
ଭୁବନେଶ୍ବର (ଓଡିଶା ଟୁଡେ): ଜନସଂଖ୍ୟା ଦୃଷ୍ଟିରୁ ଓଡିଶାର ବୃହତ୍ତମ ଜିଲ୍ଲା ଗଞ୍ଜାମରେ ପୂର୍ବରୁ ଆସିକା, ବେଲଗୁଣ୍ଠା, ଭଞ୍ଜନଗର, ବୁଗୁଡା, ଛତ୍ରପୁର, ଚିକିଟି, ଦିଗପହଣ୍ଡି, ଗଞ୍ଜାମ, ଗୋପାଳପୁର, କବିସୂର୍ଯ୍ୟନଗର, ଖଲିକୋଟ୍, ପୋଲସରା, କୋଦଳା, ରମ୍ଭା, ପୁରୁଷୋତ୍ତମପୁର ଓ ସୋରଡା ଭଳି ୧୬ ଟି ଏନଏସି, ହିଞ୍ଜିଳିକାଟୁ ମ୍ୟୁନିସିପାଲଟି ଓ ବ୍ରହ୍ମପୁର ମ୍ୟୁନିସିପାଲ୍ କର୍ପୋରେସନ୍ ଥିବା ବେଳେ ଗତ ଫେବୃୟାରୀ ୨୪ ତାରିଖରେ ଦୁଇ ନୂଆଁ ଏନଏସି କୁକୁଡାଖଣ୍ଡି ଓ ଶେରଗଡ ଘୋଷଣା ହୋଇଥିଲା ଏବଂ ଆସିକା ଏବଂ ଛତ୍ରପୁର ଦୁଇ ଏନଏସି କୁ ମ୍ୟୁନିସିପାଲଟି ଘୋଷଣା କରାଯାଇଥିଲା । ଫଳରେ ଏନଏସି ସଂଖ୍ୟା ୧୬ ଓ ମ୍ୟୁନିସିପାଲଟି ସଂଖ୍ୟା ୩ ରେ ପହଞ୍ଚିଥିଲା । ଗତକାଲି ଭଞ୍ଜନଗର ଏନଏସି ରୁ ମ୍ୟୁନିସିପାଲଟିକୁ ଉନ୍ନୀତ ହେବା ପରେ ଏନଏସି ସଂଖ୍ୟା ୧୫, ମ୍ୟୁନିସିପାଲଟି ସଂଖ୍ୟା ୪ ରେ ପହଞ୍ଚିଛି । ଏଥିରୁ ଗଞ୍ଜାମ ଜିଲ୍ଲାରେ ପରିବର୍ଦ୍ଧିତ ଜନସଂଖ୍ୟା ଓ ପରିବର୍ଦ୍ଧିତ ପ୍ରଶାସନ ବ୍ୟବସ୍ଥାର ଆବଶ୍ୟକତା ସ୍ପଷ୍ଟ ବାରି ହୋଇ ପଡୁଛି । ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ବିଭାଜନ କରାଯାଇ ନୂଆଁ ଜିଲ୍ଲା କରି ଗୋଟିଏ ପ୍ରଶାସନିକ ବ୍ୟବସ୍ଥାରେ ବୋଝକୁ ହାଲକା କରାଯିବା ଉଚିତ୍ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି । ଦୀର୍ଘ ତିନି ଦଶନ୍ଧି ଧରି ଭଞ୍ଜନଗର କୁ ଜିଲ୍ଲା ମୁଖ୍ୟାଳୟ କରି ଭଞ୍ଜନଗର ଉପଖଣ୍ଡ ର ଆଠଟି ବ୍ଲକ୍ ଯଥା ଭଞ୍ଜନଗର, ଜଗନ୍ନାଥପ୍ରସାଦ, ବୁଗୁଡା, ବେଲଗୁଣ୍ଠା, ସୋରଡା, ଆସିକା, ଧରାକୋଟ୍ ଓ ଶେରଗଡ କୁ ନେଇ ‘ଘୁମୁସର ଜିଲ୍ଲା’ ଘୋଷଣା କରାଯିବା ନେଇ ଦାବି, ଆନ୍ଦୋଳନ, ବନ୍ଦ ପାଳନ ଆଦି ହୋଇ ଆସୁଅଛି । ସେପଟେ ଆସିକା କୁ ଜିଲ୍ଲା ମୁଖ୍ୟାଳୟ କରି ଆସିକା ସମେତ ବେଗୁନିଆ ପଡା, ପୋଲସରା, ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର, ସାନଖେମୁଣ୍ଡି, ଧରାକୋଟ, ଶେରଗଡ ବ୍ଲକ୍ କୁ ନେଇ ‘ଋଷିକୂଲ୍ୟା ଜିଲ୍ଲା’ ଘୋଷଣା ନେଇ ଦାବି ହୋଇ ଆସୁଅଛି । ‘ଘୁମୁସର ଜିଲ୍ଲା’ ଦାବି ଏକ ପ୍ରକାର ଯୁକ୍ତିଯୁକ୍ତ ହୋଇଥିବା ବେଳେ ଯଦି ‘ଘୁମୁସର ଜିଲ୍ଲା’ କରାଯାଏ, ତେବେ ଗଞ୍ଜାମ ଜିଲା ଦୁଇ ଭାଗ ହେବ । ଅନ୍ୟ ପଟେ ‘ଋଷିକୂଲ୍ୟା ଜିଲ୍ଲା’ ଦାବି ଅନୁଯାୟୀ ଜିଲ୍ଲା କରାଗଲେ ପାଞ୍ଚଟି ବ୍ଲକ୍ ଯଥା ଭଞ୍ଜନଗର, ଜଗନ୍ନାଥପ୍ରସାଦ, ବୁଗୁଡା, ବେଲଗୁଣ୍ଠା, ସୋରଡା ମୂଳ ଜିଲ୍ଲା ଗଞ୍ଜାମରୁ ସମ୍ପୂର୍ଣ୍ଣ ଅଲଗା ହୋଇଯିବେ, ସ୍ବତଃ ସେହି ପାଞ୍ଚଟି ବ୍ଲକ୍ କୁ ନେଇ ନୂଆଁ ଜିଲ୍ଲା ହେବ । ଅର୍ଥାତ୍ ‘ଋଷିକୂଲ୍ୟା ଜିଲ୍ଲା’ ହେଲେ ଗଞ୍ଜାମ ଜିଲ୍ଲା ତିନି ଭାଗ ହେବ । ସରକାରୀ ସ୍ତରରେ ନୂଆଁ ଜିଲ୍ଲା ପାଇଁ ବ୍ୟବସ୍ଥା କରାଯାଇ କେବେ ଜିଲ୍ଲା କରାଯାଉଛି, ତାହାକୁ ଅପେକ୍ଷା ।