
ଭଞ୍ଜନଗର, ୧୦/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୋହିରୀବାଡ଼ି ଗ୍ରାମର ଜଣେ ଚାଷୀ ଲୋହରାଖଣ୍ଡି ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ ହେଲେ ସନ୍ତୋଷ କୁମାର ନାୟକ (୪୯)।
ଘଟଣାରୁ ପ୍ରକାଶ ଯେ, ସନ୍ତୋଷ ଗୁରୁବାର ସନ୍ଧ୍ୟାରେ ଜମିରୁ କାମ ସାରି ଘରକୁ ଫେରୁଥିଲେ। ଘରକୁ ଫେରିବା ବାଟରେ ଥିବା ଲୋହରାଖଣ୍ଡି ନଦୀ ପାର ହୋଇ ଆସୁଥିବା ସମୟରେ ନଦୀରେ ଅଧିକ ପାଣି ଥିବା ଯୋଗୁଁ ସେ ବୁଡ଼ିଯାଇଥିଲେ। ନିକଟରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ଜୀବିତ ଥିବା ଆଶଙ୍କାରେ ତୁରନ୍ତ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ସନ୍ତୋଷଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ଭଞ୍ଜନଗର ପୋଲିସ ହସ୍ପିଟାଲରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଏହି ଅଘଟଣକୁ ନେଇ ଗୋହିରୀବାଡ଼ି ଗ୍ରାମ ସମେତ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।