
ଚୌଦ୍ୱାର (ଶିବବ୍ରତ ଦାସ ): ଗୋଟିଏ ପଟେ ସାରା ଦେଶରେ ‘ହର ଘର ତ୍ରିରଙ୍ଗା’ ଏବଂ ‘ତ୍ରିରଙ୍ଗା ଯାତ୍ରା’ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଛି। ସରକାରୀ ବାବୁଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ହାତରେ ଜାତୀୟ ପତାକା ଧରି ଶୋଭାଯାତ୍ରା ଓ ସେଲଫି ଉଠାଇବାରେ ବ୍ୟସ୍ତ ଅଛନ୍ତି। ମାତ୍ର ଅନ୍ୟପଟେ କଟକ ଜିଲ୍ଲା ଚୌଦ୍ୱାରର ପ୍ରାଣକେନ୍ଦ୍ର କୁହାଯାଉଥିବା ଐତିହାସିକ ଗାନ୍ଧିଛକଠାରେ ସମସ୍ତଙ୍କ ଗୌରବ ଓ ସ୍ୱାଭିମାନର ପ୍ରତୀକ ତ୍ରିରଙ୍ଗା ପତାକା ଅତି ଶୋଚନୀୟ ଭାବେ ଚିରା ଅବସ୍ଥାରେ ଉଡୁଛି। ସ୍ୱାର୍ଥପର ରାଜନେତା ଏବଂ ସ୍ଥାନୀୟ ପୌର ପ୍ରଶାସନର ଆଖି ଆଗରେ ଏହି ଅପମାନ ଜାରି ରହିଥିଲେ ମଧ୍ୟ କାହାରି ନଜର ଏହା ଉପରେ ପଡୁନାହିଁ।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗାନ୍ଧିଛକରେ ଥିବା ଏହି ଉଚ୍ଚା ସ୍ମାରକୀ ପତାକାଟି ଦୀର୍ଘ ଦିନ ହେବ ଚିରି ଯାଇଥିଲେ ମଧ୍ୟ ଏହାକୁ ବଦଳାଇବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। ନେତାମାନେ ନିଜର ପ୍ରଚାର ପାଇଁ ବଡ଼ ବଡ଼ ଶୋଭାଯାତ୍ରା କରୁଛନ୍ତି, କିନ୍ତୁ ସ୍ଥାୟୀ ଭାବେ ଉଡୁଥିବା ଦେଶର ଗୌରବର ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଅନ୍ଧ ସାଜିଛନ୍ତି। ପୌର ପ୍ରଶାସନର ଏଭଳି ଦାୟିତ୍ୱହୀନତାକୁ ନେଇ ଚୌଦ୍ୱାର ଅଞ୍ଚଳର ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜାତୀୟ ପତାକାକୁ ଏଭଳି ଅସମ୍ମାନ କରିବା ବେଆଇନ ହୋଇଥିବା ବେଳେ ପ୍ରଶାସନ ତୁରନ୍ତ ଏହାକୁ ବଦଳାଇ ନୂତନ ପତାକା ସ୍ଥାପନ ନକଲେ ଆଗାମୀ ଦିନରେ ଜନଆନ୍ଦୋଳନ ହେବାର ଚେତାବନୀ ଦିଆଯାଇଛି।