
ଭଞ୍ଜନଗର (ଓଡ଼ିଶା ଟୁଡେ): ସାରା ଓଡ଼ିଶା ରେ ମୋଦି ମ୍ୟାଜିକ ଖେଳି ଯାଇଛି । ବିଜେପି ଓଡ଼ିଶାରେ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବାକୁ ଯାଉଛି । ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ବିଜେପିରୁ ପ୍ରଦ୍ୟୁମ୍ନ ନାୟକ ୧୬ ହଜାରରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନ ରେ ଛଅ ଥର ବିଧାୟକ ଥିବା ବିକ୍ରମ ଆରୁଖଙ୍କୁ ହରାଇଛନ୍ତି । ଏହି ବିଜୟ ସହ ଘୁମୁସର ଅଞ୍ଚଳବାସୀଙ୍କ ଘୁମୁସର ଜିଲ୍ଲା ହେବା ଆଶା ମଧ୍ୟ ଉଦ୍ଜୀବିତ ହୋଇଯାଇଛି । ପ୍ରଦ୍ୟୁମ୍ନ ଭଞ୍ଜନଗର ବାସୀଙ୍କୁ ଘୁମୁସର ଜିଲ୍ଲା ଗଠନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଅତୀତରେ ଘୁମୁସର ଜିଲ୍ଲା ଆନ୍ଦୋଳନର ନେତୃତ୍ୱ ମଧ୍ୟ ନେଇଥିଲେ । ଯେହେତୁ ସେ ଏଠାରୁ ବିଜୟୀ ହୋଇଛନ୍ତି, ରାଜ୍ୟରେ ମଧ୍ୟ ବିଜେପି ସରକାର ଗଢ଼ିବାକୁ ଯାଉଛି, ଅଞ୍ଚଳବାସୀଙ୍କ ମନରେ ଜିଲ୍ଲା ଘୋଷଣା ଆଶା ରହିବା ସ୍ଵାଭାବିକ । ଦୀର୍ଘ ତିନି ଦଶନ୍ଧି ଧରି ଅଞ୍ଚଳବାସୀଙ୍କ ଘୁମୁସର ଜିଲ୍ଲା ଦାବି ରହି ଆସିଛି । ଭଞ୍ଜନଗର କୁ ମ୍ୟୁନିସିପାଲଟି ଘୋଷଣା ମଧ୍ୟ ଦୀର୍ଘ ଦିନର ଥିଲା, ତେବେ ନିର୍ବାଚନ ବିଧି ଲାଗୁ ହେବା ର ଠିକ୍ ପୂର୍ବରୁ ଭଞ୍ଜନଗର କୁ ମ୍ୟୁନିସିପାଲଟି ଘୋଷଣା କରି ଶ୍ରେୟ ନେବାକୁ ରାଜ୍ୟ ସରକାର ଏବଂ ବିଜେଡି ଚେଷ୍ଟା କରିଥିଲେ । ସେହି ସମୟରେ ନିଜେ ପ୍ରଦ୍ୟୁମ୍ନ ନାୟକ ଏବଂ ଘୁମୁସର ଜିଲ୍ଲା ବିଜେପି ଉପ ସଭାପତି ଅଯୋଧ୍ୟାନାଥ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ତତ୍କାଳୀନ ବିଧାୟକଙ୍କୁ ସମାଲୋଚନା କରିବା ସହ ସାହସ ଥିଲେ ଜିଲ୍ଲା କରି ଦେଖାନ୍ତୁ ବୋଲି କହିଥିଲେ । ବର୍ତ୍ତମାନ ପ୍ରଦ୍ୟୁମ୍ନ ନାୟକ ବିଜୟୀ ହେବା ପରେ ଘୁମୁସର ଜିଲ୍ଲା ଆଶା ପୁଣି ଉଦ୍ଜୀବିତ ହୋଇଯାଇଛି । ତେବେ କେବେ ଘୁମୁସର ବାସୀଙ୍କ ଏହି ଦାବି ପୂରଣ ହେଉଛି ଦେଖିବାକୁ ରହିଲା ।