
ଚୌଦ୍ୱାର (ଶିବବ୍ରତ ଦାସ ): ବିଗତ କିଛି ସମୟ ଧରି ଚୌଦ୍ୱାର ପୌରପାଳିକା ଅଧୀନରେ ଥିବା ବିଭିନ୍ନ ୱାର୍ଡରେ ପେଭର ବ୍ଲକ ବ୍ୟବହାର କରି ରାସ୍ତା ନିର୍ମାଣ କାର୍ଯ୍ୟ ବହୁଳ ଭାବରେ କରାଯାଉଛି। ଗଳି କନ୍ଦିର ଉନ୍ନତିକରଣ ପାଇଁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଥିବା ବେଳେ, ସାଧାରଣ ଜନତାଙ୍କ ମନରେ ଏହାର ସଠିକତା ଓ ନିୟମକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ପ୍ରଶ୍ନ ଉଠୁଛି, ପ୍ରଶାସନ ଦ୍ୱାରା କରାଯାଉଥିବା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ଠିକ୍ ନା ଏଥିରେ କିଛି ତ୍ରୁଟି ରହିଛି?ଭାରତୀୟ ମାନକ ବ୍ୟୁରୋ (BIS) ର IS 15658: 2021 ଏବଂ IS 16777: 2019 ନିୟମାବଳୀ ଅନୁଯାୟୀ ଯାତାୟାତର ପ୍ରକାର ଭେଦରେ ବ୍ଲକର ମୋଟେଇ ସ୍ଥିର କରାଯାଏ। ସାଧାରଣ ପଥଚାରୀ ବା ହାଲୁକା ଗାଡ଼ି ପାଇଁ ୬୦ ମିଲିମିଟର , ମଧ୍ୟମ ଗାଡ଼ି ପାଇଁ ୮୦ ମିଲିମିଟର ଏବଂ ଭାରୀ ଯାନବାହନ ଚଳାଚଳ ରାସ୍ତା ପାଇଁ ୧୦୦ ମିଲିମିଟର ମୋଟେଇର ବ୍ଲକ ବ୍ୟବହାର କରିବା ଅନିବାର୍ଯ୍ୟ। ବ୍ଲକ ବିଛାଇବା ପୂର୍ବରୁ ମାଟିକୁ ଭଲଭାବେ ସମତୁଲ କରି ତା’ ଉପରେ ବାଲିର ଏକ ସଠିକ ସ୍ତର ଦିଆଯିବା ଉଚିତ। ବ୍ଲକଗୁଡ଼ିକୁ ଯୋଡ଼ିବା ପରେ ସେମାନଙ୍କ ମଧ୍ୟରେ ଥିବା ଫାଙ୍କକୁ ଶୁଖିଲା ବାଲି ଦ୍ୱାରା ସମ୍ପୂର୍ଣ୍ଣ ଭାବେ ଭର୍ତ୍ତି କରି ପ୍ଲେଟ କମ୍ପାକ୍ଟର ମେସିନ ସାହାଯ୍ୟରେ ଦବାଇବା ନିୟମ ରହିଛି, ଯାହାଦ୍ୱାରା ରାସ୍ତା ସ୍ଥାୟୀ ହେବ।ମାତ୍ର ଏହି କାର୍ଯ୍ୟବେଳେ ପୌର ଯନ୍ତ୍ରୀ ଅଥବା କୌଣସି ଅଧିକାରୀ ଉକ୍ତ ସ୍ଥାନରେ ଉପସ୍ଥିତ ରହି ସଠିକ ତଦାରଖ କରିବା କଥା କିନ୍ତୁ ଏହା ହେଉଛି ନା ନାହିଁ ତାହା ଏକ ପ୍ରଶ୍ନବାଚୀ?ଯଦି କେବେ ମାଟି ତଳେ ଥିବା ପାଇପଲାଇନ ବା ଡ୍ରେନ ମରାମତି କରିବାକୁ ପଡ଼େ, ତେବେ କଂକ୍ରିଟ ରାସ୍ତା ଭଳି ଏହାକୁ ଭାଙ୍ଗିବାକୁ ପଡ଼େନାହିଁ। ବ୍ଲକଗୁଡ଼ିକୁ ସହଜରେ ବାହାର କରି ପୁଣି ଥରେ ସେହି ଜାଗାରେ ଲଗାଇ ଦିଆଯାଇପାରେ। ସଠିକ ଭାବେ ନିର୍ମିତ ପେଭର ରାସ୍ତାରେ ବର୍ଷା ପାଣି ସନ୍ଧି ଦେଇ କିଛି ମାତ୍ରାରେ ମାଟି ଭିତରକୁ ଯାଇଥାଏ, ଯାହା ଭୂତଳ ଜଳ ସ୍ତର ବଢ଼ାଇବାରେ ସାହାଯ୍ୟ କରେ। ବିଭିନ୍ନ ରଙ୍ଗର ଆକର୍ଷଣୀୟ ବ୍ଲକ ଲଗାଇବା ଦ୍ୱାରା ପୌରାଞ୍ଚଳର ଗଳିଗୁଡ଼ିକ ସୁନ୍ଦର ଦେଖାଯାଏ। ନିକଟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ କଟକର ଏକ ଷ୍ଟାଡିୟମର ସ୍ୱତନ୍ତ୍ର ପଦଯାତ୍ରା ଟ୍ରାକରେ ପେଭର ବ୍ଲକ କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ କହିବା ଅନୁଯାୟୀ, ଏହି ଶକ୍ତ ପଥର ଉପରେ ଚାଲିବା ଦ୍ୱାରା ବୃଦ୍ଧ ଓ ପିଲାମାନଙ୍କର ଆଣ୍ଠୁ ଗଣ୍ଠି ସମସ୍ୟା ଏବଂ ଖସିପଡ଼ିବାର ଭୟ ରହିଥାଏ। ତେଣୁ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଏହା ଚାଲିବା ଜାଗାରେ ସମ୍ପୂର୍ଣ୍ଣ ଅନୁପଯୁକ୍ତ। ଯଦି ଠିକାଦାର ବା ପ୍ରଶାସନ ବାଲିର ସଠିକ ଶେଯ ନକରି କିମ୍ବା କମ୍ପାକ୍ଟର ମେସିନ ବ୍ୟବହାର ନକରି ଏହାକୁ ବିଛାଇ ଦିଅନ୍ତି, ତେବେ ଅଳ୍ପ ଦିନରେ ବ୍ଲକଗୁଡ଼ିକ ଆରଖାର ହୋଇ ଖସିଯାଏ ଏବଂ ଜଳବନ୍ଦୀ ସମସ୍ୟା ଉପୁଜେ ଯାହା ପୌରାଞ୍ଚଳରେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ।ଗ୍ରୀଷ୍ମ ଋତୁରେ ଏହି କଂକ୍ରିଟ ବ୍ଲକଗୁଡ଼ିକ ପ୍ରବଳ ଗରମ ହୋଇ ସ୍ଥାନୀୟ ଅଞ୍ଚଳର ତାପମାତ୍ରା ବୃଦ୍ଧି କରିଥାଏ.ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଆଭ୍ୟନ୍ତରୀଣ ସରୁ ଗଳି ଯେଉଁଠାରେ ବଡ଼ ଗାଡ଼ି ଯାଏନାହିଁ, ସେଠାରେ ପେଭର ବ୍ଲକ ଲଗାଇବା ଏକ ଭଲ ପଦକ୍ଷେପ। ମାତ୍ର କାର୍ଯ୍ୟର ମାନ ଯାଞ୍ଚ ହେବା ଜରୁରୀ। ଯଦି ନିୟମ ଉଲ୍ଲଂଘନ କରି କମ୍ ମୋଟେଇର ବ୍ଲକ କିମ୍ବା ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଛି, ତେବେ ସେହି କାର୍ଯ୍ୟ ସମ୍ପୂର୍ଣ୍ଣ ଭୁଲ ଏବଂ ଏହା ସରକାରୀ ଅର୍ଥର ଅପଚୟ। ଚୌଦ୍ୱାର ପୌରପାଳିକାରେ ଚାଲିଥିବା ଏହି କାର୍ଯ୍ୟ ଯଦି ଉପଯୁକ୍ତ ସ୍ଥାନରେ (ଯେପରିକି ଗଳି ରାସ୍ତାରେ) ଏବଂ ସରକାରୀ BIS ନିୟମ ଅନୁସାରେ ଉଚ୍ଚ ମାନର ହେଉଛି, ତେବେ ଏହା ସମ୍ପୂର୍ଣ୍ଣ ଠିକ୍। କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଉଦ୍ଦିଷ୍ଟ ପାର୍କ କିମ୍ବା ଚାଲିବା ଟ୍ରାକରେ ଏହାକୁ ଲଗାଯାଉଥିଲେ କିମ୍ବା ନିମ୍ନମାନର କାମ ହେଉଥିଲେ, ତେବେ ତାହା ଜନହିତ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭୁଲ ଅଟେ। ଏଥିପାଇଁ ପୌର ପ୍ରଶାସନର କଡ଼ା ଅନୁଧ୍ୟାନ ଆବଶ୍ୟକ।