
ଭଞ୍ଜନଗର (ଓଡ଼ିଶା ଟୁଡେ): ୨୦୨୪ ଓଡ଼ିଶା ବିଧାନ ସଭା ନିର୍ବାଚନ ନିମନ୍ତେ ବିଜେପି ୧୧୨ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି । ଭଞ୍ଜନଗର ବିଧାନସଭା ଆସନ ପାଇଁ ଗତ ଥରର ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକଙ୍କୁ ପୁଣି ରିପିଟ୍ କରିଛି ବିଜେପି । ଗତ ୨୦୧୯ ନିର୍ବାଚନରେ ପ୍ରଦ୍ୟୁମ୍ନ ନାୟକଙ୍କୁ ବିଜେଡିର ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ୯୧୦୩ ଭୋଟ ବ୍ୟବଧାନରେ ହରାଇଥିଲେ । ପ୍ରଦ୍ୟୁମ୍ନ ନାୟକଙ୍କୁ ରାଜ୍ୟ ଶୀର୍ଷ ନେତୃତ୍ୱ ପୁଣି ଭରସା କରିଛନ୍ତି । ପ୍ରଦ୍ୟୁମ୍ନ ନାୟକ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ମଜବୁତ୍ କରିବା ସହ ଜନ ସାଧାରଣଙ୍କ ଆସ୍ଥା ଭାଜନ ହୋଇପାରିବେ ବୋଲି ଆଶାବାଦୀ ଅଛନ୍ତି । ଗତ ଥରର ଭୁଲକୁ ସୁଧାରିବା ସହ ଏଥର ବିଜେପି ଭଂଜନଗରରେ କିପରି ବାଜିମାତ କରିବ, ସେ ନେଇ ପ୍ରସ୍ତୁତି ଚଳାଇଥିବା ଶ୍ରୀ ନାୟକ ଗଣମାଧ୍ୟମକୁ ଜଣାଇଛନ୍ତି ।
ଅନ୍ୟପକ୍ଷରେ କଂଗ୍ରେସ ଭଞ୍ଜନଗର ଆସନ ପାଇଁ ନୂଆଁ ମୁହଁ ରୂପରେ ପ୍ରଶାନ୍ତ ବିଶୋୟୀଙ୍କୁ ପ୍ରାର୍ଥୀ କରିଛି । ପ୍ରଶାନ୍ତ ଦଳ ପାଇଁ ତୃଣମୂଳ ସ୍ତରରେ ସଂଗଠନ ମଜବୁତ୍ କରୁଛନ୍ତି । କଂଗ୍ରେସକୁ ଶାସନକୁ ଆଣି ଶାସନ ବ୍ୟବସ୍ଥାକୁ ଦୁର୍ନୀତି ମୁକ୍ତ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି । ଘୁମୁସର କୁ ଜିଲ୍ଲା ଘୋଷଣା କରିବାକୁ ସେ ସର୍ବଦା ଦାବି କରି ଆସୁଛନ୍ତି । ଜନ ସାଧାରଣଙ୍କ ଆସ୍ଥା ଭାଜନ ହୋଇପାରିବେ ବୋଲି ଆଶାବାଦୀ ଅଛନ୍ତି ।
ଉଭୟ ନେତାଙ୍କୁ ଟିକେଟ ମିଳିବା ପରେ ସେମାନଙ୍କ ସମର୍ଥକଙ୍କ ମନରେ ଉତ୍ସାହ ଖେଳିଯାଇଛି ।
ପ୍ରକାଶ ଥାଉକି ୧୯୯୦ ମସିହାରୁ ଏହି ଆସନରୁ ଜନତା ଦଳରୁ ରାମକୃଷ୍ଣ ଗୌଡ଼ ବିଜୟୀ ହୋଇଥିଲେ । ୧୯୯୫ ମସିହାରେ ଜନତା ଦଳ ବିକ୍ରମ କେଶରୀ ଆରୁଖଙ୍କୁ ଏହି ଆସନରୁ ଟିକେଟ ଦେଇଥିଲା ଏବଂ ସେ ବିଜୟୀ ହୋଇଥିଲେ । ୨୦୦୦ ମସିହା, ୨୦୦୪ ମସିହା, ୨୦୦୯ , ୨୦୧୪ ଏବଂ ୨୦୧୯ ମସିହାରେ ସେ ବିଜେଡି ଟିକେଟ ରୁ ଲଢି ବିଜୟୀ ହୋଇ ଆସୁଛନ୍ତି । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦରେ ମଧ୍ୟ ରହିଛନ୍ତି । ଦଳର ସଂଗଠନ ମଧ୍ୟ ମଜବୁତ୍ ଅଛି । ଏପରି ସ୍ଥିତିରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ କିପରି ରଣ କୌଶଳ ଆପଣାଉଛନ୍ତି ତାହା ଦେଖିବାକୁ ରହିଲା ।