ମହାନତା ଦେଖାଇଲେ ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ

ଭଞ୍ଜନଗର,୦୮/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ପୋଲିସ ସର୍ବଦା ଶକ୍ତ ଏବଂ କଠୋର ଭାବେ ଅନେକଙ୍କ ମନରେ ଚିତ୍ର ରହିଥିବା ବେଳେ ପୋଲିସ ଭିତରେ ଥିବା ମଣିଷଟି ମଧ୍ୟ ଅନେକ ସମ୍ବେଦନଶୀଳ ମାନବିକତାର ପରିଚୟ ସୃଷ୍ଟି କରିପାରେ। ଏଭଳି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଭଞ୍ଜନଗର ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେ। ଜଣେ ଆହାତ ବ୍ୟକ୍ତିଙ୍କୁ ନିଜର ସରକାରୀ ଗାଡିରେ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା ବ୍ୟବସ୍ଥା କରାଇ ମାନବ ଜୀବନର ମହାନତାକୁ ପ୍ରଦର୍ଶନ କରିଛନ୍ତି। ଗତକାଲି ରାତି ରେ ଶ୍ରୀ ଦେ ତାରସିଂ ଥାନା ଅଧିନ ଗାଲେରୀ ଇଲାକାକୁ କୌଣସି କାର୍ଯ୍ୟରେ ଯିବା ସମୟରେ କୁଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହାତ ହୋଇ ପଡିଥିବା ଦେଖିବାକୁ ପାଇଥିଲେ। ଯୁବକ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଶ୍ରୀ ଦେ ନିଜ ଗାଡିକୁ ଅଟକାଇବା ସହ କାଳ ବିଳମ୍ବ ନକରି ଯୁବକ ଜଣକୁ ଉଦ୍ଧାର କରି ନିଜର ସରକାରୀ ଗାଡିରେ ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ସେ ନିଜେ ଉପସ୍ଥିତ ରହି କର୍ମଚାରୀ ଶିବରାମ ପ୍ରଧାନ ସ୍ଥାନୀୟ ଦୁଇ ଯୁବକ ଟୁକୁନା ସାହୁ,କୃଷ୍ଣଚନ୍ଦ୍ର ଦାସଙ୍କ ସହାୟତାରେ ଆହତଙ୍କୁ ମେଡିକାଲ ପହଞ୍ଚାଇ ଜରୁରୀକାଳୀନ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଇଥିଲେ। ଆହାତ ଜଣକ ହେଲେ ଭଞ୍ଜନଗର ଥାନା ନିଗମାନନ୍ଦ ମାର୍ଗ ର ସାଗର ମହାରଣା ( ୩୨)। ନିଜ ସ୍କୁଟିରୁ ଭାରସାମ୍ୟ ହରାଇ ଖସିପଡ଼ି ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡିଥିଲେ। ସେଠାରେ ଉପସ୍ଥିତ ଥିବା ଡାକ୍ତର ସାଗର ଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିବା ଜଣାପଡିଛି। ଚିକିତ୍ସା ବିଜ୍ଞାନ ଅନୁସାରେ, ଦୁର୍ଘଟଣା ବା ଗୁରୁତର ଆହତ ହେବାର ପ୍ରଥମ ଏକ ଘଣ୍ଟା ଜୀବନ ବଞ୍ଚାଇବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥାଏ। ଶ୍ରୀ ଦେ, ଠିକ୍ ସମୟରେ ଉପସ୍ଥିତ ବୁଦ୍ଧି ଖଟାଇ ଯୁବକଙ୍କୁ ମେଡିକାଲରେ ପହଞ୍ଚାଇଥିବାରୁ ତାଙ୍କର ମୂଲ୍ୟବାନ ଜୀବନ ବଞ୍ଚିଯାଇଛି। ତାଙ୍କର ଏଭଳି ସହାନୁଭୂତିପୂର୍ଣ୍ଣ ଏବଂ ଦାୟିତ୍ୱବାନ କାର୍ଯ୍ୟ ପାଇଁ ସ୍ଥାନୀୟ ଜନସାଧାରଣ ଏବଂ ବୁଦ୍ଧିଜୀବୀ ମହଲରେ ତାଙ୍କୁ ବେଶ୍ ପ୍ରଶଂସା କରାଯାଉଛି।