
ବେଲଗୁଣ୍ଠା ୨୦/୦୭ (ବିନାୟକ ଗୌଡ଼): ମାନବ ସେବା ହିଁ ମାଧବ ସେବା ,ଏହି ଉକ୍ତିକୁ ଚରିତାର୍ଥ କରିବା ପାଇଁ କ୍ଵଚିତ ଲୋକଙ୍କ ମନରେ ଶୁଭ ଭାବନା ଜାଗ୍ରତ ହେବା ସହ ଏ ଦିଗରେ ମଧ୍ୟ ସେମାନେ ଉଦ୍ୟମ ଆରମ୍ଭ କରିଥାନ୍ତି । ମାନବ ସେବାର ଅନେକ ମାଧ୍ୟମ ରହିଥିଲେ ମଧ୍ୟ ଡ଼ାକ୍ତରୀ ଚିକିତ୍ସା ସେବା ସେଥି ମଧ୍ୟରୁ ଅନ୍ୟତମ । ଏହି ସେବା କରିବା ପାଇଁ ଡ଼ାକ୍ତରୀ ପାଠ ଅଧ୍ୟୟନ କରିବା ଜରୁରୀ । ଡ଼ାକ୍ତରୀ ପାଠ ପଢ଼ିବା ପାଇଁ ସର୍ବଭାରତୀୟ ସ୍ତରରେ ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଏଥିରେ ସଫଳତା ପାଇବା ମଧ୍ୟ ଅନେକ କଷ୍ଟସାଧ୍ୟ । ତେବେ ଚଳିତ ବର୍ଷ ସର୍ବଭାରତୀୟ ଏହି ଡ଼ାକ୍ତରୀ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ହାସଲ କରିବା ସହ ବେଲଗୁଣ୍ଠା ପାଇଁ ଗୌରବ ଆଣିଛନ୍ତି ସ୍ଥାନୀୟ ଅଞ୍ଚଳର ତିନି ମେଧାବୀ ସ୍ୱୟଂଶକ୍ତି, ଜସ୍ମୀନ ଓ ଅନୁରାଗ । ସେମାନଙ୍କ ଦୃଢ଼ ସକଳ୍ପ , ଏକନିଷ୍ଠ ଏକାଗ୍ର ଅଧ୍ୟୟନ ଓ ପ୍ରଚେଷ୍ଠା ସେମାନଙ୍କୁ ଏହି ସଫଳତା ପ୍ରଦାନ କରିଛି ବୋଲି ସେମାନଙ୍କ ଅଭିଭାବକ ମାନେ କହିଛନ୍ତି । ସର୍ବଭାରତୀୟ “ନିଟ” ପରୀକ୍ଷାରେ ୬୨୦ ମାର୍କ ସହ ସର୍ବଭାରତୀୟ ସ୍ତରରେ ୫୦୨୬ ରାଙ୍କ ରଖି ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ବେଲଗୁଣ୍ଠା ମାଷ୍ଟର କଲୋନୀ ନିବାସୀ ତଥା ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅଶୋକ କୁମାର ପ୍ରଧାନଙ୍କ ପୁଅ ସ୍ୱୟଂଶକ୍ତି । ସେ ନିଜର ସଫଳତା ପାଇଁ କଠିନ ପରିଶ୍ରମ ସହ ଈଶ୍ୱର ଓ ବାପା,ମାଙ୍କ ଆଶିର୍ବାଦ ରହିଥିବା କହିଛନ୍ତି । ପିଲାଟି ବେଳରୁ ମେଧାବୀ ଥିବା ସ୍ୱୟଂକାନ୍ତ ଦଶମ ଶ୍ରେଣୀ ଭଞ୍ଜନଗର ସେଣ୍ଟ ଜାଭିୟର ଇଙ୍ଗଲିଶ ମିଡ଼ିୟମ ସ୍କୁଲରେ ଅଧ୍ୟୟନ କରି ମାଟ୍ରିକ ପରୀକ୍ଷାରେ ୯୨ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ସହ ସ୍କୁଲ ଟପର ହୋଇଥିଲେ । ସେହିଭଳି ବ୍ରହ୍ମପୁର ନିକଟ ଗୋଳନ୍ଥରା ସ୍ଥିତ ଶ୍ରୀଚୈତନ୍ୟ ଟେକ୍ନୋ ସ୍କୁଲରେ +୨ ବିଜ୍ଞାନ ବୋର୍ଡ଼ ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖି ଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲ ଟପର ହୋଇଥିଲେ । ସେହିଭଳି ପ୍ରତିକୂଳ ଆର୍ଥିକ ପରିସ୍ଥିତି ସତ୍ତ୍ୱେ ଡ଼ାକ୍ତରୀ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷାରେ ୬୧୯ ମାର୍କ ସହ ୫୨୪୮ ସର୍ବଭାରତୀୟ ରାଙ୍କ ସହ ଜିରୋଳି ନିବାସୀ ଜଗବନ୍ଧୁ ପାଣିଗ୍ରାହୀଙ୍କ ଝିଅ ଜସ୍ମୀନ ଡ଼ାକ୍ତରୀ ପାଠ ପଢ଼ିବା ପାଇଁ ଯୋଗ୍ୟତା ଅର୍ଜନ କରିବା ସହ ବେଲଗୁଣ୍ଠା ଅଞ୍ଚଳ ବାସୀଙ୍କ ପାଇଁ ଗୌରବ ଆଣିଛନ୍ତି । ସେ ପିଲାଟି ବେଳରୁ ଅତି ମେଧାବୀ ଛାତ୍ରୀ ଥିଲେ । ସେ ଜିରୋଳି ପ୍ରକଳ୍ପ ଉନ୍ନିତ ଉଚ୍ଚ ବିଦ୍ୟାଳୟରୁ ୯୭ ପ୍ରତିଶତ ମାର୍କ ସହ ବ୍ଲକ ଟପର ହୋଇଥିବ ବେଳେ ବ୍ରହ୍ମପୁର ନାଳନ୍ଦା ଶ୍ରୀ ହାଏର ସେକେଣ୍ଡାରୀ ସ୍କୁଲରୁ ୯୪ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ପରିବାରର ଆର୍ଥିକ ସ୍ୱଚ୍ଛଳତା ନ ଥିବା ବେଳେ ସ୍ଥାନୀୟ ଓଡ଼ିଆ ମାଧ୍ୟମ ସ୍କୁଲରେ ପଢ଼ି ନିଟ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଉଚ୍ଚ ରାଙ୍କ ରଖିବା ଜସ୍ମୀନଙ୍କ ଏକନିଷ୍ଠ ଉଦ୍ୟମ ଓ କେବଳ ପ୍ରତିଭା ବଳରେ ସମ୍ଭବ ହୋଇ ପାରିଥିବା ସ୍ଥାନୀୟ ବୁଦ୍ଧିଜୀବୀ ମାନେ କହିଛନ୍ତି । ଅନ୍ୟପଟେ ବେଲଗୁଣ୍ଠାର ବିଶିଷ୍ଟ ବ୍ୟବସାୟୀ ତଥା ବାଙ୍କ ବଜାର ଚକା ଡୋଳା ଡ୍ରେସେସର ମାଲିକ ରଜତ କୁମାର ସାହୁଙ୍କ କନିଷ୍ଠ ପୁତ୍ର ଅନୁରାଗ ସାହୁ ମଧ୍ୟ ନିଟ ପରୀକ୍ଷାରେ ୫୯୦ ମାର୍କ ସହ ୧୩୭୦୦ ସର୍ବ ଭାରତୀୟ ରାଙ୍କ ସହ ଡ଼ାକ୍ତରୀ ପାଠ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଜେଇଇ ମେଇନ ପରୀକ୍ଷାରେ ମଧ୍ୟ ଏନଆଇଟି ରାଉରକେଲା ରେ ପଢ଼ିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଅନୁରାଗ ଭୁବନେଶ୍ୱର ଡ଼ିଏଭି ସ୍କୁଲରୁ ମାଟ୍ରିକ ପରୀକ୍ଷାରେ ୯୮ପ୍ରତିଶତ ରଖିଥିବା ବେଳେ +୨ ବିଜ୍ଞାନରେ ୯୭ ପ୍ରତିଶତ ମାର୍କ ରଖି ନିଜର ମେଧା ଶକ୍ତି/ପ୍ରତିଭାର ପରିଚୟ ଦେଇଥିଲେ । ନିଟ ଯୋଗ୍ୟତା ଅର୍ଜନ କରିଥିବା ବେଲଗୁଣ୍ଠା ଅଞ୍ଚଳର ତିନି ମେଧବୀ ସ୍ୱୟଂଶକ୍ତି ,ଜସ୍ମୀନ ଓ ଅନୁରାଗଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଥିବା ବେଳେ ମିଡ଼ିଆ କ୍ଲବ ସଭାପତି ଏଲ.ସତୀଶ ରେଡ୍ଡୀ ,ରୋଟାରୀ ପୂର୍ବତନ ଉପପ୍ରାନ୍ତପାଳ ଭି.ଦେବୀ ପ୍ରସାଦ ପାତ୍ର ଓ ବିଭିନ୍ନ ଶିକ୍ଷା ପ୍ରେମୀ ମାନେ ତିନି ମେଧବୀଙ୍କୁ ଶୁଭେଛା ଜଣାଇବା ସହ ତାଙ୍କର ଉଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ।