ସପ୍ରେସରେ ଗଞ୍ଜେଇ ନେଇ ଯିବାକୁ ଅପେକ୍ଷା କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ରେଳବାଇ ପୋଲିସ୍ ଚଢ଼ାଉ କରି ତାଙ୍କୁ କାବୁ କରିଥିଲା।
ତେବେ ଏହି ଘଟଣାକୁ ନେଇ କିଛି ପ୍ରଶ୍ନ ଉଠିଛି। ସ୍ଥାନୀୟ ମହଲରେ ଆଲୋଚନା ହେଉଛି ଯେ, ଗଞ୍ଜେଇ ଜବତ ସମୟରେ ଜବତ ସାମଗ୍ରୀର ପରିମାଣ ଓ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯିବା ଉଚିତ ବୋଲି କୁହାଯାଏ। ଏହି ମାମଲାରେ ସେଭଳି ପ୍ରକ୍ରିୟା ଅନୁସରଣ ହୋଇଥିଲା କି ନାହିଁ, ସେନେଇ ପ୍ରଶ୍ନ ଉଠୁଛି।
ଅନ୍ୟପକ୍ଷରେ, ଘଟଣାଟି ୬ ଜୁଲାଇରେ ଘଟିଥିବା ବେଳେ ରେଳବାଇ ପୋଲିସ୍ ପକ୍ଷରୁ ୭ ଜୁଲାଇରେ ଏହା ସମ୍ପର୍କରେ ସୂଚନା ଦିଆଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ସାଧାରଣରେ ଆଲୋଚନା ହେଉଛି ଯେ, ଯଦି ଅଭିଯୁକ୍ତଙ୍କୁ ୬ ଜୁଲାଇରେ ଧରାଯାଇଥିଲା, ତେବେ ସେହିଦିନ ହିଁ ମାମଲା ରୁଜୁ ହୋଇଥିଲା କି ନାହିଁ, ଏବଂ ଯଦି ନୁହେଁ, ତେବେ ବିଳମ୍ବର କାରଣ କଣ।